ପୃଷ୍ଠା:Galpa swalpa.djvu/୪୨

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


କିଛି ନ ଥିଲା। ଗୋଟାଏ ପୋଷା ପୁଅ କରିଥିଲା ଯେ, ସେଟା ମଦ ଖାଇ ଗଞ୍ଜେଇ ଖାଇ ମଲା। କୁବ୍ରା ତା ଜାତି ପୁଅ ଲଗ୍ନିକ କେହି ନୁହେଁ, ତା ଘରେ କାରବାରିଆ ଥିଲା। ଭୀମାକୁ ଖୁବ୍ ପଟେଇ ରଖିଥାଏ। ଭୀମା ଯିମିତି ଆଖି ବୁଜିଛି, କୁବ୍ରା ଚାକର ବାକର ସମସ୍ତଙ୍କୁ ହାତ କରି ଓକିଲ ମୁକ୍ତାର ଧରି ପୋଷ୍ୟପୁତ୍ର ବୋଲି ସରକାରରୁ ବାହାଲ ହୋଇ ଆସିଲା। ପାପୀଟାର ଧନ ପାଣି ପରି ବଢ଼ି ଯାଉଛି, ଏବେ ଜାଣ ଠକ୍‌କରି ଛିଡ଼ି ପଡ଼ିବ। ଦେଶଯାକ ସନ୍ତାଇ ମାରିଲାଣି, ହଜାର ହଜାର ଲୋକଙ୍କ ଆତ୍ମା କାନ୍ଦୁଛି, ଯାହାର ସେ କିଛି କରି ନାହିଁ, ସେ ବି ଗାଳି ଦେଉଛି। ଏହି ମୋ କଥା ବୁଝ ନା, ପୁଅ ବିଭାକୁ ପଚାଶ ଟଙ୍କା କରଜ ଆଣିଥିଲି, ପନ୍ଦର ବରଷରେ ତୁଚ୍ଛା କଳନ୍ତର ଅଢ଼େଇଶ ଟଙ୍କା ଶୁଝିଛି, ପାଞ୍ଚ ଥର ଟିପ ବଦଳାବଦଳ କରି ଶେଷରେ ନାଲିଶରେ ପାଞ୍ଚଶ ଟଙ୍କା ଡିଗ୍ରୀ କରି ମୋର ତିରିଶ ତିରିଶ ମାଣ ଜମି ନିଲାମ କରି ନେଲା। ତେତିକି ଥିଲା କୁଟୁମ୍ବଙ୍କ ଭରସା। ତାଙ୍କ ମୁହଁରେ ପାଣି ଟୋପାଏ ଦେବାକୁ ଭରସା ନାହିଁ, ଦିନ ରାତି ଆତ୍ମାପୁରୁଷ-କାଉଳି ହେଉଛି, ଆଖିରୁ ପାଣି ଶୁଖୁ ନାହିଁ। ଏହି ପଞ୍ଚ ପରମେଶ୍ବର ଶୁଣନ୍ତୁ, ମୁଁ ପଇତା ଛୁଇଁ କହୁଛି, ଆଝୁଁ ତିନି ପକ୍ଷ, ତିନି ମାସ, ତିନି ବରଷ ମଧରେ ତାହାର ସର୍ବନାଶ ହେବ। ଏହା ଯଦି ନ ହୁଏ, ମୁଁ ଅବ୍ରାହ୍ମଣ, ଏ ବ୍ରହ୍ମଗଣ୍ଠି ଛିଡ଼ାଇ ପକାଇବି। ସେ ତ ଢେର ଦିନ ଆଗରୁ ଯାଇଥାନ୍ତା, କେବଳ ମା ପୁଅଙ୍କ ଧର୍ମରୁ ବର୍ତ୍ତି ରହିଛି।"

ଲକ୍ଷ୍ମଣ ମିଶ୍ରେ - ମାମୁ! ସାହୁଆଣୀ ଆଉ ବିଦ୍ୟାଧର ପାଖକୁ ଯିବା ଆସିବା କରୁଛନ୍ତି ତ? ସେହିମାନଙ୍କୁ ଧରି ପଡ଼ିଥାନ୍ତୁ।

