ପୃଷ୍ଠା:Galpa swalpa.djvu/୩୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗଳ୍ପ ସ୍ୱଳ୍ପ

କହିଛନ୍ତି, ମୁଁ ଭଲକରି ଇଂରାଜୀ ପାଠଟା ପଢିବି । ବି.ଏ. ପାସ୍ ଯାଏ ପଢିବାକୁ ମୋର ବି ଇଚ୍ଛା । ବାହା ଫା ହେଲେ ମୋର ଆଉ ପାଠ ହେବ ନାହିଁ ।"

ଅଜା ହଁ ହଁ, ସେ କଥା ବି ଉଆସରେ ପଡିଥିଲା । ବାପା କହିଛନ୍ତି, ତୋର ଆଉ ପଢିବାର ଦରକାଋ ନାହିଁ । ଆଉ ତୋର ବି.ଏ ଫିଏ ପାସ ଫାସ ଦରକାର କଣରେ ? ତୁ କଣ ସରକାର ଘରେ ଚାକିରୀ କରିବୁ !

ମଦନ ବାବୁଙ୍କ ସଙ୍ଖାଳି ସରିଲା । ଫଁ କରି ନିଶ୍ୱାସଟାଏ ପକାଇ ତୁନି ହୋଇ ବସିଲେ । ଅଜା କଥା ଶୁଣି ଜୋକ ମୁହଁରେ ଲୁଣ ଦେଲା ପରି ତୁନି ହୋଇ ବସିଲେ ।

ଜମିଦାରଙ୍କ ଉଆସର ଚାରିଟା ପୁର-ବାହା ଦିନଠାରୁ ସାନ ସାନ୍ତଙ୍କ ପୁର ଅଲଗା ହୋଇ ଯାଇଛି । ମଝି ଦୁଆରଟି କିଳିଦେଲେ ଦୁଇ ପୁର ସମ୍ପୂର୍ଣ୍ଣ ରୂପେ ଅଲଗା ହୋଇଯାଏ । ମଦନ ବାବୁଙ୍କ ବିଭା କାଲି ପରି ଚାରିମାସ ହୋଇଗଲାଣି । ଦିନ ରାତି ପୁର ମଧ୍ୟକୁ ଯା ଆସ କରିବାକୁ ମଦନ ବାବୁଙ୍କର ଇଚ୍ଛା; କିନ୍ତୁ ରାତି ପହରକ ଆଗରୁ ପୁର ମଧ୍ୟକୁ ଯାଇ ପାରନ୍ତି ନାହିଁ । ବାହାର କଚେରି ଘର ଲଗା ଆପଣା ବୈଠକଖାନାରେ ବସି ପଢାପଢି କରୁଥାନ୍ତି । ମଦନମୋହନଟି ବଡ ଲାଜକୁଳିଆ ପିଲା । ଦିନବେଳେ ଭିତର ଉଆସକୁ ଯିବା ସମୟରେ ପୋଇଲୀ ପରିବାରୀଗୁଡାକ କେହି ହସନ୍ତୁ ନ ହସନ୍ତୁ, ସେ ମନରେ କରନ୍ତି, ଯେମନ୍ତ ପୋଇଲୀଗୁଡାକ ହସୁଛନ୍ତି । ଆଉ ଆଉ ଜମିଦାରଙ୍କ ଘର ପରି ଏହାଙ୍କ ଉଆସରେ ଅକର୍ମା ଅସଭ୍ୟ ପୋଇଲୀଗୁଡାଏ ବି ଢେର । ସେ ଗୁଡାଙ୍କର ଆଉ ପାଇଟି କଣ ?

