ପୃଷ୍ଠା:Galpa swalpa.djvu/୨୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


ଅବଧାନେ ଫେର ଥରେ ଅନ୍ତାକୁ ଅନାଇଲେ। ଅନ୍ତୁ ଧୀରେ ବସି ଖୁବ୍ ମନ ଦେଇ ଅକ୍ଷର ବୁଲାଉଛି। ଅବଧାନଙ୍କର ଭାରି ଦୟା ହେଲା। କଅଁଳରେ କହିଲେ, “ରେ ବାପ ଅନ୍ତୁ! ନେ’ତ – ଟୁକୁଣାଟା ନେଇ ଟୁକୁଣେ ପାଣି ଆଣ ତ, ବହିର୍ଦ୍ଦେଶ ଯିବୁଁ।” ଅନ୍ତୁ ଭଲ ପିଲାଟି ପରି ଟୁକୁଣା ଧରି ପୋଖରୀକୁ ଜଳ ଆଣିବାକୁ ଗଲା। ଅବଧାନେ ବସି ପିକା ଟାଣୁଥାନ୍ତି। ଅନ୍ତୁ ଆସେ ନାହିଁ – ବଡ଼ ମଠ କଲା। ଅବଧାନେ ଆଉ ସହି ପାରିଲେ ନାହିଁ। ଦୁଇଥର ତିନିଥର ପୋଖରୀତୋଠ ଆଡ଼କୁ ଅନାଇଲେଣି। ସେଠାରୁ ଉଠି ପିକା ଭିଡ଼ି ଭିଡ଼ି ତୋଠ ଆଡ଼କୁ ଚାଲିଗଲେ। ଅନ୍ତୁ ଟୁକୁଣାଟି ଧରି ଆଡ଼ି ଉହାଡ଼ରେ ଲୁଚି ପଡ଼ି ଅବଧାନକୁ ଅନାଉଥିଲା – ଆସୁଥିଲା ନାହିଁ। ଅବଧାନ ଉପରେ ଯେମିତି ନଜର ପଡ଼ିଛି, ଧୀରେ ଧୀରେ ପାଖକୁ ଚାଲି ଆସିଲା। ଅବଧାନଙ୍କ ହାତକୁ ଟୁକୁଣାଟି ଏମିତି ବଢ଼ାଇ ଦେଲା, ଯେମିତି ଟୁକୁଣାର ପାଣିକୁ ଅବଧାନଙ୍କର ନଜର ନ ପଡ଼େ। ଅବଧାନେ ଡେବିରି ହାତ ପାଞ୍ଚଆଙ୍ଗୁଳିରେ ଟୁକୁଣା ଫନ୍ଦଟି ଧରି ଡାହାଣ ହାତରେ ପିକା ଭିଡ଼ି ଭିଡ଼ି ଗାଁ’ ଶେଷମୁଣ୍ଡ ଗହୀର ବିଲକୁ ବହିର୍ଦ୍ଦେଶ ଗଲେ। ଅଧଘଣ୍ଟାଏ ହୋଇ ନାହିଁ, ଅବଧାନେ ତ ବିଲରୁ ଚାରି ଚାରି ହାତ ଚିଲା ମାରି ରଡ଼ି ଛାଡ଼ି ଧାଇଁଛନ୍ତି। ଲୁଟା କେଉଁଠି ପଡ଼ିଲାଣି। ଲୁଗା ଖଣ୍ଡ ପଡ଼ିଥା’ନ୍ତା, ହାତରେ ଜାବୁଡ଼ି ଧରିଛନ୍ତି, ହେଲେ ଅଧା ଲଙ୍ଗଳା, “ରେ ଅଳପାଇସିଆ ରେ! ରେ ସର୍ବନାସିଆ ଅନ୍ତା ରେ! ମାରି ପକାଇଲା ରେ।” ଯେମିତି ଚାଟଶାଳୀରେ ପହୁଞ୍ଚିଗଲେ, ଧରିଲେ ବେତ – “କାହିଁ ଅନ୍ତା?” ଆଉ ଅନ୍ତା! ଅନ୍ତା ଅନ୍ତର୍ଦ୍ଧାନ।

