ପୃଷ୍ଠା:Galpa swalpa.djvu/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ

ବୁଝିସୁଝି କରାଯିବ, ବର୍ତ୍ତମାନ ଉଦ୍ଧାର ପାଇବାର ବାଟ କଣ?"

ଲକ୍ଷ୍ମଣ ମିଶ୍ରେ - ଆପଣମାନେ କଣ ଉପାୟ ସ୍ଥିର କରିଛନ୍ତି?

ଆନନ୍ଦ ମିଶ୍ରେ - ଆମ୍ଭେମାନେ କିଏ, ମାଲି ମାମଲା କିଏ? କର୍ମ କର୍ମାଣି କଥା ବୋଲ, ଦଶ ଜଣ ବାହାରି ପଡ଼ିଁବୁ।

ଲକ୍ଷ୍ମଣ ମିଶ୍ରେ - ମାମୁ। ଜମି ନିଲାମ ବାଦେ ସାହୁ ପାଖକୁ ଯାଏଥିଲେ, କଣ କହିଲା?

ଦିବାକର ଦ୍ୱିବେଦୀ - ଯାଇଥିଲି। ଦଶଥର ଗଲିଣି, ଭେଟ ମିଳେ ନାହିଁ। ବାଧିକା ପଡ଼ିଛି, କଥା ବୋଲି ପାରିବ ନାହିଁ, ବାହାନା କରି ଶୋଇ ପଡ଼େ - ନୋହିଲେ ବାଡ଼ି ପଛ ବାଟେ ଆଉ ଗାଁକୁ ବାହାରି ଯାଏ। ମୋ କନ୍ଦାକଟା ଦେଖି ସାହୁଆଣୀ କମଳା ଆଉ ତାଙ୍କ ପୁଅ ବିଦ୍ୟାଧର ଦୁହେଁଯାକ କାନ୍ଦି ପକାନ୍ତି। ମୋତେ ବହୁତ ବହୁତ ଆଶ୍ବାସ ଦେଇ କହିଛନ୍ତି, ମୋ ଜମି ମୋତେ ଦିଆଇ ଦେବେ। କେଜାଣି କପାଳରେ କଣ ଅଛି। ମା ପୁଏ ଦୁହେଁଯାକ ଏକା ଯେପରି ଦୟାଳୁ ସେହିପରି ଧାର୍ମିକ, କାହାରି ଦୁଃଖ ଦେଖି ପାରନ୍ତି ନାହିଁ। କୁବେର ସାହୁଟା ଯେପରି ନିଷ୍ଠୁର ସେହିପରି କୃପଣ - ହାତରୁ ପାଣି ଗଳିବ ନାହିଁ। ହେଲେ ମା ପୁଅଙ୍କ ଆଗରେ କେହି ଓପାସ ରହିପାରେ ନାହିଁ। ସାହୁଟା କରଜା ଟଙ୍କା ଲାଗି କାହାରି ଘର ଦ୍ବାର ନିଲାମ କରିନେଲେ ଏମାନେ ଲୁଚାଇ ତାକୁ ଟଙ୍କା ଧାନ ଦେଇ ତା କୁଟୁମ୍ବ ପୋଷନ୍ତି।

ଲକ୍ଷ୍ମଣ ମିଶ୍ରେ - ଗୋଟାଏ ଆଶା ଅଛି ସତ, ହେଲେ ସେଥିକି ନିର୍ଭର କରି ରହିବାଟା ନିରାପଦ କଥା ନୁହେଁ। ଆପଣାର ବି ଗୋଟାଏ ବାଟ କାଟି ଚାଲିବା ଉଚିତ। ଉଛୁଣିକା ତାକୁ କେହି ଜମି ଦଖଲ ଦିଅ ନାହିଁ। ମାମୁଁ! ତୁମେ କହୁଛ, ପାଞ୍ଚ ହଜାର ଟଙ୍କାର ମାଲ ସାତଶ ଟଙ୍କାରେ ନିଲାମ କରି ନେଇଛି। ଏହି କଥା ଓଜର କରି ସାନି ନିଲାମ ପାଇଁ ହାକିମଙ୍କ ପାଖରେ ଦରଖାସ୍ତ କର। କିଛି ଖରଚପତ୍ର କଲେ ଢେର ଦିନଯାଏ ମାମଲା ତାରିଖ ଗଡ଼ିଯିବ। ଏଣେ ତୁମେ ମା ପୁଅ ଦୁହିଙ୍କୁ ଧରି ପଡ଼ିଥାଅ। ଆଜିକା କଥା କାଲିକି ଅନ୍ତର, ଏଥି ମଧ୍ୟରେ ଆଉ ଗୋଟାଏ କିଛି ବାଟ ଫିଟି ଯାଇପାରେ।

ମିଶ୍ରଙ୍କ କଥା ଶୁଣି ସମସ୍ତ ମହାଜନ ଭାରି ଆନନ୍ଦରେ ଏକାବେଳକେ ପାଟିକରି କହିଲେ, "ଦୀର୍ଘଜୀବୀ ହୁଅ, ରାଜରାଜେଶ୍ବରୋ ଭବ। ନୋହିଲେ କଣ ଆଞ୍ଜୁଳାକୁ ଆଞ୍ଜୁଳା ଟଙ୍କା ଗଣି ହାକିମ ଘର ପାଠ ପଢ଼ିଛ? ଦେଖ ତ, ଆମେ ଏତେଗୁଡ଼ାଏ ଲୋକ ଅନ୍ଧାରରେ ଅଣ୍ଡାଳି ହେଉଥିଲେ, କିଛି ବାଟ ଦିଶୁ ନ ଥିଲା, ପିଲାଟି କିମିତିକା ଗୋଟାଏ ବାଟ କାଢ଼ି ପକାଇଲା?

ବୁଢ଼ା ଦନେଇ ମହାପାତ୍ରେ ଟାଣରେ ଦୁଇ ଟିପ ନାସ ଶୁଙ୍ଘିଦେଇ ଖନେଇ ଖନେଇ କହିଲେ, "ବୁଝିବାଁ ହେଲେଁ ମହାଁଜନ ଗୋଁସେଇଁମାନେଁ,

ଅଁଧଁର୍ମ ବିତ୍ତଁ ବଁଢ଼େଁ ବଁହୁଁତଁ। ଯିଁବାଁବେଁଳେଁ ଯାଏଁ ମୂଁଳଁ ସଁହିଁତଁ।

ସମସ୍ତେ ତ ଜାଣୁଛ, ତାହାର ସବୁ ଧନଗୁଡ଼ାକ ତଣ୍ଟିଚିପା ମଣିଷରକ୍ତ। ମାହାଳିଆଟାରେ ଲକ୍ଷାବଧି ଟଙ୍କାର ମାଲିକ ହୋଇ ବସିଲା। ଯିମିତି ଭୀମା ଟଙ୍କାରେ ମାଲିକ ହୋଇଛି, ସେହିଦିନୁ ତ ବଢ଼ି ଯାଉଛି, ଆଉ କଣ! ଏହି ଯେ କୁବ୍ରାଘର ଦେଖୁଛ, ସେଇଟା ତା ନିଜ ଘର ନୁହେଁ। ଭୀମସାହୁ ବୋଲି ଜଣକର ଘର। ଭୀମାଟା ବି ଥିଲା ବୁବ୍ରାକୁ ବଳି ତଣ୍ଟିଚିପା ବୋଲି ସରିଛି। ପୁଅ ଝିଅ ଘରେ