ପୃଷ୍ଠା:Galpa swalpa.djvu/୩୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


ପାଟି କଲା, “ପକାଅ ମାଟି ପକାଅ ମାଟି।” କେବଳ ଡାକୁଛ୍, “ପକାଅ ମାଟି, ପକାଅ ମାଟି, ପକାଅ ମାଟି।” କବାଟ ଦୁଇ ପାଖରୁ ଶ’ ଶ’ ମାଟି ଝୁପ୍ ଝୁପ୍ ପଡୁଛି, ଅନ୍ତା ଛାତି ଯାଏଁ ମାଟି ହେଲାଣି, ଡାକୁଛି ଅନ୍ତା, ବେକ ପୋତି ଗଲାଣି; ସେଥିକି ତାର ନଜର ନାହିଁ। ଯେତେବେଳେ ଓଠ କତିରେ ମାଟି ପଡ଼ିଲା – ଦୁଇଥର ଡାକି ଦେଲା, “ହରିବୋଲ, ଦିଅ, ମାଟି ପକାଅ।” ଆଉ ଅନ୍ତା ପାଟି ଶୁଭିଲା ନାହିଁ। ମାଟି ସେହିପରି ପଡ଼ୁଛି। ପାଣି ସୁଅଟା ବନ୍ଦ ହୋଇଗଲା। ଲୋକମାନଙ୍କର ଭରସା ହେଲା, ଟିକିଏ ନିଶ୍ବାସ ପକାଇଲେ। ତେତେବେଳେ ଖୋଜିଲେ, ‘ଅନ୍ତା କାହିଁ? ଆଉ ଅନ୍ତା? ତା’ ମୁଣ୍ଡ ଉପରେ ଦି ହାତ ମାଟି। ଡାକ ପଡ଼ିଗଲା “ଧନ୍ୟ ଧନ୍ୟ ରାଣ୍ଡିପୁଅ ଅନ୍ତା!” ଦଇବ ଯୋଗେ କ’ଣ ହେଲା କି ବର୍ଷା ବନ୍ଦ। ନଈରୁ ଫୁଟେ ପାଣି ଖସି ପଡ଼ିଲାଣି। ଅନ୍ତା ମା’ ପିଣ୍ଡାରେ ବସିଥିଲା। ହୁରି ଆନନ୍ଦ ଶୁଣି କହିଲା, “କ’ଣ ହେଲା ଦେଖେଁ? ପୁଅଟା ବି ଆସିଲା ନାହିଁ, ଡାକି ଆଣେ।” ତା’ ସ୍ବାମୀର ଠେଙ୍ଗା କାନ୍ଧରେ ପକାଇଲା। ଘର ଦୁଆରଟା କିଳି ଦେଇ ବାହାରିଲା। ଯେମିତି ଦାଣ୍ଡରେ ଯାଉଛି – ଶୁଣିଲା ଯେ ସମସ୍ତେ କହୁଛନ୍ତି, ଧନ୍ୟ ଧନ୍ୟ ଅନ୍ତା!” ସମସ୍ତେ ତା’ ଗୋଡ଼ ତଳେ ପଡ଼ି କହୁଛନ୍ତି, ଧନ୍ୟ ଧନ୍ୟ ତୋ ପୁଅ!” ସିଂହାଣୀ ସଳଖେ ସଳଖେ ତୁଠ କତିକୁ ଚାଲିଗଲା। ସବୁ ଶୁଣିଲା, କାହାକୁ କିଛି କହିଲା ନାହିଁ। ବନ୍ଧ ଚାରିପାଖ ବୁଲି ଦେଖିଲା। ବନ୍ଧ ମଝିକୁ ଅନାଇଛି, ଚାରିପାଖ ବୁଲୁଛି। ତୁଠ ମଝିକୁ ନଜର ଅଛ୍; ନଈ ଆଡ଼କୁ ପିଠି। ବନ୍ଧ ତଳେ ଯେ ଦଶ ହାତ ପାଣି ତାକୁ ତ ସେ କଥା ଅଜଣା। ଯେମିତି ନଈ ଆଡ଼କୁ ବୁଲି ଯାଇଛି, ଧପାସ୍ କରି ଗୋଟାଏ ଶବ୍ଦ ହେଲା। ‘ହାଁ କ’ଣ ହେଲା’ କହି ଲୋକମାନେ ଦି’ଟା ଚାରିଟା ମଶାଲ ଆଲୁଅ ନଈକୁ ଦେଖାଇଲେ।କୂଳଠାରୁ ପାଞ୍ଚ ହାତ ଦୂରରେ ପାଣି ଭିତରେ ଗୋଟାଏ ଗାତରେ ମେଞ୍ଚାଏ ଫେଣ ଭଉଁରୀଟିଏ ବୁଲୁଛି, ଦଶ ହାତ ତଳକୁ ଖଣ୍ଡିଏ ବାଉଁଶ ବାଡ଼ି ଭାସି ଯାଉଛି।

