ପୃଷ୍ଠା:Galpa swalpa.djvu/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ

ସବୁ ଚାଞ୍ଛିଛି। ଟୁକୁଣାରେ ଅଧେ ଆଁଶୁ ମିଶାଏ ଦେଇ ଆଉ ଗୁଡ଼ାଏ ପତ୍ର ଖଣ୍ଡରେ ପୋଟଳା କରି ଅଣ୍ଟିରେ ଖୋସିଥିଲା। ଅବଧାନେ ଯେମିତି ପଦା ଆଡ଼େ ଯାଇଛନ୍ତି, ତାଙ୍କ ରନ୍ଧାଘରେ ଯେଉଁ ପାଣି କୁମ୍ଭେ ଥିଲା ସେଥିରେ ତାହା ମିଶାଇ ଦେଇ ପଳାଇ ଯାଇଛି। ଅବଧାନଙ୍କ ମନରେ ତ ଥିଲା ରାଗ। ବେତ ଧରି ଉଠି ପଡ଼ିଲେ, “ମୁଁ ଆଜି ରାଣ୍ଡିପୁଅ ଅନ୍ତାକୁ ଦେଖିବି।” ବାହାରିଲେ ଅନ୍ତା ଦୁଆରକୁ। ଗାଁ ଲୋକ ସମସ୍ତେ ମନା କରୁଛନ୍ତି – ରାଗବେଳେ ମଣିଷର ଥାନ ଜ୍ଞାନ ଥାଏ ନାହିଁ। ଖଣ୍ଡେ ବାଟରୁ ଡାକିଛନ୍ତି, “ଲୋ ଦେବକୀ ଗଉଡ଼ୁଣି! ଲୋ ଦେବକୀ ଗଉଡ଼ୁଣି! ସେ ରାଣ୍ଡିପୁଅ ଅନ୍ତା ଅଳପାଇସିଆ କାହିଁ।” ସିଂହାଣୀ ସେତେବେଳକୁ ସବୁ କଥା ଶୁଣିଲେଣି। ପୁଅକୁ ଘର ଭିତରେ ଲୁଚାଇ ଦେଇ ଦାଣ୍ଡପଣ୍ଡାରେ ବସିଥିଲେ । ଅବଧାନ କଥା କାନରେ ଯେମିତି ପଡ଼ିଛି, ଘର ଭିତରୁ ବାହାର କଲେ ସେଇ ମଇଁଷିମଣା ଠେଙ୍ଗା। କୁହାଟଟାଏ ମାରି ଡାକି ଦେଲେ, “ଆରେ ଅଳପାଇସିଆ! ମାହାନ୍ତି ଗୋଲାମ! ଡାକୁଣିଖିଆ, ନଈଶୁଆ! ମୋ ଗିରସ୍ତ ଥିଲା ସାଇବର ଜମାଦାର – ମୁଁ ସିଂହାଣୀ – ମୋତେ କହିବୁ ଦେବକୀ ଗଉଡ଼ୁଣୀ? ମୋ’ ପୁଅକୁ କହିବୁ ଅଳପାଇସିଆ? କିରେ ତୋତେ କିସ ଲାଗିଲାଣି କି? ରହ ତ ମାହାନ୍ତି ଟୋକାକୁ ଦେଖେଁ।” ସିଂହାଣୀ ମୁଣ୍ଡରେ ଲୁଗା ନାହିଁ – ଡେମ୍ଫେ ଡେମ୍ଫେ କେତେ କେରା କଞ୍ଚା ପାକଲା ବାଳ ଫରଫର ଉଡ଼ୁଛି। କାନ୍ଧରେ ଠେଙ୍ଗା। ସେହି ବିକଟାଳ ରଡ଼ି ଶୁଣି ଅବଧାନଙ୍କର ତ ପିଳୋହି ପାଣି ହେଲାଣି! ସିଂହାଣୀର ଦେହବଳ ଅବଧାନଙ୍କୁ ଭଲ ଜଣା। ଦିନେ କ’ଣ ହେଲା କି ସକାଳ ଓଳିଆ ସିଂହାଣୀ ଗାଁ’କୁ ନଈବନ୍ଧ ଉପର ବାଟେ ଦହି ବିକି ଯାଉଛି। ତେତିକିବେଳେ ବିନୋଦବିହାରି ମନ୍ଦିର ମାରଣା ଷଣ୍ଢଟା ବିନ୍ଧିବାକୁ ତଡ଼ି ଆସିଲା। ସିଂହାଣୀ ଗୁମ୍ କରି