ବଡ଼ନଈ ପରଗନାର ଶାଳପାଳ ତାଲୁକର ଜମିଦାର ଗୋଲାପଲୋଚନ ପଟ୍ଟନାୟନଙ୍କ ପୁଅ । ଏହା ମଧ୍ୟ ଜଣାଗଲାଣି, ଜମିଦାରଙ୍କର ଏହି ଗୋଟିଏ ବୋଲି ପୁଅ । ପୃଥିବୀରେ ଯେତେ ପ୍ରକାର ହତଭାଗ୍ୟ ଲୋକ ଅଛନ୍ତି, ସେମାନଙ୍କର ଯଦି ଶ୍ରେଣୀବିଭାଗ କରାଯାଏ, ଏକପୁଅ ବାପ ମା ନିଶ୍ଚୟ ପ୍ରଥମ ଶ୍ରେଣୀର ପ୍ରଥମରେ ପଡ଼ିବେ – ଏକଥା ଲେଖକ ତମ୍ବା ତୁଳସୀ ଶାଳଗ୍ରାମ ଛୁଇଁ ଦୃଢ଼ରୂପେ ବୋଲିବାକୁ ପ୍ରସ୍ତୁତ ଅଛି । ପୁଅ ଖାଇ ନାହିଁ, ବାପ ମା’ଙ୍କର ଉପାସ – ପୁଅଟିର ବେରାମ, ଆଖିରେ ନିଦ ନାହିଁ, ପେଟରେ ଭୋକ ନାହିଁ । ଦିନରାତି ବିଛଣା ପାକରେ ଜଗି ବସିଛନ୍ତି । ପୁଅଟି କାହିଁରେ ସୁଖରେ ରହିବ, ଦିନ ରାତି ଭାବନା । ଆପଣାର ତିନିସିଆଁ ଲୁଗା, ପୁଅ ସକାଶେ ଜଥା କିଣା ଲାଗିଛି । ଦେହର ରକ୍ତ ପରି ଟଙ୍କାଗୁଡ଼ିକ ପୁଅ ପାଇଁ ଅକାରଣ ବା ସକାରଣ ପାଣି ପରି ଖରଚ କରିବାକୁ ଟିକିଏ ହେଲେ ହାଲିଆ ହୋଇ ପଡ଼ିବେ ନାହିଁ । ପରକାଳ ଗତି ପାଇଁ ପ୍ରଭୁଙ୍କ ନାମ ଗୁଣିବାକୁ ବି ବେଳ ମିଳେ ନାହିଁ । ବାପ ମା'ଙ୍କ ପିଣ୍ଡରେ ଅଛି ପ୍ରାଣ - ମନ ରହିଛି ପୁଅ ପାଖରେ । ରୋଜିନା ପୁଅ ଦେହପା'ର ମଙ୍ଗଳ ବାତିନ ନ ପାଇଲେ ସାଆନ୍ତାଣୀ ଅଥୟ ହୋଇପଡ଼ନ୍ତି । କଟକ ସହର ଦୋକାନର ଚାଉଳଗୁଡାକ ପାଣିପଶା, ବାଲିଗୋଡି ମିଶା, ମଳୁଖିଆ । ସାନ୍ତାଣୀ ଉଆସ ମଧ୍ୟରେ ପୋଇଲୀମାନଙ୍କୁ ଲଗାଇ ଉଆଖିଆ ସରୁ ଉରିଆ କୁଟାଇ ବାହୁଙ୍ଗୀ ବେଠିଆରେ କଟକ ପଠାଇ ଦେଲେ । ତୋଟାରୁ ପାଚଲା କଦଳୀ କାନ୍ଦିଏ ଅଇଲା । ମା ମନ କେତେକେ ବୁଝେ, ଆଗରୁ ହାଣ୍ଡିଏ ଫୁଲବଡି ପରା ହୋଇଥିଲା - ସବୁ କଟକକୁ ଘେନି ଯା । ଆଜି ପଠାଇବାକୁ କିଛି ନାହିଁ । ତୁଚ୍ଛା ହାତରେ ହେଲେ ଜଣେ ନଗଦୀ ପାଇକ ଧାଇଁଯାଇ ପୁଅକୁ ଦେଖି ଆସୁ । ରୋଜିନା ଏହିପରି ଚାଲିଛି ।
