ପୃଷ୍ଠା:Galpa swalpa.djvu/୧୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦିନ ପାଣି ପରି ବହି ଯାଉଛି । ଜମାଦାରେ ଆଗ ପରି ବେଶି ଗାଁ ଗସ୍ତକୁ ବାହାରୁ ନାହାନ୍ତି । ଆଗପରି ଆପଣା ଆପଣା ଦୁଃଖ ଧନ୍ଦା ସାରି ପାଞ୍ଚ ସାତ ଜଣ ସଞ୍ଜବେଳେ ଜମାଦାର ପାଖରେ ବସନ୍ତି । ଏଣୁ ତେଣୁ ଢେର କଥାବାର୍ତ୍ତା ହୁଏ । ଓଝେ ପହୁଞ୍ଚିଗଲେ ଛାନ୍ଦମାନ୍ଦ ବୋଲା ବୋଲି ହୁଏ, ମାତ୍ର ବର୍ତ୍ତମାନ ଦୁଇ ପକ୍ଷରେ ଭାବନା, ଦୁଇ ପକ୍ଷରେ ଜଗାଜଗି । ଜମାଦାରେ ଅନେକ ଉପାୟ ଭାବିଲେଣି, କିଛି କଥା କିନାରା ଲଗାଇ ପାରୁ ନାହାନ୍ତି । ଗ୍ରାମ ଲୋକେ ନିରୋଳାରେ ବସି ବିଚାର କଲେ - ରାମା ତ ଖଲାସ ହୋଇ ଆସିଲା ହଁ; ମାତ୍ର ଏଣିକି କଣ କରାଯିବ ? ସରକାରୀ ପୋଲିଶ ମାଡ଼ି ବସିଲାଣି, ଆଉ କି ରକ୍ଷା ଅଛି । ରାମା ମାମଲାରେ ଜିଣି କରି ମଧ୍ୟ ହାରି । ହିସାବରେ ଦେଖାଗଲା, ରାମା ମାମଲାରେ ଖରଚ ସବୁ ସବୁ ରକମରେ ସତେଇଶ ଟଙ୍କା ଚଉଦ ଅଣା ଦୁଇପାହି । ଏଣିକି ଆଉ ମାମଲା ଝିଙ୍କିଲେ ଟଙ୍କା କାହୁଁ ଆସିବ ? ଏଥର ଭେଦା ଟଙ୍କାଟା ଯେପରି ଅସୁଲ ହେଲା, ତାହା ମନ ଜାଣେ । ଟଙ୍କା ବା କାହା ହାତରେ ଅଛି । ଦିନେ ଅଧରାତି ଯାଏ ଗୋପାଳ ଘଡେଇ ପିଣ୍ଡାରେ ବସି ଖୁବ୍ ପରାମର୍ଶ କଲେ । ଶେଷକୁ ଅବଧାନ ଯେଉଁ ଉପାୟଟା ବାହାର କଲେ, ସମସ୍ତଙ୍କ ମନ ମାନିଗଲା । କାଲି ଖୋଦ ଅବଧାନେ ଜମାଦାରଙ୍କ ପଖରେ କଥା ପକାଇବେ, ସ୍ଥିର ହେଲା ।

ସଞ୍ଜବତୀ ଲଗି ଗଲାଣି । ଜମାଦାରେ ଭାଗବତ ଘରେ ବସିଥାନ୍ତି । ଦିଗବାରଟା ମଧ୍ୟ ନାହିଁ, କାହାକୁ ଡାକିବାକୁ ଯାଇଛି । ଓଝା ଅବଧାନେ ଧୀର ଧୀର ହୋଇ ପହୁଞ୍ଚିଲେ । ଜମାଦାରଙ୍କୁ ଦଣ୍ଡବତଟାଏ କରି ପାଖରେ ବସିଲେ । ଖୁବ୍ ନିରୋଳା, କେହି ପାଖରେ ନାହିଁ । ଦୁଇ ଚାରିଟା ଏଣୁ ତେଣୁ କଥା ଉତ୍ତାରେ ଅବଧାନେ ଚାରି ଆଡକୁ ଅନାଇ ଦୁଇ ଚାରି ଥର ଗଳା ଖଙ୍କାରି ଦେଇ ଥରେ ହାଇ ମାରି ଏକାବେଳକେ କଥାଟା ପକାଇଲେ । ସେ କଥାର ସାରମର୍ମ ଏହି -

"ଜମାଦାରଙ୍କ ବସା ଖର୍ଚ୍ଚ ଗାଁ ଲୋକେ ଚଳାଇବେ । ଏ ସିବାଏ ମାସକୁ ପାନ ଖର୍ଚ୍ଚ ବୋଲି ଯୋଡ଼ାଏ ଟଙ୍କା ଦେବେ ଏବଂ ଫି ମାସ ଏକ ନମ୍ବର ଚୋରୀ ଆସାମୀ ଧରିଦେବେ ।"

ଜମାଦାରେ ତ କୋଟିନିଧିଟାଏ ପାଇଗଲେ, ଏକା ବେଳକେ ରାଜି । ସମସ୍ତ ଭାବନାରୁ ମୁକ୍ତ ହେଲେ ।

ତହିଁ ଆରଦିନ ଚାରିଖଣ୍ଡ ଗ୍ରାମର ମୁଖ୍ୟା ମୁଖ୍ୟା ଲୋକ ସଭା କରି ବସିଲେ, କଥା ଛିଡ଼ିଲା । ଜମାଦାରଙ୍କ ଖର୍ଚ୍ଚ ବିଛାଣିରେ ଚାରିଖଣ୍ଡ ଗ୍ରାମରୁ ଉଠିବ । ଏ ସିବା ଜଣେ ପାଣ ହାତରେ କିଛି ଲୁଣ ଦେଇ ଚୋର ବୋଲି ଧରାଇ ଦେବେ; (ଅବଶ୍ୟ ପାଣର ରାଜିକରାରରେ କଥା ହେବ)। ସେ ପାଣ ଯେତେ ଦିନ ବନ୍ଦରେ ରହିବ, ତାହାର ପିଲା ଝିଲା ଖର୍ଚ୍ଚ ସବୁ - ସବୁ -କଥା ଗ୍ରାମ ଲୋକେ ତୁଲାଇବେ ।

ବେଶ କାମ ଚଳିଲା । ଜମାଦାରେ ନାମ ମାତ୍ର ଗାଁ ଗସ୍ତକୁ ବାହାରନ୍ତି, ଚଉପଟ ଖେଳନ୍ତି, ଗାଁ ବୁଲନ୍ତି ଓ ଅବଧାନଠାରୁ ଛାନ୍ଦ ଶୁଣି ସୁନ୍ଦର ଭୋଜନଟାଏ ପକାନ୍ତି । ଦୁଇ ଚାରି ନମ୍ବର ମାମଲା ମଧ୍ୟ ଚଲାଣ ଦେଲେଣି । ମାମଲା ସାଫ ସାବିତ ଆସାମୀମାନେ ସଜା ପାଇ ଗଲେଣି ।

 "ଅଧର୍ମବିତ୍ତ ବଢ଼େ ବହୁତ,
 ଯିବାବେଳେ ଯାଏ ମୂଳ ସହିତ ।"

ଜମାଦାରେ ଆଚ୍ଛା ଦୁଇଟଙ୍କା ରୋଜଗାର କରିଥିଲେ । "ରାଜା ପଶ୍ୟତି କର୍ଣ୍ଣାଭ୍ୟାଂ ।" ଅନ୍ୟାୟଟା କେତେଦିନ ଛପିବ । କଥାଟା ସରକାର କାନରେ