ପୃଷ୍ଠା:Galpa swalpa.djvu/୧୬୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଗଳ୍ପସ୍ୱଳ୍ପ

୫ମ । ଆସାମୀ ଯେଉଁ ବରାମଦି ମାଟି ଦାଖଲ କରିଅଛି, ତାହା ମୁଦାଲା ନାଳ ମୁହଁରୁ ଆଣି ଥିବା ସତ୍ୟ ଅଟେ । ସେ ମାଟି ଯେ ଲୁଣିଆ ଲାଗୁଅଛି ସେଥିର କାରଣ ଏହି କି ଯେ ମଫସଲି ତିର୍ଲାମାନେ ରାତ୍ରରେ ଭୟରେ ଦାଣ୍ଡକୁ ବାହାରନ୍ତି ନାହିଁ । ମାଟ ବାହାର ନାଳ ଦୁଆରର - ଇତ୍ୟାଦି, ଇତ୍ୟାଦି । ସେହି ପାଣି ପଡ଼ି ପଡ଼ି ମାଟି ଲୁଣିଆ ହୋଇ ଯାଇଅଛି । ଏ କଥା ସତ୍ୟ କି ମିଥ୍ୟା ମୁଦେଇ କିଣାରାମ ଆଉ ଥରେ ମାଟି ଚାଖୁ ଓ ସୁଙ୍ଗୁ ସେପରି ଉଷମୁଳିଆ ଗନ୍ଧ ଅଛି କି ନାହିଁ, ସଫା ଜଣାଯିବ ।

ଉକୀଲ ବକ୍ତୃତା ଶୁଣି ହାକିମ ଠୋ ଠୋ କରି ହସିଲେ । ପେସ୍କାରେ ହାକିମ ଆଡକୁ ନଥି ଉହାଡ଼ କରି ଖୁବ୍ ଗୋଟାଏ ହସିଲେ, ଆଉ ସମସ୍ତେ ମଧ୍ୟ ମୁହଁରେ ଲୁଗା ଦେଇ ହସିଲେ । ତହିଁ ଉତ୍ତାରେ ଉକୀଲ ଛିଡା ହୋଇ ହାକିମଙ୍କୁ ଅନାଇ କହିଲେ, "ହଜୁର ମା ବାପ ଖାମିଦ; ଆସାମୀ ନିହାତି ଗରିବ ନିର୍ଦ୍ଦୋଷ, ତାହାକୁ ଖଲାସ ଦିଆଯାଉ ।"

ହାକିମ ଦୁଇ ଫର୍ଦ ଫୁଲିଶକେପ୍ କାଗଜରେ ଏକ ଲମ୍ବା ରାୟ ଲେଖିଲେ - ଉକୀଲ ଯେଉଁ ସମସ୍ତ କାରଣ ଦର୍ଶାଇ ଥିଲେ, ରାୟରେ ସେ ସମସ୍ତ କାରଣ ଉଲ୍ଲେଖ କରି ଆସାମୀକୁ ଖଲାସ ଦେଲେ, ଅଧିକନ୍ତୁ ଲେଖିଲେ ମୁଦେଇ କିଣାରାମ ସିଂ ପୋଲିଶ କର୍ମର ଅଯୋଗ୍ୟ ।

ରାୟର ଏକ ପ୍ରସ୍ତ ନକଲ ଶ୍ରୀଯୁକ୍ତ ମାଜିଷ୍ଟର ସାହେବଙ୍କ ହଜୁରରେ ପେଶ ହେଲା । ଏ ଯାତ୍ରା କିଣରାମଙ୍କର ନୌକରି ରକ୍ଷା ପାଇବା କଠିନ ଥିଲା; ମାତ୍ର ପେସ୍କାର ହାକିମଙ୍କୁ ସମଜାଇ ଦେଲେ, "ହଜୁର ପୋଲିଶ ନୂଆ, ଗ୍ରାମ ଲୋକ ଏକଯୋଟ, ସମସ୍ତେ ବଦମାଏସ,ସର୍ବଦା ଲୁଣ ଚୋରି କରି ସରକାରଙ୍କ ଲୋକସାନ କରୁଅଛନ୍ତି, ପୋଲିଶକୁ ଡିସ୍ ମିସ୍ କଲେ ସରକାରୀ ଲୁଣ ବରବାଦ ହୋଇଯିବ । ଏହି ପୋଲିସ କନେଷ୍ଟବଳ ଖୁବ୍ ହୁସିଆର, ଚଲାକ ଗ୍ରାମ ଲୋକମାନଙ୍କ ଫାନ୍ଦରେ ଏ ମାମଲା ସାବିତ୍ ହେଲା ନାହିଁ ଇତ୍ୟାଦି, ହାକିମ କିଛି ଖୋସନାମାଇ କରି କିଣୁକୁ ଛାଡିଦେଲେ ।

