ପୃଷ୍ଠା:Galpa swalpa.djvu/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ

ମଦନ ବାବୁ ପ୍ରତିଦିନ ରାତି ପହରକ ସରିକି ଉଆସ ଭିତରକୁ ଆସୁଥିଲେ । ଏଣିକି ଢେର ଥର ମଠ ହୋଇ ଗଲାଣି, ଦିନେ ଦିନେ ଦେଢ ପହର ବି ଗଡିଯାଏ । ଦିନେ ପଦୀ ପଚାରିଲା, "ହୋଇଲୋ ଶୁକ୍ରି ! ସାନ୍ତ ମଣିମାଙ୍କର ଉଆସ ଭିତରକୁ ବିଜେ ହେବାକୁ ଦିନେ ଦିନେ ଏତେ ମଠ ହୁଏ କ୍ୟାଁ ?" ବଡ଼ ଉଆସରେ ଢେରଗୁଡାଏ ପୋଇଲୀ; ମାତ୍ର ସାନ ସାନ୍ତଙ୍କ ଉଆସକୁ କେହି ଯାନ୍ତି ନାହିଁ । ପୁଅ ଗୋଳମାଳକୁ ଭଲ ପାଏ ନାହିଁ। ଏଥିପାଇଁ ମା ସାନ୍ତାଣୀଙ୍କର ମନା ? କେହି ପୋଇଲୀ ସାନ ସାନ୍ତଙ୍କ ଉଆସ ଭିତରକୁ ଯିବେ ନାହିଁ । କେବଳ ଶୁକ୍ରୀ ପୋଇଲୀକୁ ନମୋଦ କରି ଦେଇଛନ୍ତି - ସବୁବେଳେ ବୋହୂ ପାଖରେ ଥାଏ । ପାଠ ଘରେ ସାନ ସାନ୍ତ ଓ ଶୁକ୍ରୀ ନିରୋଳାରେ ବସି ଢେର ବେଳଯାଏ କଣ ଫୁସର-ଫାସର ହେଉ ଥିବାର କେତେ ଥର ଦେଖା ଗଲାଣି । ପଦୀ ପଚାରିବାରୁ ଶୁକ୍ରୀ କହିଲା, "ତୁ ଶୁଣି ନାହୁଁ କି ଲୋ ପଦୀ ଅପା ! ସାନ୍ତ ମଣିମା ଗାରିଡି ମନ୍ତ୍ର ଫୁଙ୍କିବାକୁ ଯାନ୍ତି ପରା ।"

ପଦୀ - ଗାରିଡିମନ୍ତ୍ର କଣ ଲୋ ?

ଶୁକ୍ରୀ - କଣ କି, ଏ ଦେଶରେ ଏହି ଖରାଦିନିଆ ଚିତ୍ରା ନାଗ ଢେର ବାହାରି ମଣିଷଙ୍କୁ ଦଂଶି ଦିଅନ୍ତି । ସାନ୍ତଙ୍କୁ ଗାରିଡି ମନ୍ତ୍ର ଜଣା, ଫୁଙ୍କି ଦେଲେ ବିଷ ଉଡି ଯାଏ । ପଣକୁ ପଣ ରୋଗୀ ଭଲ ହୋଇ ଗଲେଣି । ଆଉ କଣ କହିବି ପଦୀ ଅପା, ଏହି ପାଖ ଗାଁ ମଛୁପୁରରେ ପୁଞ୍ଜାଏ ବୋହୂ ଠକ ଠକ କରି ମରିଗଲେ । କେଡେ ସୁନ୍ଦର ବୋହୂଗୁଡିକ ଆହା ! ଆହା !

ପଦୀ - ହଁ ଲୋ ଶୁକ୍ରି । ସେଗୁଡାକ ସାନ ସାନ୍ତ ମଣିମାଙ୍କୁ କ୍ୟାଁ ବାତିନ ଦେଲେ ନାହିଁ ?

