ପୃଷ୍ଠା:Galpa swalpa.djvu/୪୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଫକୀରମୋହ‌ନ ଗ୍ରନ୍ଥାବଳୀ

କୁବେର ସୋନପୁର, ବୌଦ ସବୁ କୋଠିର କରଣ କାରବାରିଆଙ୍କୁ ଲେଖି ଦେଲା, "ମଫସଲରେ କିଛି ପାଉଣା ରଖିବ ନାହିଁ । ସବୁ ନାଆରେ ସଉଦା ବୋଝାଇ କରି ପହିଲୁ ଆଷାଢ଼ରେ, ଯିମିତି ନଇରେ ପିତାପାଣି ପଡିବ, ହରିହରପୁର ଘାଟରେ ନାଆ ଧରି ହାଜର ହୋଇଯିବ ।" ଏଣେ ଘରଠାରେ ସାହୁଆଣୀ ବିଛଣା ଧରିଲେଣି । କବିରାଜ କହିଲା, ଏଇଟା ରାଜଯକ୍ଷ୍ମା - ଶିବଙ୍କ ଅସାଧ୍ୟ । କରଣମାନଙ୍କୁ ଡାକି ସାହୁଆଣୀ ସାବଧାନ କରାଇଦେଲେ, "ଖବରଦାର ! ହରିହରପୁରକୁ ମୋ ବେମାରି କଥା ଲେଖିବ ନାହିଁ, ପୁଅ ଶୁଣିଲେ ଘାବରିଯିବ ।"

ବିଦ୍ୟାଧର ଶ୍ୱଶୁର ଘରେ ରାଜଭୋଗରେ ଅଛି । କନ୍ୟାଟି ଯେମନ୍ତ ସୁନ୍ଦରୀ, ଗୁଣବତୀ, ସେହିପରି ପତିବ୍ରତା । ତେବେ ବି ଆଠଦିନକୁ ଆଠଦିନ ଘରପାଖରୁ ମା'ଙ୍କ ସମ୍ବାଦ ନ ପାଇଲେ ଆକୁଳ ହୋଇପଡେ । ଶେଷ ଚିଠିରୁ ଶୁଣିଲା, ମାଙ୍କ ବେମାରୀ ଭଲ ହୋଇଗଲାଣି, ଏବେ ସେ ନିଶ୍ଚିନ୍ତ । ତେବେ ମା ବୋହୁକୁ ଦେଖୁ, ଏହି କଥା ମନରେ କରି ବେଳେ ବେଳେ ଚଞ୍ଚଳ ହୋଇପଡେ ।

ସୁଖର ଦିନ ଘୋଡ଼ା ଛୁଟିଲା ପରି ଧାଇଁଛି । ଯୁଧିଷ୍ଠିର ସାହୁ ଘରେ ଅନନ୍ଦ ଉତ୍ସବରେ ଚାହୁଁ ଚାହୁଁ ଚାରିମାସ ଚାଲିଗଲା । କନ୍ୟା ବିଦା ପାଇଁ ଯାହା ଯାହା ଲୋଡ଼ା, ସବୁ ଠିକ୍ ଠାକ୍ ହୋଇଗଲାଣି । ଦଶଖଣ୍ଡ ନୂଆ ତିଆରି ନାଆ ତୁଠରେ ଧାଡ଼ି କରି ଖଟା ହୋଇଛି । ସବୁ ନାଆ ଚିତ୍ର ବିଚିତ୍ର ମଣ୍ଡନୀ ଦୁଇ ମଙ୍ଗରେ ଫରଫର ହୋଇ ପତାକା ଉଡୁଛି । ଏଗୁଡିକ ଯୌତୁକ ନାଆ । ସେଥିମଧ୍ୟରେ ଯୋଡ଼ାଏ ନାଆ ସୁନ୍ଦର ମଣ୍ଡନୀ, ଖଣ୍ଡକରେ ଝିଅ, ଆଉ ଖଣ୍ଡକରେ ଜୁଆଇଁ ବସି ଯିବେ । ଆଷାଢ଼ ମାସ ଯିମିତି ପଶିଛି, ନାଆସବୁ ବୋଝାଇ ଲାଗିଲା ।ବାସନ ପେଡ଼ି, ଆଡ଼ଖୁର, ଲୁଗାପେଡ଼ି, ଶିଳଶିଳପୁଆ, ଛାଞ୍ଛୁଣିମୁଠା ଯାଏ ଘରକରଣା ଜିନିଷ, ଦୁଇ ବରଷ ଚଳିବା ମାଫିକ ଦାନ୍ତକାଠି ଖଣ୍ଡକ ସୁଦ୍ଧା ଛଖଣ୍ଡ ନାଆରେ ବୋଝାଇ ହେଉଛି । ଯୁଧିଷ୍ଠିର ସାହୁର ତାକିଦ୍- 'ଖବରଦାର, ବୁଝିଶୁଝି ଦିଅ, ଝିଅ ଦୁଇବରଷ ଯାଏ ଶ୍ୱଶୁର ଘରେ ପାଣି ମନ୍ଦାକ ଛାଡ଼ି ଯେମନ୍ତ ଆଉ କିଛି ଛୁଇଁବ ନାହିଁ ।' ଲୋକେ ବୋଲନ୍ତି, ଯୌତୁକ ଜିନିଷର ଦାମ ପଚାଶ ହଜାର ଟଙ୍କାରୁ ଉଣା ନୁହେଁ ।