ଗାରୁଡ଼ି ମନ୍ତ୍ର

ଏହିଟା ହେଲା ତିରିଶ ଚାଳିଶ ବର୍ଷ ତଳର କଥା । କଟକରେ କଲେଜ ନୂଆ ବସିଛି, ଏଫ୍.ଏ କ୍ଲାସ୍ ପର୍ଯ୍ୟନ୍ତ ପଢ଼ା ହୁଏ । ଉପର କ୍ଲାସରେ ଗୋଟି ପନ୍ଦର ଷୋଳ ଛାତ୍ର । ସେଥିମଧ୍ୟରୁ ଦଶଗୋଟି ମଫସଲିଆ, ସହର ଭିତରେ ନାନା ଜାଗାରେ ବସା କରି ରହିଛନ୍ତି । ସେତେବେଳେ କଲେଜରେ ବୋର୍ଡ଼ିଂ ନ ଥିଲା। କଟକ ଚୌଦୁରୀ ବଜାର ଭିତରେ ଗୋଟିଏ ସାଦା ଦୋମହଲା କୋଠାରେ ବସା – ଛାତ୍ରଟିର ନାମ ମଦନମୋହନ। ନାମଟି ପରି ପିଲାଟି ଦେଖିବାକୁ ମଧ୍ୟ ମଦନମୋହନ, ବୟସ ଜଣାଯାଏ ଷୋଳ ସତର ଭିତରେ। ବସାରେ ପୂଜାହାରୀ, ଗୋଟିଏ ଭଣ୍ଡାରୀ, ଆଉ ସା’ନ୍ତ ଏହି ତିନୋଟି ଲୋକ। ହେଲେ କ’ଣ, କେହି ଭାର କାନ୍ଧେଇ, କେହି ବୋଝ ମୁଣ୍ଡେଇ, କେହି ତୁଚ୍ଛା ହାତରେ ରୋଜିନା ଦୁଇ ତିନି ଜଣ ଧୂଳିଗୋଡ଼ିଆ ଲୋକ ଯା’ ଆସ କରନ୍ତି। ଦିନେ ବୋଲି ଉପୁରି ଲୋକର ଛୁଟଣ ନାହିଁ। ଜିନିସପତ୍ର ଧରି ଉପୁରିଲୋକଙ୍କ ଯା’ ଆସ କରିବାର ଦେଖି ବସା ଆଖପାଖ ଦୋକାନିଏ ବୁଝିଲେଣି, ଏହି ବାବୁ ପିଲାଟି ମଫସଲର କୌଣସି ଜମିଦାର ଘରର ପୁଅ ହେବ। ଢେର ଦିନ ପାଖରେ ଥିବା ଲୋକର ପରିଚୟ ଜାଣିବା ପାଇଁ ଲୋକଙ୍କର ସହଜରେ ଇଚ୍ଛା ବଳେ – ତା’ ଉପରେ ପୁଣି ବଡ଼ଲୋକ ହେଲେ ଲୋକେ ଆଗେ ପରିଚୟ ଖୋଜି ବସନ୍ତି। ପାଖଲୋକ ସମସ୍ତେ ଜାଣିଗଲେଣି ପିଲାଟି