ପୃଷ୍ଠା:Galpa swalpa.djvu/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗଳ୍ପ ସ୍ୱଳ୍ପ

ଗୁହ କାଢ଼ିବ। କାହାରି ବାଡ଼ି ହଣା ଯାଉଛି ଅନ୍ତା ସେଠି ଦେଖୁଥିଲା – ତାକୁ ଯଦି କହିବ, “ବାପ ଅନ୍ତୁ। ତୁ ନ ହେଲେ କାହାର ଗାଁ’ ଚଳିବ?” ଆଉ କିଛି କଥା ନାହିଁ, ଧଇଲା କୋଡ଼ି। ଚାରି ଜଣ ମଣିଷ ଦିନକେ ଯାହା ପାରିବେ ନାହିଁ, ପହରକ ଭିତରେ ଫୁଟେ ଗହୀରରେ ବାଡ଼ିଟାକୁ ତାଡ଼ି ପକାଇବ। ମୁଲିଆ ମିଳୁ ନାହିଁ, କାହାର ଘର ଛପରବନ୍ଦି ହୋଇ ପାରିଲା ନାହିଁ, ଧଇଲା ଅନ୍ତାକୁ – ସାକୁଲାସାକୁଲି କରି କହିଲେ, ଦିନେ ଲାଗୁ, ଦି ଦିନ ଲାଗୁ ସେ ଏକଲା ଗୋଟାଏ ଘର ଛାଇ ପକାଇବ। ରାମା ଭିଣାର ବାପ ମରି ଘରେ ପଡ଼ିଛି। ବାଡ଼ିରେ ମରିଛି ବୋଲି ତାକୁ କେହି ଉଠାଇବାକୁ ଆସିଲେ ନାହିଁ। ଅନ୍ତୁ ରାତି ଛ ଘଡ଼ି ବେଳେ ଗାଁ’ ପାଖ ଦେଇ ଯାଉଥିଲା, ତାକୁ ସବୁ କହିଲା। ଆଉ କିଛି କଥା ନାହିଁ, ଏକଲା ହେଁସମିଶା କରି ମଡ଼ାକୁ କାନ୍ଧେଇଲା। ଅନ୍ଧାର ରାତି। ସେହି ସମୟରେ ବି ଗାଁ’ରେ ବାଡ଼ି ପଡ଼ିଛି। ଅଧକୋଶ୍ ଦୂରରେ ମଡ଼ାମଶାଣିରେ ମଡ଼ାଟାକୁ ଫୋପାଡ଼ି ଦେଇ ନଈରେ ବୁଡ଼ିପଡ଼ି ବାହାରି ଅଇଲା। ଅନ୍ତା ବାଘ, ଭାଲୁ, ଭୂତ ପ୍ରେତ, ସାପ, ବେଙ୍ଗ କାହାକୁ ଡରେ ନାହିଁ। ଅନ୍ତା ଲୋକଙ୍କ ବାଡ଼ିରୁ ଫଳକନ୍ଦ ଲୁଟିପାଟି ଖାଇବ; ହେଲେ ତାକୁ କିଛି ଖାଇବାକୁ ଯାଚ, ରାଗି ଘରଦୁଆର ଭାଙ୍ଗିବ।

