ପୃଷ୍ଠା:Galpa swalpa.djvu/୪୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟିକୁ ସଂଶୋଧନ କଲାବେଳେ ଅସୁବିଧା ହେଲା
ଗଳ୍ପ ସ୍ୱଳ୍ପ

ପଦ୍ମାବତୀ ସଙ୍ଗରେ ବିଦ୍ୟାଧରର ବିଭା ପ୍ରସଙ୍ଗ ସ୍ଥିର ହୋଇଗଲା। କୁବେର କହିଲା, "ଆଜ୍ଞା, ମୁଁ ମୋଗଲବନ୍ଦି କାମ ଚଳାଇବି, ବିଦ୍ୟାଧର ବର୍ଷଯାକ ଏହିଠାରେ ରହି କାମ ଚଳାଇବ। ବିଦେଇ ତ ଆପଣଙ୍କ ପୁଅ ହେଲା। ପିଲାଲୋକ, ଜାତି ବେବସା ବୁଝି ନାହିଁ। ଆପଣଙ୍କ ଚରଣ ଧୂଳି ତା ମୁଣ୍ଡରେ ଲାଗିଲେ ସବୁ ଶିଖିଯିବ ଯେ।" ବିଭା ବିଷୟରେ ଆଉ କିଛି ସନ୍ଦେହ ନାହିଁ। ଏକାବେଳକେ ଦିନ ଠିକ୍ ହୋଇଗଲା, ଆସନ୍ତା ମକର ଶୁକ୍ଳ ସପ୍ତମୀ। ବଡ଼ ଘର କଥା ବଡ଼ ବାଜେ, ଦିନକ ମଧ୍ୟରେ କିଲ୍ଲାର ଅଧାଅଧି ଲୋକ ଜାଣିଗଲେ, କୁବେର ସାହୁ ପୁଅ ବିଦ୍ୟାଧର ସଙ୍ଗରେ ଯୁଧିଷ୍ଠିର ସାହୁ ଝିଅ ପଦ୍ମାବତୀର ବିଭା।

ବିଭା ପ୍ରସଙ୍ଗ ଛିଡିବା ବାସି ଦିନ ସନ୍ଧ୍ୟାବେଳେ ଦୁଇ ସମ୍ବନ୍ଧୀ ଦେବତାଙ୍କ ନାଟମନ୍ଦିରରେ ବସିଛନ୍ତି। କୁବେର ସାହୁ ଏ କଥା ସେ କଥା ଉତ୍ତାରେ କହିଲେ, "ସମୁଧିଏ! ସୋନପୁରରେ ମୋରେ ଢେର କାମ ଥିଲା, ଦେଖୁଛି ମୋର ଯିବାର ହେଉ ନାହିଁ। ଏଇ ବୁଝନ୍ତୁ, ମକର ମାସ ତ ମକର ମାସ, ଛାଡି ଦେଉନ୍ତୁ, କକଡାଟା ଚଳୁଛି, ଏଇଟା ବି ଧରୋଟ ଭିତରେ ନୁହେଁ। ବାକି ରହିଲା ସିଂହ କତିରୁ ଧନୁଯାଏ ମଝିରେ ପାଞ୍ଚଟା ମାସ। ଏହି ମଧ୍ୟରେ ସବୁ ଆୟୋଜନ, ଠିକ୍ ଠିକଣା କରିବାକୁ ହେବ। ତା ପୁଣି ନାଆ ଉଠାଣି ମାମଲା, ବାଟରେ ଊଣା ପୂରା ମାସେ କାଳ ଛାଡି ଦେଉନ୍ତୁ। ମାସ ଚାରିଟା ରହିଲା ହାତରେ। ମୁଁ କହୁଛି, କାଲି ସକାଳେ ଚାଲିଯାଏଁ। ଆଜ୍ଞା! କଣ ଆଜ୍ଞା ହେଉଛି?" ଯୁଧିଷ୍ଠିର ସାହୁଏ ଦଣ୍ଡେ ଆଖି ବୁଜି ବସି କହିଲେ, "ଆଉ ଯୋଡାଏ ଦିନ ରହିଗଲେ ଭଲ ହୁଅନ୍ତା ପରା। ହେଉ, ଆପଣ ଯେପରି ଭଲ ବୁଝନ୍ତି, କରନ୍ତୁ।"

ମକ୍ରାମପୁରରେ ଚହଳ ପଡ଼ିଯାଇଛି, ସାହୁଙ୍କର ପୁଅ ବିଦ୍ୟାଧରର ବିଭା ।ହେଲେ ଗୋଟାଏ ଶ୍ରେଣୀ ଲୋକଙ୍କ ଘରେ ପଡ଼ି ଯାଇଛି ।