ଅବଧାନେ ଚାଟଶାଳୀର ଏ ମୁଣ୍ଡ ସେ ମୁଣ୍ଡ ଗଡ଼ାଗଡ଼ି କରୁଛନ୍ତି, ପାଣି ପାଣି ରଡ଼ି ଛାଡ଼ିଲେ। ଗୋଟିଏ ପିଲା ଧାଇଁ ଯାଇ ତାଙ୍କ ରୋଷାଇଘର ମାଠିଆରୁ କଂସାଏ ପାଣି ଆଣି ଦେଲା। ସେହି ପାଣିରେ ହାତ ଧୋଇ ପକାଇ ଯେମିତି ଗୋଟାଏ କୁଳକୁଞ୍ଚା କରିଛନ୍ତି, କଂସାଖଣ୍ଡ ପାଞ୍ଚହାତ ଦୂରକୁ ଫୋପାଡ଼ି ଦେଇ - ‘ବୋପା ଲୋ! ମା’ ଲୋ!’ ବୋଲି କହି ଗଡ଼ିଲେ। ଆଉ ରଡ଼ି କରି ପାରୁ ନାହାନ୍ତି, ଖାଲି ଗଁ ଗଁ ଗର୍ଜ୍ଜୁଛନ୍ତି। ମୁହଁ ଭାରି ଫୁଲିଗଲାଣି – ଆଖିପତା ଫୁଲିଯାଇ ମାଡ଼ି ପଡ଼ିଲାଣି – ଆଖିକୁ ଦିଶୁ ନାହିଁ। ଗାଁ ଲୋକେ ଉଜାଡ଼ି ପଡ଼ିଲେ। ‘କ’ଣ ହେଲା, କ’ଣ ହେଲା’ କହି ଦି’ ଚାରି ଜଣ ଅବଧାନଙ୍କୁ ଧରି ପାଣିରେ ପକାଇଲେ। ସଞ୍ଜବେଳ ସରିକି ଅବଧାନଙ୍କୁ ବଡ଼ ଶୀତ ଲାଗିଲା। ପାଣିରୁ ଛାଙ୍କି ଆଣି ପାଏ ଖସା ତେଲ ଅବଧାନଙ୍କ ଦେହଯାକ ଘଷିଲେ। ତେତେବେଳେ ଅବଧାନଙ୍କ ପାଟିରୁ କଥା ବାହାରିଲା। ହେଲେ, ମୁହଁଟା ଆଟିକା ପରି ଫୁଲିଯାଇଛି। ଭଲ କରି କଥା କହି ପାରୁ ନାହାନ୍ତି। ଅବଧାନେ ଜଣାଇଲେ, ‘ଭାରି ଭୋକ।’ ଆଉ ତ କିଛି ଖାଇ ପାରିବେ ନାହିଁ। ଗାଁ’ ଲୋକେ ଅଧସେରଟାଏ ଗରମ ଦୁଧ ଆଣି ଦେଲେ। ଢୋକେ ଢୋକେ କରି ତେତକ ପିଇ ଦେଇ ଅବଧାନେ ଟିକିଏ ସାଷ୍ଟମ ହୋଇ ବସିଲେ। ଥଣ୍ଡା ପଡ଼ିଗଲା – ଖସା ତେଲରେ ବାଇଡଙ୍କ ବିଷ ହରେ! ଅବଧାନେ ଟିକିଏ ସାଷ୍ଟମ ହେଲେଣି। ଗାଁ’ର ସବୁ ଲୋକେ ଜମା ହୋଇଥିଲେ। ପୁରୁଣା ପାଞ୍ଚଜଣ ଲୋକ ତନଖି କରିବାକୁ ବସିଗଲେ। ‘କଥା କ’ଣ? – କ୍ୟାଁ ଅବଧାନେ ଏପରି ହେଲେ?’ ପ୍ରତ୍ୟକ୍ଷ ଏବଂ ପାର୍ଶ୍ବବର୍ତ୍ତୀ ପ୍ରମାଣ ଏବଂ ଅବଧାନଙ୍କର ପୂର୍ବ ବ୍ୟବହାର ଆଲୋଚନା କରିବାରେ ସାଫ୍ ଜଣାଗଲା, ଏଟା ରାଣ୍ଡିପୁଅ ଅନନ୍ତାର କାମ। ସାଫ୍ ପ୍ରକାଶ ପାଇଲା କି, ଅବଧାନେ ଯେ ବିଛୁଆତି ଛଡ଼ିରେ ପିଟିଥିଲେ, ତା ମନରେ ଥିଲା ରାଗ। ଆଜି ସକାଳେ ଯେମିତି ଅବଧାନେ ଟୁକୁଣାଏ ପାଣି ଆଣିବାକୁ କହିଲେ, ସେ ପୋଖରୀକୁ ଟୁକୁଣା ଘେନି ଯାଏ ଅଧଟୁକୁଣେ ଅଠାଳିଆ କାଦ ଭର୍ତ୍ତି କଲା। ଲୋକେ ଦେଖିଛନ୍ତି, ପୋଖରୀ ଅଡ଼ି ବଣ ଉପରେ ଯେ ବାଇଡଙ୍କ ଲତା ମାଡ଼ିଛି ସେଥିରୁ ଦୁଇପୁଞ୍ଜା ଫଳ ଆଣି ଖପରାକାତି ଖଣ୍ଡକର ଆଁଶୁ