ପୃଷ୍ଠା:Galpa swalpa.djvu/୩୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


"ଅଂ କାଳନ୍ଦୀ ହ୍ରଦରେ ଥିଲା କାଳୀ;

କୃଷ୍ଣ ଗଲେ ପଦ୍ମ ତୋଳି;

କାଳୀ ଦେଲା କାମୁଡି;

ଶ୍ରୀକୃଷ୍ଣ ଗଲେ ପଡି।

ଗରୁଡ଼ ଐଲା ଭିଡି କରି;

ବିଷ ଗଲା ଘା ମୁହଁରେ ହରି।"

ଆ-ଫୁ-ଆ-ଫୁ-ଆ-ଫୁ-

ଏହିପରି ସାତଥର ମନ୍ତ୍ର ପଢିସାରି ରୋଗିଣୀ ବେଅରେ ଖଣ୍ଡେ ମନ୍ତ୍ର ସୂତା ବାନ୍ଧିଦେଲେ। ସାନ୍ତ କହିଗଲେ, 'ଚିତ୍ରା ନାଗ ସାପ ବିଷ ପାଞ୍ଚଦିନ ରହେ - ପାଞ୍ଚଦିନ ସକାଳ ସଞ୍ଜ ମନ୍ତ୍ର ଫୁଙ୍କାଯିବ।'

ସାନ୍ତ ଦେଖିଲେ, ରୋଗିଣୀ ଦେହରୁ ଅସଲ ବିଷଟା ଢେର ଛାଡି ଗଲାଣି। ମନ୍ତ୍ର ଫୁଙ୍କାବେଳେ ବୋହୂଟା ଖୁବ ବଳରେ ଓଠ କାମୁଡି ରହୁଛି, ହସ ସମ୍ଭାଳି ପାରୁ ନାହିଁ। ପଞ୍ଚମ ଦିନ ସକାଳେ ସାନ୍ତ କହିଲେ, "ବୋହୂ ବେକରେ ଯେଉଁ ସୂତା ବନ୍ଧା ହୋଇଛି, ଶନିବାର ବଡି ସକାଳେ ଜଣେ ବିଧବା ସ୍ତ୍ରୀ ଅଧୁଆମୁହଁରେ ଡେବିରି ହାତରେ ସେ ସୂତା ଛିଣ୍ଡାଇ ନେଇ ଏକମୁହାଁ ଚାଲିଯିବ, ଚିନି ମାସ ତିନି ପକ୍ଷ ତିନି ଦିନ ଦେଖା ଦେବ ନାହିଁ।" ପଦୀ ଚଞ୍ଚଳ କହି ପକାଇଲା, "ଆଉ କାହା ହାତରେ ହେବ ନାହିଁ, ମୁଁ ସୂତା ଛିଣ୍ଡାଇ ନେଇଯିବି।" ସାନ୍ତ ତ ସେହି କଥା ଖୋଜୁଥିଲେ, ମନରେ ବଡ଼ ଖୁସି। ପଦୀ ମନରେ ବି ବଡ଼ ଆନନ୍ଦ - 'ଭଲ ହେଲା, ଗାଁକୁ ପଳାଇବା, ଏ ସାପୁଆ ମୁଲକରେ କିଏ ରବିବ ମ?'

ମାସେ ଦୁଇମାସ ବିତି ଗଲାଣି, ସ୍ତ୍ରୀ ପୁରୁଷ ଦୁଇଜଣ ଉଆସ ଭିତରେ ବସି ପଢାପଢି କରନ୍ତି। ଉଆସ ପଛ ତୋଟା ନିରୋଳା। ଦୁଇଜଣ ଫୁଲ ବଗିଚାରେ ସଞ୍ଜବେଳେ ବୁଲାବୁଲି କରନ୍ତି। ମୋହିନୀଟି ବୁଦ୍ଧିମତୀ, ଗୁଡାଏ ପଢି ଗଲାଣି।