ଏ ତ ଗଲା ଗୋଟାଏ କଥା । ବଡ କଥାଟା ଏହି ଯେ, ପଦୀଟା ବୋହୂ ପାଖେ ପାଖେ ଜୋକ ପରି ଲାଗି ରହିଛି । ପଦୀଟା ପୋଇଲୀ ହେଲେ କଣ ହେଲା, ତାହାର ଗୁଣ ଢେର । ଗାଁରେ ତାହାର ନାମ ଡାକ ଅଛି । ଗାଁ ମଧ୍ୟରେ କୌଣସି ସାନ୍ତଙ୍କ ଝିଅ ବିଭାଘର, ଦଶପନ୍ଦର ଦିନ ଆଗରୁ ମା ସାନ୍ତାଣୀ ପଦୀକୁ ଡାକି ନେଇ ଝିଅ ପାଖରେ ରଖି ଦିଅନ୍ତି । ଶାଶୁଘରକୁ ଯିବାବେଳେ ଝିଅ କାହାକୁ ଧରି କି କଥା କହି କିପରି ବାହୁନିବ - ଶାଶୁଘରେ କେତେ ଓଢଣା ପକାଇ କିପରି ନଇଁ ନଇଁ ଚାଲିବ, କିପରି ଚୁ-ଚୁ କଥା କହିବ, ଏ ସବୁ ସଦଗୁଣ ଶିଖାଇବାକୁ ପଦୀକୁ କେହି ବଳିଯିବ ନାହିଁ । ନିତାନ୍ତ ପରିତାପର ବିଷୟ, ଶିକ୍ଷାର, ବିଶେଷରେ ସ୍ତ୍ରୀ ଶିକ୍ଷାର ବହୁଳ ପ୍ରଚାର ଯୋଗୁ ପଦୀ ଶ୍ରେଣୀ ଗୁଣବତୀମାନଙ୍କ ଦାନାପାଣି ପ୍ରାୟ ଉଠିଗଲାଣି । ଝିଅ ବିଭା ହୋଇ ଆସିବା ବେଳେ ମଙ୍ଗଳପୁର ତାଲୁକର ଜମିଦାରାଣୀ ପଣନ୍ତକାନିରେ ଆଖି ପୋଛି ପକାଇ କହିଲେ, "ଶୁଣ ପଦୀ, ମନି ତୋତେ ଲାଗିଲା। ବୁଝି ସାବଧାନ ! ଝିଅର ଢଙ୍ଗଢାଙ୍କ ଲାଜ ସରମ କଥାରେ ଯେମନ୍ତ କେହି ତୁଣ୍ଡ ନ ଫିଟାଏ, ଆମ ବଂଶକୁ ନିନ୍ଦା ବୋଲଣା ନ ଆସେ ।" ପଦୀ ଖୁବ୍ ଗର୍ବରେ ମୁରକି ହସଟାଏ ହସି କହିଲା, "ଆଜ୍ଞା ମଣିମା ! ଏକଥା କଣ ଆଜି ପଦୀକୁ ଶିଖାଇ ଦେବେ ?"

କନ୍ୟାଟିର ନାମ ମୋହିନୀ । ରୂପରେ, ଗୁଣରେ ବି ସେହିପରି ମୋହିନୀ। ମଦନ ବାବୁଙ୍କ ମନକୁ ବଡ଼ ଲାଗିଗଲାଣି । ଭାରି ଇଚ୍ଛା, ବୋହୂଟିକୁ ଭଲକରି ପଢାଇବେ, ସବୁବେଳେ ଦୁଇ ଜଣ ବସି କଥାଭାଷା ହେବେ, ସଞ୍ଜବେଳେ ତୋଟରେ ବୁଲିବେ - ଉପାୟ କଣ ? ପଦୀଟା ତ ସାଙ୍ଗେ ସାଙ୍ଗେ ଲାଗି ରହିଛି । କଣ ମନ୍ତ୍ର ପଢାଉଛି, ସେହି ମୂର୍ଖ ବୋହୂଟା ବି ଆଖି ଫିଟାଉ ନାହିଁ କି କଥା କହୁ ନାହିଁ ଦିନେ ମଦନ ବାବୁ ଆପଣା ପଢା ଘରେ ବସି କଣ ଭାବୁଥିଲେ, ହଠାତ୍ ଖୁସିଟାଏ ହୋଇ ପାଟିକରି କହି ପକାଇଲେ, ବେଶ୍ ଉପାୟ ମନରେ ପଡିଛି, ବେଶ୍ କଥା ବେଶ୍ କଥା ।'