ମାମୁଁ - ହଁ ବାପା! ମୋର ଆଉ ଉପାୟ କଣ? ଦିନେ ଦି’ଦିନ ବାଦେ ସେମାନଙ୍କ ପାଖକୁ ଯାଏଁ। ମୋର ତ ଗୋରୁ ବାଛୁରୀ ଘରତଳ ଜମି ସୁଦ୍ଧା ନିଲାମ ହୋଇ ଯାଇଛି, ଆଉ ଉପାୟ କିଛି ନାହିଁ। ସାହୁଆଣୀ ମୋ ଦୁଃଖ ଶୁଣି କାନ୍ଦି ପକାଏ। ସେହି ତ କୋଡ଼ିଏ ନଉତି ଧାନ ଆଉ ପାଞ୍ଚଟା ତଙ୍କା ଦେବାରୁ ଆଜିଯାଏ ଚଳୁଛି। କାଲି ରାତିରେ ବି ବିଦ୍ୟାଧର ପାଖକୁ ଯାଇଥିଲି। ସେ ତ ମୋତେ ଟାଣ ଜବାବ ଦେଇ କହିଲା, ‘ନନା! କାନ୍ଦ ନା, ଯେପରି ହେଉ ତୁମ ଜମି ତୁମକୁ ଦେବି। ମୁଁ ବାହାଘରରୁ ବାହୁଡ଼ି ଆସିବା ଯାଏ ସତାର କର। ତୁମେ ତ ଆମ କୁଳପୁରୋହିତ, ସଙ୍ଗରେ ତ ଅବଶ୍ୟ ଯିବ। ଶୁଣିଛି ମୋ ଶ୍ବଶୁରର ଦଶ ଲକ୍ଷ ଟଙ୍କାର ବିଷୟ, ସେ ବି ତୁମକୁ ଅବଶ୍ୟ ଭଲରୂପେ ମେଲାଣି ଦେବେ।’

କୁବେର ସାହୁ କହେ, "ମୋର କରଜା କଳନ୍ତରକୁ ଲୋଡ଼େ କିଏ? ମୋର ଗଡ଼ଜାତ ଥାଉ।" ଗଡ଼ଜାତ ସୋନପୁରଠାରୁ ଦଶପଲ୍ଲା ଯାଏ ତାହାର ଦଶ ପନ୍ଦରଟା ଗୋଦାମ। ଫି ଗୋଦାମରେ ଜଣେ ଜଣେ କରଣ, ଜଣେ ଜଣେ କାରବାରିଆ, ତାର ନିଜର କୋଡ଼ିଏ ସରିକି ବାରଗୋଡ଼ିଆ, ପନ୍ଦରଗୋଡ଼ିଆ କୁଶୁଳି, ଚକ୍‌ଚକ୍ ନାଆ ଅଛି। ବର୍ଷାଦିନେ ସେଥିରେ ସରକ ନେ ଆଣ କରେ। ନା ଛାଡ଼ି ଖରାଦିନରେ ସରକ ନେ ଆଣ କରିବା ସକାଶେ ପାଞ୍ଚ ପାଞ୍ଚ ବୋଡ଼ିଆ ଯୋଡ଼ାଏ ଥୋରି ବଳଦ ଅଛି ।

ବୌଦ ଏଲାକା ହରିହରପୁର ଗୋଟିଏ ବଡ଼ ମହାଜନୀ ଗାଁ - ଠିକ୍ ମହାନଦୀ କୂଳରେ। ଗ୍ରାମର ସମସ୍ତେ ପ୍ରାୟ କାରବାରିଆ ବେପାରୀ। ପ୍ରଧାନ ମହାଜନଙ୍କ ନାମ ଯୁଧିଷ୍ଠିର ସାହୁ। ନାମର ଉପଯୁକ୍ତ ମଧ୍ୟ ଗୁଣ। ଲୋକଟି ବଡ଼ ଧାର୍ମିକ, ସତ୍ୟବନ୍ତ। ପାଞ୍ଚ ସାତ ଲକ୍ଷ ଟଙ୍କାର ବିଷୟ, ଘରେ ଠାକୁର ବାଡ଼ି, ସଦାବର୍ତ୍ତ। ସାହୁ ବୁଢ଼ା ହୋଇ ପଡ଼ିଲାଣି; ଆଉ ଏବେ ବେପାର ବଣିଜରେ ମନ ନାହିଁ। ସବୁବେଳେ ପୂଜା ପାଠ ହରିନାମ ଭଜନରେ ଲାଗିଥାଏ। ସାହୁ ଅପୁତ୍ରକ;