ଦିନେ ମୋହିନୀ ହସି ହସି କହିଲା, "ହଁ ହେ, ତୁମେ ଏଡେ ଦୁଷ୍ଟ ନା?" ଖଣ୍ଡେ କାଗଜ, ଖଣ୍ଡେ ଡାଙ୍ଗ ପଲଙ୍କ ତଳୁ କାଢି ଆଣିଲା - ତିନି ଆଙ୍ଗୁଳି ଅନ୍ଦାଜ ଚୌଡା, ଦେଢ଼ହାତ ଲମ୍ବ ଖଣ୍ଡେ କାଗଜ - କଳା ଆଉ ହଳଦୀରେ ଚିତ୍ର ହୋଇଛି ଏକ ପାଖ ମୁଣ୍ଡରେ ଖଣ୍ଡେ ଗେଙ୍ଗୁଟି ବନ୍ଧା। ସେହି ଗେଙ୍ଗୁଟିଟା ଧରି ଫୋପାଡି ଦେଲେ କାଗଜ ଖଣ୍ଡକ ହଳହଳ ହୋଇ ସାପପରି ଚାଲିଯାଏ। ଆଉ ଖଣ୍ଡେ ବାଉଁଶକଣି ଆଗରେ ଗୋଟାଏ କଣ୍ଟା ବନ୍ଧା। ମୋହିନୀ ହସି ହସି କହିଲା, "ତୁମେ ଏଡେ ଦୁଷ୍ଟ, କବାଟ କଣରୁ କାଗଜ ଖଣ୍ଡ ଫୋପାଡି ଦେଇ କଣ୍ଟାଟା ଫୁଟାଇ ଦେଲ?" ମଦନ ବାବୁ କହିଲେ, "ହୋଇ ଲୋ ଶୁକ୍ରୀ, ୟାଙ୍କୁ କହିଦେଲୁ କ୍ୟାଁ? ସାପ ଦେଖାଇଲୁ କ୍ୟାଁ?" ଶୁକ୍ରୀ ହସି ହସି ପଳାଇଲା ।

ଅଧର୍ମ ବିତ୍ତ

ବିଜେ ନରହରିପୁର ଶାସନ ମୁଣ୍ଡ ସାହାଲା ଘରକୁ ଛାଡ଼ି ପଚାଶ ଷାଠିଏ କଦମ ଦୂରରେ ବଳଦେବଙ୍କ ପୂଜାପିଣ୍ଡି ବା ମଣ୍ଡପ । ଗ୍ରାମ ଦିଗକୁ ଛାଡ଼ି ପିଣ୍ଡିର ଆଉ ତିନି ପଟରେ ପାଞ୍ଚସାଲି, ଦଶସାଲି, ମଧ୍ୟଭଳି ଅତି ପୁରୁଣା ବୁଢ଼ା, ଗଣତିରେ ଶହେ ସାତ ନଡ଼ିଆ ଗଛ । ଏଗୁଡ଼ିକ ଶାସନ ମହାଜନଙ୍କ କୋଠ ଗଛ । ଫଳ ଏକସଙ୍ଗରେ ତୋଳା ଯାଇ ଭାଗପିଛେ ବାଣ୍ଟହୁଏ ।

ସକାଳ ଓଳି ବେଳ ଘଡ଼ିକ ସମୟରେ ନଡ଼ିଆଗଛ ମୂଳରେ ଜଣ ପଚାଶ ବ୍ରାହ୍ମଣଗୋସାଇଁ ବିଜେ ହୋଇଛନ୍ତି । ପୁରୁଖା ପୁରୁଖା ଭଳିଆ ଆଉ ମର୍ଯ୍ୟାଦାବନ୍ତ ପୁଣି ଦୂର ଗାଁରୁ ଆସିଥିବା ବନ୍ଧୁମାନେ ନଡ଼ିଆ ପତ୍ରବୁଣା ଚଟେଇରେ ବସିଛନ୍ତି, ଆଉ ଅନ୍ୟମାନଙ୍କର ଭୂମ୍ୟାସନ । ସାନ ପିଲାଗୁଡ଼ାକ ସକାଳୁ ସକାଳୁ