ଜମିଦାର ଗୋଲାପଲୋଚନ ପଟ୍ଟନାୟକେ ଆପେ ପାଠୁଆ ନ ହେଲେ କଣ ହେଲା, ପାଠର ମର୍ଯ୍ୟାଦା ବୁଝନ୍ତି, ଏଥି ସକାଶେ ସେ ଆଖି କାନ ବୁଜି ଇଂରାଜୀ ପାଠ ପଢିବା ସକାଶେ ପୁଅକୁ ବିଦେଶକୁ ପଠାଇ ଦେଇଛନ୍ତି । ମଦନ ଉଛୁଣିକା କଲେଜର ସବା ଉପର କ୍ଲାସରେ ପଢେ । କଲେଜ ପଢା ବହି ଛାଡି ବାହାର ବହି ଢେର ପଢିଗଲାଣି । ଭେଣ୍ଡିଆମାନେ ଉପନ୍ୟାସ ପଢିବାକୁ ସୁଖ ମଣନ୍ତି । ମଦନ ବି ଢେରଗୁଡାଏ ଉପନ୍ୟାସ ପଢିଗଲାଣି । ମଦନ ପିଲାଟା ଖୁବ୍ ଗମ୍ଭୀର, ମନମରା ଲୋକ । ହେଲେ କଣ,
"ଯୋଗୀକା ରୋଗୀକା ଭୋଗୀକା ନିଶାନ ଆଁଖସେ ଜାନ ଅଉର ଆଁଖସେ ପଇଛାନ ।"
ପାଟି ଫିଟାଇ ନ କହୁ, ମଣିଷ ମନର କଥା ଆଖିରୁ ଧରା ପଡେ । ଦେଖା ଗଲାଣି, ମଦନ ଉପନ୍ୟାସ ବହିଖଣ୍ଡ ଧରି ଏକଧ୍ୟାନର ଭକ୍ ଭକ୍ କରି ଉପରକୁ ଅନାଇ ଢେର ବେଳ ଯାଏଁ କ'ଣ ଭାବେ । ସଞ୍ଜବେଳେ ନଈକୂଳରେ ବସି ଏହିପରି ଭାବୁଥିବାର ଦେଖାଯାଏ । ମଦନ ସାଙ୍ଗ ପଢୁଆ ହୃଦୟର ବନ୍ଧୁ ଗୋକୁଳି ବାବୁ ମଦନର ଏହିପରି ଭାବ ଦେଖି ପଚାରିଲାଣି, "ମଦନ ! ଏପରି ବସି କଣ ଗୋଟାଏ ଭାବୁ ରେ ?" ବନ୍ଧୁ ମନର କଥା ଫେଇ କହିଲେ ମନ ଟିକିଏ ହାଲୁକା ହୁଏ । ଦିନେ ମଦନ ହଠାତ୍ କହି ପକାଇଲା, "ଗୋକୁଳି ! ଏହି ଉପନ୍ୟାସ ଖଣ୍ଡ ପଢିଲ, ନାୟକ ନାୟିକାଙ୍କର କେମନ୍ତ ମଧୁର ପ୍ରଣୟ ପଢିଲ !" ଗୋକୁଳି ହସି ହସି କହିଲେ, "ଓହୋ ! ବୁଝିଛି, ତୁମେ ଏହିପରି ନାୟିକାଟିଏ ଖୋଜୁଛ ପରା ?" ଦୁଇ ବନ୍ଧୁ ଖୁବ୍ ହସାହସି ହେଲେ।
ମନୁଷ୍ୟ କୌଣସି କାର୍ଯ୍ୟରେ ଲାଗିପଡିବା ଆଗେ ତାହା ମନରେ ତିନୋଟି ଅବସ୍ଥା ଘଟେ । ପ୍ରଥମେ ଅନୁଭୂତି, ଦ୍ୱିତୀୟ ଭାବନା, ତୃତୀୟ ଇଚ୍ଛା । ଗୀତାକାର