ପୃଷ୍ଠା:Galpa swalpa.djvu/୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗଳ୍ପ ସ୍ୱଳ୍ପ

ସଞ୍ଜ ଗଡି ଗଲାଣି । ଘର ଭିତରେ ସବୁ ଅନ୍ଧାର । ବୋହୂଟି ଓଢ଼ଣା ପକାଇ ତୋଟା ଭିତରୁ ଧୀରେ ଧୀରେ ଚାଲିଛି । ପଦୀ ବାହାଟି ଧରି ଚଳାଇ ଆଣୁଛି । ତୋଟା ଦୁଆର ଦୁଆରବନ୍ଧ ଡେଇଁ ଯେମିତି ଘର ଭିତରକୁ ପଶିବେ, କବାଟକଣରୁ ଦେଢ଼ହାତ ଲମ୍ବ ସାପଟାଏ ବାହାରି ବୋହୂ ଆଉ ପଦୀ ଗୋଡ଼ ପାଖ ବାଟେ ହଳହଳ କରି ଚାଲିଗଲା । ପଦୀ ତ ବୋହୂଟାକୁ ପେଲି ଦେଇ 'ବୋପା ଲୋ' ବୋଲି ରଡିଟାଏ ଛାଡି ଘରେ ପଶି କବାଟ କିଳି ଦେଲାଣୀ । ବୋହୂଟା ହାଉଳି ଖାଇ ଠା ପଡିଗଲା, ଚେତା ନାହିଁ । ଶୁକ୍ରୀ ଅଳ୍ପ ଦୂରରେ ଥିଲା, ଧାଇଁ ଆସି ବୋହୂଟିକୁ କାଖେଇ ପହଡ଼ ଘର ଭିତରକୁ ଘେନିଗଲା, ମୁହଁରେ ପାଣି ଛିଞ୍ଛିବାରୁ ବୋହୂର ଚେତା ବସିଲା । ଶୁକ୍ରୀ କହିଲା, "ଆପଣ କିଛି ଡରିବେ ନାହିଁ । ସାନ୍ତଙ୍କୁ ଡାକି ଆଣୁଛି, ଏହି ଲାଗେ ଭଲ କରିଦେବେ ।"

ସାନ ସାନ୍ତଙ୍କୁ ଦେଖି ବୋହୂଟାର ସାହସ ହେଲାଣି । ବରଡାପତ୍ର ପରି ଥରୁଥିଲା, ଏବେ ଓଢ଼ଣାଟି ପକାଇ ତୁନି ହୋଇ ବସିଛି । ସାନ ସାନ୍ତଙ୍କ ତୁଣ୍ଡ ଶୁଣି ପଦୀ ବି ଆସି ପହଞ୍ଚିଗଲା । ମାତ୍ର ଏ ପର୍ଯ୍ୟନ୍ତ ତା ଦେହଟା ଟିକିଏ ଟିକିଏ ଥରୁଛି, ପାଟିରୁ କଥା ବାହାରୁ ନାହିଁ । ଦୁଇଖଣ୍ଡ ଆସନ ପଡିଲା, ବୋହୂ ଆଉ ସାନ ସାନ୍ତ ମୁହାଁମୁହିଁ ହୋଇ ବସିଲେ । ସାନ୍ତ ପଚାରିବାରୁ ପଦୀ କହିଲା, "ହଁ, ମୁଁ ସାପଟାକୁ ଦେଖିଲି, ତାକୁ ବାଡେଇବା ପାଇଁ ଜେମାଙ୍କୁ ବସାଇ ଦେଇ ବାଡି ଖୋଜିବାକୁ ଧାଇଁଲି ।" ଦୁଷ୍ଟ ଶୁକ୍ରୀଟା ମୁହଁରେ ଲୁଗା ଦେଇ ଟିକିଏ ହସିଲା ।