କୁବେର ସାହୁର ଦୁରଦୁରାନ୍ତର କୋଠିମାନଙ୍କରୁ ତିରିଶଖଣ୍ଡ ସରିକି ନାଆ ସରକ ବୋଝାଇ କରି ସେଠାରେ ଉପସ୍ଥିତ ।ନାଆ ସବୁ ପୁରା ବୋଝାଇ, ପାଣିଲହଡି ଚାଳକୁ ଛୁଇଁଦେଉଛି । କୋଶେଯାଏ ସବୁ ନାଆ ଖଟା ହୋଇଛି । ଆଜହୁଁ ଦେଖଣାହାରୀମାନେ ମଫସଲରୁ ଆସି କୂଳରେ କାତାର ଦେଲେଣି ।

ଆଷାଢ କୃଷ୍ଣ ଦଶମୀ ଦିନ ଯାତ୍ରା ଠିକ ହେଲା । ରଥ କାଠ ମେଲାଣି ଭଳିଆ ପାଣିକୁ ଚାହିଁ ବସିଛନ୍ତି- ନୋହିଲେ ନାଆସବୁ ଭୀଷ୍ମ ପାରି ହୋଇ ପାରିବ ନାହିଁ । ଠିକ୍ ପୂରା ପାଣି ବି ହୋଇଗଲା । ଆଜି ଯାତ୍ରାର ଦିନ । ହଜାର ହଜାର ଦେଖଣହାରୀ ନଈ ଦୁଇ କୂଳରେ କାତାର ଦେଇ ଛିଡ଼ା ହୋଇଛନ୍ତି । ଗୋଟାଏ ଗୋଟାଏ ନାଆରେ ଚାରି ଚାରି ଜଣ ଆହୁଲା ଧରି ଛିଡା ହୋଇଗଲେ । ପଛରେ ମଙ୍ଗଧରା । ଆଗ ମଙ୍ଗ ଉପରେ ବାଟ-କଢାଣିଆ ଛିଡ଼ା ।ଏହି କଢ଼ାଣିଆ ନ ହେଲେ ନାଆ ଭୀଷ୍ମ ପାର ହୋଇପାରିବ ନାହିଁ ।

ଆଠମଲ୍ଲିକ ଉପରକୁ ମୁଣ୍ଡାପଡ଼ା ଗାଁଠାରୁ କଇଁତ୍ରା ଗଡ଼ଯାଏ ଷୋଳ ସତର ମାଇଲ ଭିତରେ ଭୀଷ୍ମ ପଡେ । ବଡ଼ ବଡ଼ ପଥର ସବୁ ମୁଣ୍ଡ ଟେକି ନଦୀମଧ୍ୟରେ ସଭା କରି ବସିଲା ପରି ବସିଛନ୍ତି । ବଢ଼ିପାଣିରେ ସେହି ପଥର ସବୁ ବୁଡ଼ିଗଲେ ତା ଉପର ଦେଇ ନାଆସବୁ ଭାସିଯାଏ । କେତେ ପଥର ବୁଡ଼େ ନାହିଁ । ଗୁଡ଼ାଏ ପଥର ଉପରେ ଚାଖଣ୍ଡେ, ଚାରି ଆଙ୍ଗୁଳ ଜଳ । ନାଉରୀକୁ ପଥର ଦିଶେନାହିଁ । ଏ ଭୀଷ୍ମ ଜାଗାଟାରେ