ଛିଡ଼ା ହୋଇ ଯାଇ ଧରିଲା ଷଣ୍ଢ ଶିଙ୍ଗ। ମୁଣ୍ଡ ଉପର ପସରାରେ ତିନି ମାଠିଆ ଘୋଳ, ତାକୁ ଧରିବାକୁ ନାହିଁ। ଷଣ୍ଢ ଶିଙ୍ଗ ଧରି କଡ଼େଇ କଡ଼େଇ ବନ୍ଧଧାରକୁ ଘେନିଗଲା। ଯେମିତି ପେଲିଦେଇ ଶିଙ୍ଗ ଛାଡ଼ି ଦେଇଛି ଷଣ୍ଢ ତ ପୁଟୁଳି ପରି ଗଡ଼ି ଗଡ଼ି ଯାଇ ନଈ ଭିତରେ ପଡ଼ିଲା। ସେହିଦିନରୁ ଷଣ୍ଢ ଛୋଟା, ମାରଣାପଣିଆ ଛାଡ଼ିଲାଣି। ଏଟା ଅବଧାନଙ୍କ ଆଖି ଦେଖିବା କଥା। ଭୟରେ ଅବଧାନଙ୍କ ପଳାୟନ। ବାଘୁଣୀ ମୃଗକୁ ଗୋଡ଼ାଇଲେ ସେ ଯେମିତି ପଳାଏ, ଅବଧାନେ ସେହିପର୍ ପଡ଼ି ଉଠି ଧାଇଁଛନ୍ତି। ଆଣ୍ଠୁ ଗଣ୍ଠି ଛିଡ଼ି ଝର୍ ଝର୍ ରକ୍ତ ବହୁଛି। ସିଂହାଣୀ କାନ୍ଧରେ ଠେଙ୍ଗା, ଭାଲୁକାଣୀ ପରି ଅବଧାନ ପଛରେ ଧପ୍ ଧପ୍ କରି ଧାଇଁଛନ୍ତି। ଧାଇଁବା ବେଳେ ସେହି ବିଶାଳ ପେଟଟି ଦଲ୍ ଦଲ୍ ଶୁଭୁଛି। ହାତରେ ସେ ପିତଳବାହି ବଳାଗୁଡ଼ାକ ପାଏ ବାଟ ଯାଇଁ ଝମ୍ ଝମ୍ ଶୁଭୁଛି। ସିଂହାଣୀଙ୍କର ସେହି ରଡ଼ିରେ ଗାଁ’ କମ୍ପି ଯାଉଛି। ଅବଧାନେ ଗାଁ’ ମଝିରେ କେଉଁଠି ଅନ୍ଧାରରେ ମିଶିଗଲେ। ସିଂହାଣୀ ଡାକିଦେଲା, “ଆରେ କାଠଖିଆ ମାହାନ୍ତି ଗୋଲାମ! ମୋ’ ପୁଅକୁ କୁଆଡ଼େ ଲୁଚାଇଛୁ ଆଣି ଦେ। ଜାଣିଥା’ କାଲି ସକାଳେ ପିତଳବାହିରେ ତୋ ମୁଣ୍ଡ ଚୂନା କରିବି।” ହେଲେ ଅବଧାନଙ୍କୁ ତହିଁ ଆରଦିନ ସକାଳଠାରୁ କେହି କେବେ ସେ ଗାଁ’ରେ ଆଉ ଦେଖି ନାହିଁ।

ଆହୁରି ବି ପାଞ୍ଚ ଛ ବରଷ ଗଲାଣି, ଅନ୍ତା ଲାଗି ଗାଁ’ର ଅନେକ ଲୋକ ଅସ୍ଥିର। ତାର ଆଉ କିଛି ଅତ୍ୟାଚାର ନାହିଁ। ଖାଲି କାହାରି ବାଡ଼ିରେ ମକା, କାକୁଡ଼ି, କୋଳି, ଆମ୍ବ, ବେଲ କିଛି ରହିବ ନାହିଁ, ଆଉ ସୁନା ରୂପା ପଡ଼ିଥାଉ ଅନାଇବ ନାହିଁ। ହେଲେ ସେ ଯେପରି ଉତ୍ପାତିଆ, ସେହିପରି ବି ଭଲ ଲୋକ। ତାକୁ ରଗାଇଲେ ରକ୍ଷା ନାହିଁ। ସେ ଆଗେ ଦୁଷ୍ମନ୍ ଘରର ଖୁମ୍ବ ଆଉ କବାଟ ଭାଙ୍ଗେ। ମା’ ମନା କରିଛି କାହାରି ଦେହରେ ହାତ ଦିଏ ନାହିଁ! ଏଣେ ସାକୁଲା ସାକୁଲି ଟେକା ଟେକି କରି ତାକୁ ଦି’ କଥା କୁହ, ତୁମ