ସାପ କାମୁଡିଛି କି ନାହିଁ, ସାନ୍ତ ବୋହୂ ଗୋଡ଼ ଭିଡି ଆଣି ପରଖି ବସିଲେ । ବୋହୂଟା ଗୋଡ଼ ଭିଡି ନେଉଥାଏ । ସାନ୍ତ କହିଲେ, "ହାଁ ହାଁ, ଏପରି କଲେ ମନ୍ତ୍ର କାଟୁ କରିବ ନାହିଁ । ଦେଖାଗଲା, ବୋହୂ ବାଁ ଗୋଇଠିରେ ଘାଉଡ଼ ହୋଇଛି । ସାନ୍ତ କହିଲେ, "ହଁ ହଁ ସତ - ପଦୀ କଥା ସତ, ଏଟା ଚିତ୍ରା ନାଗ, ଦେଖୁ ନାହଁ, ଗୋଟାଏ ଦାନ୍ତ ବସିଛି । ଏ ନାଗର ଗୋଟାଏ ବୋଲି ଦାନ୍ତ । ଚିନ୍ତା ନାହିଁ । ଦି'କଲି ମନ୍ତ୍ର ଡାକି ଦେଲେ ସବୁ ବିଷ ହରିଯିବ । ଆଲୋ ଶୁକ୍ରୀ, ଯା, ଡେବିରି ହାତରେ ପୋଖରୀରୁ କଂସାଏ ପାଣି ଆଣ- ଡେବିରି ଆଖି ବୁଜି ଯିବୁ - ସାପର ଗୋଟାଏ ଦାନ୍ତ ପରା !"

ସାନ୍ତ - 'ହଁ, ଏବେ ମୁହଁରୁ ଲୁଗା କାଢ଼ ।' ବୋହୂ ଓଢ଼ଣାଟାକୁ ଆହୁରି ଭିଡି ଦେଉଛି । ପଦୀ 'ଆଗୋ ମା! ଓଢ଼ଣା କାଢ଼, ଓଢ଼ଣା କାଢ଼' କହି ଆଗେ ଓଢ଼ଣାଟା କାଢି ପକାଇଲା । ବୋହୂଟା ଭିଡି ମୋଡି ହେଉଥାଏ । ପଦୀ ଆଉ ଶୁକ୍ରୀ ଦୁହେଁଯାକ ବୋହୂର ଦୁଇବାହୁ ଆଣ୍ଟ କରି ଧରି ବସିଥାନ୍ତି । ସାନ୍ତ ବୋହୂର ଯୁଡ଼ା ଫିଟାଇ ପକାଇଲେ। ଯୁଡ଼ା ଫିଟାଇବାବେଳେ ବୋହୂଟା କଡ଼ ଭିଡ଼ି ମୋଡ଼ି ହେଲା, ପଦୀ ମୁଣ୍ଡରେ ପିଠିରେ ହାତ ବୁଲାଇ ବହୁତ ହେମତ୍ ଦେଉଥାଏ । ବୋହୂଟା ଆଉ କଣ କରିବ, ଯୋଡାଏ ମାଇକିନିଆ ଆଣ୍ଟ କରି ଧରିଛନ୍ତି, ପଦୀ ପିଠିରେ ହାତ ବୁଲାଇ ହେମତ୍ ଦେଉଥାଏ । ସାନ୍ତ ପାଣି କଂସାକ ମନ୍ତ୍ରି ବୋହୂ ମୁହଁ, ଘାଉଡ଼ ଜାଗା ତିନି ଥର କରି ଧୋଇ ଦେଲେ । ତାହା ବାଦେ କହିଲେ, "ଏବେ ମୁଁ ଗାରିଡ଼ି ଡାକିବି, ମୋ ମୁହଁକୁ ଏକଧ୍ୟାନରେ ଚାହିଁ ରହିବାକୁ ହେବ ।" ଏଣେ ଜୀବନବିକଳ କଥା, ତେଣେ ମାଇକିନିଆ ଦୁଇଟାଙ୍କ ପାଟି - 'ଚାହଁ ଚାହଁ ।' ବଡ଼ କଷ୍ଟରେ ବୋହୂ ମୁଣ୍ଡଟାକୁ ଟିକିଏ ଓହଳାଇ ସାନ୍ତଙ୍କୁ ଏକଧ୍ୟାନରେ ଚାହିଁ ରହିଲା । ବାବୁ ଗାରିଡ଼ି ମନ୍ତ୍ର ଡାକିଲେ -