ପୃଷ୍ଠା:Galpa swalpa.djvu/୪୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଫକୀରମୋହ‌ନ ଗ୍ରନ୍ଥାବଳୀ

ଏଣେ ବିଭା ସରଞ୍ଜାମ କିଣାକିଣି ଧୁମ୍ ଲାଗିଛି । ବାଣବାଲା ଆଗତୁରା ବଇନା ଧଇଲା, ଲୁଗା ମୋଟକୁ ମୋଟ କଚେରୀ ଘରେ ଜମା, ମଶଲାମଶଲି କିଣିବା ଲାଗି ଯୋଡ଼ାଏ କରଣ କଟକ ଧାଇଁଲେ । ହେଲେ; ସାହୁକୁ ଏଟା ଭଲ ଲାଗୁନାହିଁ । ତାହାର ଇଚ୍ଛା, ପୁଅ ବିଭା ବାହାନାରେ ଖାତକ‌ଙ୍କ ପାଖରୁ ଟଙ୍କା ରୁଣ୍ଡାଇ ନେବ । ସାହୁଆଣୀ ବାପ ଜଣେ ଧନବନ୍ତ ଲୋକ ଥିଲା - ସେ ନିର୍ବଂଶ, ତାହାର ସବୁ ସମ୍ପତ୍ତି ସାହୁଆଣୀ ପାଇଛନ୍ତି । ସାହୁଆଣୀଙ୍କର ଇଚ୍ଛା, ନିର୍ବଂଶିଆ ଧନ ଘରେ ରଖିବେ ନାହିଁ, ଦାନପୁଣ୍ୟରେ ଖରଚ କରିବେ । ତାଙ୍କ ଦାନ ଦିଆନିଆ ପୁଅ ବି ଜାଣେନାହିଁ । ସାହୁଆଣୀଙ୍କର ଇଚ୍ଛା, ପୁଅର ମଂଗଳକୃତ୍ୟ ଖୁବ୍ ଆଡମ୍ବରରେ ହେଉ, ସମସ୍ତେ ଖାଇପିଇ ଆନନ୍ଦ ଉତ୍ସବ କରନ୍ତୁ । ବାକ୍‌ସ ଏକାବେଳକେ ଉଦୁଆଁ । ସାହୁ ଏକଥା ସବୁ ଜାଣେ । ପୁଅ ବିଭାକୁ ପଇସାଏ ବି ଛାଡ଼ୁନାହିଁ, ପୁଣି ବଳକା ଖରଚ ଦେଖି ଭାରି ଦିକଦାର ।

ପନ୍ଦର ଖଣ୍ଡ ସରିକି ଚକଚକିଆ ନାଆ, ଗୁଡ଼ାଏ କାଠୁଆ ସଜ ହେଲା । ପୁରୋହିତ ବ୍ରହ୍ମା, ଜ୍ୟୋତିଷ, କରଣ, ଟାଣୁଆ ଟାଣୁଆ କେତେଜଣ ଦେଶ ଲୋକ, ଭଣ୍ଡାରୀ, ଗଉଡ଼, ଷାଠିଏ ସତୁରୀ ଜଣ ସରିକି ଲୋକ ବର ଗହଣରେ ଯିବେ । ନଈରେ ଉଛୁଣିକା ପାଣି ଛିନ୍ ଛୋଟ - ହରିଣି ଖୋଳିବା କାଠୁଆ ହତା ଯନ୍ତ୍ର ଧରି କୋଡ଼ିଏ ସରିକି ମୂଲିଆ ବି ସଙ୍ଗରେ ଯାଉଛନ୍ତି । ଉଠାଣି ଯିବାକୁ ଚବିଶ ପଚିଶ ଦିନରୁ ଉଣା ଲାଗିବ ନାହିଁ । ହେଲେ, ସାହୁଆଣୀ ଦେଢ଼ ମାସର ରୋଷେଇ ସରଞ୍ଜାମ, ଜଳଖିଆ ସରଞ୍ଜାମ ଦେଲେ । ଖଂଜ ଅଖଂଜ ଅଛି, କେଜାଣି ବାଟରେ ମଠ ହୋଇଯିବ ।