ବିନ୍ଦିଆ ଚନ୍ଦ ଜଣେ ତନ୍ତୀ ମହାଜନ। ଆଠ ଦଶ ହଜାର ଗଣିଦେବା ଲୋକ। ଲୁଗା କାରବାର କରେ। ଗୋଟାଏ ବଡ଼ ଦୋକାନଘର ତିଆରି କରୁଛି। ଚାରି ଆଡ଼େ ଖୁଣ୍ଟ ପଡ଼ି ଚଉକ ବୁଲି ଗଲାଣି। ମଝି ଖମ୍ବ ଯୋଡ଼ାକ ଅଠର ହାତ। ଭାରୀ ମୋଟା ଶାଳଗଅଳ। ଦଶଜଣ ଲୋକ କଷାକଷି କରି ମଝି ଖମ୍ବ ଛିଡ଼ା କରି ପାରୁ ନାହାନ୍ତି। ଜଣେ ହସି ହସି କହିଲା, “ଆମେ ଏତେ ପାରୁ ନାହୁଁ, ରାଣ୍ଡିପୁଅ ଅନ୍ତା ହେଲେ ଏକଲା ଖମ୍ବଯୋଡ଼ାକ ଛିଡ଼ା କରିଦିଅନ୍ତା।” ଘଟଣା ଦେଖ, ତେତିକିବେଳେ ଅନ୍ତା ଦାଣ୍ଡରେ ଯାଉଥିଲା। ବିନ୍ଦିଆ ତନ୍ତୀ ଡାକିଦେଲା; “ଆରେ ଅନ୍ତା! ଏ ଯୋଡ଼ାଏ ଖମ୍ବ ଉଠାଇ ଦେ, ତୋତେ ଦି ଟଙ୍କା ଖଜାଖିଆ ଦେବି।” ଆଉ ଯାଏ କାହିଁ? “ହଁ ରେ ଶଳା ତନ୍ତୀ! ମୁଁ ତୋର ଗୋଲାମ? ତୋର ମୂଲ ଲାଗିବି?” ଧାଇଁଲା ମାରିବାକୁ। ତନ୍ତୀ ତ ଡରରେ କୁଆଡ଼େ ପଳାଇଲାଣି। ଦଶଜଣଲୋକ କୋଡ଼ିଏ ଦିନ କାମ କରି ଯେତେ ଖମ୍ବ ପୋତି ଛିଡ଼ା କରାଇଥିଲେ, ସବୁଗୁଡ଼ାକ ଘଣ୍ଟାକ ଭିତରେ ଉପାଡ଼ି ପକାଇଲା। ହେଲେ, ଜଣାଶୁଣା ଲୋକେ ଅନ୍ତାଠାରୁ ଢେର କାମ କରାଇ ନିଅନ୍ତି। ରୋଜି ରୋଜି କାହାରି ହେଲେ କିଛି ପାଇଟି କରି ଦେଇ ଆସେ। ବିନ୍ଦିଆ ତନ୍ତୀ ଗାଁ’ର ଭଲଲୋକ ପାଖରେ ଅନନ୍ତା ନାମରେ ଗୁହାରି କରି ଓଲ୍ଟା ଗାଳି ଶୁଣିଲା।

ବିନୋଦରାଏପୁର ଭାର୍ଗବୀନଦୀର ଉତ୍ତର କୂଳରେ। ନଦୀ ଗର୍ଭଠାରୁ ଗାଁ’ଟା ଅତି ଅଳ୍ପ ଉଞ୍ଚା। ବଢ଼ିପାଣିରୁ ଗାଁ’ ରକ୍ଷା ନିମନ୍ତେ ସରକାର ବାହାଦୁର ଗୋପାଳପୁର କତିରୁ ରାମନଗର ଯାଏଁ ଅଠର ମାଇଲ ଲମ୍ବା କୋଡ଼ିଏ ହାତ ଓସାର ଦଶ ହାତ ଉଞ୍ଚା ଗୋଟାଏ କୂଳବନ୍ଧ ପକାଇଛନ୍ତି। ସେ ବନ୍ଧ ଯୋଗୁ ନଈକୂଳିଆ ଢେର ଗାଁ’ ଆଉ ବିଲବାଡ଼ି ରକ୍ଷା ପାଏ। ବିନୋଦରାଏପୁର ଗୋଟିଏ ବଡ଼ ଧନବନ୍ତ ଗାଁ’। ଗାଁ’ ତଳେ କଳିନ୍ଦବିଲ ଢେର। ଗାଁ’ରେ ପ୍ରାୟ ଦୁଇଶ ଘର ବସ୍ତି। ସମସ୍ତେ ଥିଲା ଲୋକ। କେହି କାକୁ ଆଦୁର୍ଯ୍ୟା ହୁଏ ନାହିଁ। ସରକାରୀ ବଡ଼ ବଡ଼ ଅମଲା, ସ୍କୁଲ ମାଷ୍ଟର, କାରବାରିଆ, ମହାଜନ, କଲକତିଆ ଚାକିରିଆ ଢେର।

ଅଶିଣ ମାସ। ଦୂର୍ଗାପୂଜା ସମୟ। ବିଦେଶିଆ ସବୁ ଘରକୁ ଆସିଛନ୍ତି। ନାଚ ତାମସା, ଖିଆ ପିଆ ଦିନ ରାତି ଲାଗିଛି। ଗାଁ’ଟା ଆନନ୍ଦରେ ଭାସୁଛି। ଫି ବର୍ଷ