ପୃଷ୍ଠା:Galpa swalpa.djvu/୩୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


ମଦନ, ବାପା ସାନ୍ତ ମୋତେ ପଠାଇଛନ୍ତି, ତୋତେ ଘେନି ଗାଁକୁ ଯିବି। ତୋର ବିଭାଘର।" ମଦନ ଅଜା ମୁହଁକୁ ଏକଧ୍ୟାନରେ ଚାହିଁ କଥା ଶୁଣୁଥିଲେ, "ବିଭାଘର" ଏହି କଥାଟା ଶୁଣି ତାଙ୍କ ମୁଣ୍ଡ ବୁଲାଇ ଦେଲାଣି। ହାତରୁ ଭାତଗୁଣ୍ଡାଟା କେତେବେଳେ ଖସି ପଡିଲା, ତାଙ୍କୁ ଜଣା ନାହିଁ। ଅଜା ସାନ୍ତ ଭାତଥାଳିରେ ହାତ ଦେଇ ତଳକୁ ଅନାଇ କଥା ହାଙ୍କି ଯାଉଛନ୍ତି - ମଦନଙ୍କ କାନରେ କଥାଗୁଡାକ ପଶୁଛି କି ନାହିଁ, ତାଙ୍କୁ ଜଣା। "ମଙ୍ଗଳପୁର ଜମିଦାର ରାମରାମ ଦାସଙ୍କ କନ୍ୟାଟିରେ ଏହି ପନ୍ଦର ବରଷ ପଶିଛି। ଖୁବ୍ ଡୌଲ, ଗୋଟିଏ କାଠିରେ ଗଢା, ଚମ୍ପା ଫୁଲ ପରି ରଙ୍ଗ, ଖୁବ୍ ପାଠୋଈ; ଛାନ୍ଦକୁ ଛାନ୍ଦ ଗୀତ ମୁହେଁ ମୁହେଁ ହାଙ୍କିଯାଏ । ଦେଖ ମଦନ, ମୁଁ ଢେର ଆଡେ ଲାଗି ଲାଗି ତୋ ପାଇଁ ଏହି କନ୍ୟାଟି ଠିକ୍ କରିଛି । କନ୍ୟାକୁ ଯେତେବେଳେ ଦେଖିବୁ, ଅଜା ସତୁଆ କି ମିଛୁଆ, ଜାଣିବୁ। ମୋ ପାଇଁ ବକସିସ୍ ଦରକାର। ତୋ ଆଦୁ ଅଲଗା ଗୋଟିଏ ବରମପୁରୀ ପାଟ ଜଥା ପାଇବି। କଣ କହୁଛୁ ମଦନ?" ମଦନର ଜ୍ଞାନ ଅଛି ଯେ, କଥାର ଉତ୍ତର ଦେବ? ବୋଧକରୁ, ମନ ମଧ୍ୟରେ କହୁଛି, 'ଜଥା - ନା ତୋ ମୁଣ୍ଡ ବକସିସ୍ ପାଇବୁ।' ମଦନ ରାତିସାରା ବିଛଣାରେ ପଡି ଭାବୁଛି, ଆଖିରେ ନିଦ ନାହିଁ। ଆଜିକାଲିକା ଇଂରାଜୀ ପାଠଉଆ ଭେଣ୍ଡିଆଙ୍କ ମଧ୍ୟରୁ ଗୋଟାଏ ଗୋଟାଏ ଅଦିନିଆଁ କଖାରୁ ବାହାରି ପଡନ୍ତି - ତାଙ୍କ ଜାଣିବାରେ ବାପଟା ମୂର୍ଖ, କିଛି ଜାଣେ ନାହିଁ, ସେମାନେ ଆପେ ଔପନ୍ୟାସିକ, କନ୍ୟା ବାଛି ବିଭା ହେବେ। କନ୍ୟାର ରୂପ ଗୁଣ ଘେନି ବାପ ସଙ୍ଗରେ ବୋଲାବୋଲି କରି ବସନ୍ତି। ମଦନ ସେପରି ଶ୍ରେଣୀରୁ ବାହାର। ଆଜିଯାଏଁ ବାପର କୌଣସି କଥାରେ ଜବାବ ଦେଇ ନାହିଁ। ସେ ଗୋଟିଏ କଥା ଧରିଛି, ବାପ ପରି ମଙ୍ଗଳକାମୀ ତାହାର ଆଉ ଜଗତରେ କେହି ନାହିଁ। ଅନ୍ୟ ସ୍ୱାର୍ଥପର ଲୋକଗୁଡାଙ୍କ ପାଖରୁ କିଛି ଦୂରରେ ଥାଏ । ମାତ୍ର ମଦନ ବିଭାଘର କଥା ଶୁଣି ଟିକିଏ ଲାଜ ପାଇଲାଣି, ଅଜା ମୁହଁକୁ ଅନାଇ ପାରୁନାହିଁ, ବାପକୁ ଜବାବ ଦେବ କଣ୍? ଢେର ଭାବି ଭାବି ଗୋଟାଏ କଥା ତାହା ମନରେ ପଡିଗଲା- ମୋତେ ଭଲ କରି ଇଂରେଜୀ ପଢାଇବା ପାଇଁ ବାପା ଢେର ଥର କହିଛନ୍ତି। ମଦନ ମନ ଟିକିଏ ଖୁସି ହେଲା, ଏହି କଥାଟିକୁ ସଙ୍ଖାଳି କରି ଶୋଇ ପଡିଲା।

ତହିଁ ଆରଦିନ ସକାଳେ ଅଜା ନାତି ଦୁହେଁ ଖାଇ ବସିଛନ୍ତି। ବୁଢା ମନରେ ବିଚାରିଲା, ପିଲାଟା ତ କିଛି ଜବାବ ଦେଲା ନାହିଁ - କଥା କଣ? ନାତିର ମନ ବିଡିବା ପାଇଁ ଅଜା କହି ବସିଲେ, "ବୁଝିଲୁ ରେ ନାତି, ଏପର୍ ଭଲ ଘର ଭାଗ୍ୟକୁ ମିଳେ। ହେବ ନାହିଁ କ୍ୟାଁ - ବାପସାନ୍ତ ଯେପରି ପୂଣ୍ୟବନ୍ତ, ତୁ ଯେପରି ପିତୃଭକ୍ତ ଧାର୍ମିକ ପିଲା ତୋତେ ଏ କନ୍ୟା ମିଳିବ ନାହିଁ ଆଉ କାହାକୁ ମିଳିବ? ଦିନେ ହେଲେ ବାପ ସାନ୍ତଙ୍କ କୌଣସି କଥାରେ ନା-ପଦ ତୋ ମୁହଁରୁ କାଢି ନାହୁଁ। ଏଥିଲାଗି ଦେଶଯାକ ତୋର ପ୍ରଶଂସା। ତୁ ପିଲାଟା ହେଲେ କଣ ହେଲା, ସବୁ ଶାସ୍ତ୍ର ବୁଝୁ। ଜାଣୁ! ଶାସ୍ତ୍ରରେ ଲେଖା ଅଛି, 'ବାପ ଯେଉଁ ପୁଅ ପ୍ରତି ସନ୍ତୁଷ୍ଟ, ସବୁ ଦେବତାଠାରୁ ସେ ବର ପାଏ।' ଆଉ ଗୋଟାଏ କଥା ବୁଝିଥା, ଏପରି ପାତ୍ରୀ ହାତରୁ ଥରେ ବାହାରି ଗଲେ ଆଉ କେଭେଁ ମିଳେ ନାହିଁ। ବାପା ସେଥିପାଇଁ ଚଞ୍ଚଳ ହୋଇ ପଡିଛନ୍ତି। ସ୍ୱୀକୃତ ହୋଇ ଗଲାଣି। ଆସନ୍ତା ମକର ସତର ଦିନ ଶୁକ୍ଳ ଦଶମୀକୁ ଲଗ୍ନ, ତେଣିକି ଲଗ୍ନ ନାହିଁ। ଆଉ ତୋର ଯୋଡା ବୟସ ପଡିବ, ବର୍ଷେ ବିଭା ବନ୍ଦ। ଯା, ସ୍କୁଲମାଷ୍ଟରଙ୍କୁ କହି ବୋଲି ତୋ ପୋଥିପତ୍ର ଘେନି ଚାଲିଆ। କାଲି ସକାଳେ ଚାଲିଯିବା। ଆଉ ଦିନ ନାହିଁ ମଝିରେ ମାସ ଯୋଡାଏ।" ମଦନ ବାବୁ ମୁଣ୍ଡପୋତି ଧୀରେ ଧୀରେ କହିଲେ, "ବାପା