ଶୁକ୍ରୀ - ହଁ, ସାନ ସାନ୍ତ ବିଜେ କରିଥିଲେ, ଢେର ଫୁଙ୍କାଫୁଙ୍କି କଲେ, ହେଲେ କଣ ହେଲା, ବୋହୂଗୁଡାକ ଆପଣା ଦୋଷରୁ ମଲେ ମ ! କଥା କଣ କି, ସାନ୍ତ ଆଗେ ମନ୍ତ୍ର ପାଣିରେ କାଠିମରା ରୋଗୀର ମୁହଁ ଧୋଇ ଦିଅନ୍ତି, ଆଉ ଯୁଡା ଫିଟାଇ ଦିଅନ୍ତି, ଆଉ ଗାରିଡି ମନ୍ତ୍ର ଡାକିବାବେଳେ ରୋଗୀ ମୁହଁରୁ ଲୁଗା କାଢି ସାନ୍ତଙ୍କ ମୁହଁକୁ ଚାହିଁ ରହିବା ବିଧି । ବୋହୂଗୁଡାକ ମନ୍ତ୍ର ପଢିବାବେଳେ ଯେମିତି ମୁହଁ ଢାଙ୍କି ପକାଇଲେ, ଠକ୍ ଠକ୍ କରି ଢଳି ପଡିଲେ ।

ପଦୀ - ଆହା ! ପାଖରେ କଣ କେହି ପୁରୁଖା ମାଇପେ ନ ଥିଲେ ? ବୋହୂ ମୁହଁ ଢାଙ୍କିବାବେଳେ ତା ହାତ ଧରି ପକାଇଲେ ନାହିଁ କ୍ୟାଁ ? ଜୀବନ ବଡ଼ ନା ଲାଜ ବଡ଼ ? 'ଆପଣାକିଆକୁ ଇଲାଜ କ୍ୟା'! ହଁ ଲୋ ଶୁକ୍ରି, କାଠିମରା ରୋଗୀର ମୁଣ୍ଡବାଳ ଫିଟାଇ ଦିଅନ୍ତି, ମୁଁ ଜାଣେ ।

ଶୁକ୍ରୀ - ପଦୀ ଅପା, ତୁ ତ ରୋଜିନା ସଞ୍ଜବାଦେ ନୀତି ବଢାଇବା ଲାଗି ବୋହୂସାନ୍ତାଣୀଙ୍କୁ ତୋଟାଆଡ଼େ ଘେନିଯାଉ । ହାତରେ ଗୋଟାଏ ଆଲୁଅ ଘେନିଗଲେ ଭଲ ହୁଅନ୍ତା ପରା !

ପଦୀ - କଣ କହିଲୁ ଲୋ ଶୁକ୍ରୀ, କଣ କହିଲୁ ! ଏଡେ ମହତ ଘର ପୋଇଲୀଟା ହୋଇ କଣ କଥାଟା ମୁହଁରେ ଧରିଲୁ । ଦେଶରେ ମୂଲକରେ ଗୋଟାଏ ନିନ୍ଦା ଚହଳ ପଡିଯିବ ଯେ, ହାଟୁଆ ଘର ଝିଅଟା ପରି ମଶାଲ ଜାଳି ବାରିଆଡେ ଯାଏ । ମା ସାନ୍ତାଣୀଙ୍କ କାନରେ ବାଜିଗଲେ କଣ ମୋ ଚୁଟି ପିଠି ରହିବ ? ଆମ ଉଆସରେ ତ ବୋଡିକୁ ବୋଡି ପୋଇଲୀ - ମା ସାନ୍ତାଣୀ ବାଛି ବାଛି ମୋତେ ସଙ୍ଗରେ ଦେଲେ କ୍ୟାଁ ? ଆଲୋ ପଦୀ ଯେବେ ସଙ୍ଗରେ ଅଛି, ଆମ ଜେମାଙ୍କର ଡର କଣ ?