ସାହୁଆଣୀ ଯେପରି ଦାନଶୀଳା, ଦୟାବତୀ - ସେହିପରି ସବୁ କାମକୁ ଆଗ । କାଉ କା କତିରୁ ଅଧରାତି ଯାଏ ଚରଖି ପରି ଘୁରୁଥିବେ, ଟିକିଏ ହେଲେ ହାଲିଆ ହୋଇ ପଡିବାକୁ ନାହିଁ । ଘର ଖନ୍ଦାରେ ଦୁଇ ଓଳି ଶହେ ଖଣ୍ଡ ଯାଏଁ ପତ୍ର ପଡ଼େ । ହାଡିଆଣୀ, ପାଲୁଣୀଗୁଡା ପାଛିଆ ଗୋଟିଏ ଗୋଟିଏ ଧରି ବାଡ଼ି ଦୁଆର ପଟରେ ବସିଥାନ୍ତି । ସାହୁଆଣୀ ସମସ୍ତଙ୍କ କଥା ବୁଝନ୍ତି । ସମସ୍ତଙ୍କୁ ଦେଇ ଥୋଇ ଆପେ ଖାଆନ୍ତି । ସାହୁଆଣୀ କଥା କେହି ବୁଝିବାକୁ ନାହିଁ; ମାତ୍ର ପୁଅ ବିଦ୍ୟାଧର, ମା ଖାଇଲା ନ ଖାଇଲା ବୁଝେ - ବାଧିକା ପଡ଼ିଲେ ପାଖରେ ବସି ଗୋଡ଼ ହାତରେ ହାତ ବୁଲାଏ ।

ଆଜି ପୁଷ ୧୫ ଦିନ; ବରଯାତ୍ରା ପାଇଁ ଠିକ ହୋଇଛି । ନଈ କୂଳରେ ଅଧକୋଶଯାଏଁ ନାଆ କାଠୁଆ ଧାଡ଼ିକି ଧାଡ଼ି ଖଟା । ନାଉରିଆମାନେ ଆହୁଲା, କାତ, ନା - ଟଣା ଦଉଡ଼ି, ହରିଣିଖୋଳା ହତା ଯନ୍ତ୍ର ଧରି ହାଜର । କୋଡ଼ିଏ ଖଣ୍ଡ ସରିକି ଗାଁରୁ ପିଲାପିଲି ଧରି ମାଇକିନିଆ ମରଦ ନଈ ଦୁଇ କୂଳରେ କାତାର ଦେଇ ଛିଡା ହୋଇଛନ୍ତି । କିଛି ଦୁର ନଈବାଲିରେ ଢୋ ଢୋ କରି ଗଛ ବାଣ ଫୁଟିଲା । ସଙ୍ଗେ ସଙ୍ଗେ ଶଙ୍ଖ ହୁଳହୁଳି ଉଛୁଳି ପଡ଼ିଲା । ସମସ୍ତେ ବିଦ୍ୟାଧରକୁ ସୁଖ ପାନ୍ତି, ମନ ମଧ୍ୟରେ ତାହାର ମଂଗଳକାମନା କଲେ । ବରଯାତ୍ରା ଆଗରୁ ଘର ଅଗଣା ଭିତରେ ପିଣ୍ଡି ଉପରେ ନାନ୍ଦୀମୁଖୀ ଶ୍ରାଦ୍ଧ ବଢ଼ିଲା । ବିଦ୍ୟାଧର ବେଦୀରୁ ଉଠି ମା ପାଖରୁ ମେଲାଣି ଘେନିବାକୁ ଯାଇ, ଗୋଡ଼ ତଳେ ପଡିଲା, ମା ପାଦରୁ ଧୂଳି ନେଇ ମୁଣ୍ଡରେ ଲଗାଇଲା । ମା ତୁଳସୀ ମୂଳରୁ ମାଟି ନେଇ ତା ମୁଣ୍ଡରେ ଚିତା କରିଦେଲେ । ତେତିକିବେଳେ ବିଦ୍ୟାଧର ମା ମୁହଁକୁ ଅନାଇ ଦେଖିଲା, ମୁହଁଟି ସିଠୁଆ କଳା ପଡ଼ିଯାଇଛି । ଆଖି ଡୋଳା ଯୋଡ଼ାକ ଭିତରକୁ ପଶିଗଲାଣି । ବିଦ୍ୟାଧର ଚମକି ପଡ଼ି କହିଲା "ଏ କଣ ମା ! ତୁ ଇମିତିକା ଦିଶୁଛୁ କ୍ୟାଁ ? ଜର ହେଲାଣି କି ? ମୁଁ ଶୁଣୁଛି, ଚାରିଦିନ ହେଲା ତୁ ଖୁଁ ଖୁଁ କାଶୁଛୁ । ନା, ନା, ତୋତେ ଛାଡ଼ି ଯିବାକୁ ମୋ ମନ ବଳୁ ନାହିଁ ।"