ଆମ୍ଭମାନଙ୍କ ଜମାଦାରେ ଭାରି ଫୁର୍ତ୍ତିରେ ଆସାମୀକୁ ଧରି ମଫସଲରୁ ଆସିଥିଲେ । ମାମଲାର ହାଲ ଦେଖି ତାହାଙ୍କ ଅଣ୍ଟା ବସିଗଲାଣି । ସାମାନ୍ୟ ଲୋକମାନଙ୍କର ଅବସ୍ଥା ଏହିପରି । ଅଳ୍ପ ଆନନ୍ଦରେ ଫୁଲି ଉଠନ୍ତି, ସେହିପରି ଅଳ୍ପ ଟିକିଏ ଧକା ଖାଇଲେ ବସି ପଡନ୍ତି । କଚେରି ବାହୁଡ଼ା ସଙ୍ଗେ ପେସ୍କାରଙ୍କ ବସାଘର କୋଣରେ କାନିଟା ମେଲାଇ ଦେଇ ଲଠ କରି ଶୋଇ ପଡିଲେ । କାହିଲା ବାହାନାରେ ସେ ରାତିରେ କିଛି ମୁହଁରେ ଦେଲେ ନାହିଁ । ରାତ୍ରିରେ ଜମାଦାରଙ୍କୁ କିପରି ନିଦ ହୋଇଥିଲା, ଏଥିର ଠିକ ସମ୍ବାଦ ଆମ୍ଭେମାନେ ପାଇ ନାହୁଁ । ମାତ୍ର ମୁହଁ ଅନ୍ଧାର ଥାଉଣୁ ଦିଗବାରକୁ ଧରି ଫାଣ୍ଡିକୁ ରବାନା ହୋଇଗଲେ । ଆଉ ଆଉ ଦିନେ ଦିନ ପହରେ ଥାଇଁ ଫାଣ୍ଡିରେ ପହୁଞ୍ଚନ୍ତି; ମାତ୍ର ଆଜି ପହୁଞ୍ଚିବାକୁ ରାତି ପହରେ ଗଡ଼ିଗଲା । ରୋଷେଇର କିଛି ବନ୍ଦୋବସ୍ତ ହେଲା ନାହିଁ, ଦିଗବାର ଗାଁରୁ କିଛି ଜଳଖିଆ ଅଣାଇ ଦେଲା ।

ସକାଳବେଳେ ଜମାଦାରେ ଫାଣ୍ଡି ପିଣ୍ଡାରେ ବସି ମନ ମଧ୍ୟରେ ଭାବୁଛନ୍ତି, ଗାଁ ଲୋକେ ଏଣିକି ତାହାଙ୍କୁ ହେଟାଦର କରିବେ, କେହି ଅବା ଟାପରା କରିବ । କାହାରି ମୁହଁକୁ ଭଲ କରି ଅନାଉ ନାହାନ୍ତି । ଗାଁର ମୁଖ୍ୟା ମୁଖ୍ୟା ଲୋକମାନେ ପୂର୍ବପରି ହାଜର ହୋଇ ଗୋଟାଏ ଗୋଟାଏ ଦଣ୍ଡବତ୍ କଲେ । ଜମାଦାରଙ୍କ ଆଗମନ ଯଦିଚ ସମସ୍ତଙ୍କୁ ଜଣା, ମାତ୍ର ଜଣା ନ ଥିବାର ଏବଂ ରାତିରେ ଉପାସ ଥିବାର କହି ଭାରି ଦୁଃଖ ପ୍ରକାଶ କଲେ ଏବଂ ଚଞ୍ଚଳ ରୋଷେଇର ଡୌଲ କରି ଦେଲେ ।