Jump to content

ପୃଷ୍ଠା:Galpa swalpa.djvu/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଳ୍ପସ୍ୱଳ୍ପ

ନଈ କମ୍ ଓସାର ଯୋଗୁଁ ପାଣିର ଭାରି ତୋଡ଼, ଘଣ୍ଟାକ ମଧ୍ୟରେ କୋଡ଼ିଏ ମାଇଲ ବାଟ ନାଆ ଭାସିଯାଏ । ସେହି ଭୀଷ୍ମ ମଧ୍ୟରେ ଅଙ୍କା ବଙ୍କା ସାପଚଳ ପରି ବାଟ । ନାଆ ସେହି ବାଟେ ଯାଏ । ସେ ବାଟଟା କଢାଣିଆକୁ ଜଣା । ସେ ଜାଗାରେ ପାଣିର ଭାରି ତୋଡ଼, ପଥରରେ ବାଜି ଏପରି ଶବ୍ଦ କରେ ଯେ, କଢ଼ାଣିଆ କଥା ପଛ ମଙ୍ଗଧରାକୁ ଶୁଭେ ନାହିଁ । କଢ଼ାଣିଆ ଦୁଇ ହାତରେ ବାଟ ଠାରି ଦେଉଥାଏ । ଭୀଷ୍ମ ପାର କରି ଦେଇ ବାଟକଢ଼ା କଇଁତ୍ରାଗଡଠାରେ ନାଆରୁ ଓହ୍ଲାଇ ପଡ଼େ । ତା କାମ ଛିଡ଼ିଲା । ତିନିଦିନ ହେଲା ଶ୍ରବଣା ପଶିଥିଲା, ଭାରି ପାଣି, ଭାରି ଝଡ଼ । କାଲି ସଞ୍ଜରୁ ପାଣି ଛାଡ଼ିଛି । ସକାଳେ ଅକାଶ ନିର୍ମଳ, ସୁର୍ଯ୍ୟଦେବତା ଜ୍ୱଳନ୍ତସୁନା ପେଣ୍ଡୁ ପରି ଉଇଁ ଆସିଲେ । ଫେର୍ ଥରେ ସାହୁ ଘର ଭିତରୁ ଭାରି କାନ୍ଦଣା, ଶଙ୍ଖ ହୁଳହୁଳି ଶୁଭିଲା । ବର କନ୍ୟା ନାଆରେ ବସିଲେ । 'ଜେ ଜେ ଗଙ୍ଗାମାତା' କ‌ହି ନାଉରୀମାନେ ଆଗେ ବର କନ୍ୟା ନାଆ ମେଲିଦେଲେ, ତା ପଛକୁ ତା ପଛକୁ ସବୁ ନାଆ ମେଲି ଗଲା । ଦୁଇ କୂଳରୁ ହଜାର ହଜାର ଲୋକ 'ହରିବୋଲ' ପକାଉଅଛନ୍ତି |

ଆଗ ନାଆ ଭାସି ଯାଇ ଦୁଇକୋଶ ଦୂର ଶ୍ୟାମପୁର ଗାଁ ସଳଖରେ ଯିମିତି ପହଞ୍ଚିଛି, ସୁର୍ଯ୍ୟ ଦେବତା ବୁଡ଼ିଗଲେ । ନାଉରିଏ ଜାଣନ୍ତି, "ଉଇଁ ନ ଦିଶେ, ହସି ପଶେ, ବାପ ବୋଲେ ପୁତା-ନିଶ୍ଚେ ବରଷେ । "ନଈ ଦୁଇ କୂଳ ଲୋକେ ଛିଡ଼ା ହୋଇ ଅନାଇଛନ୍ତି, ନାଉରିଏ ଭାରି ଆନନ୍ଦରେ 'ହରିବୋଲ' ଦେଇ ନାଆ ବାହି ଯାଉଛନ୍ତି । ଯୋଡ଼ାଏ ନାଆ ଖଜା ପିଠା ବୋଝାଇ, ନାଆ ଖଟାଇ ଖାଇବେ । ଏତିକିବେଳେ ଉତ୍ତର ପଶ୍ଚିମ କୋଣରୁ ହେଁସଖଣ୍ଡ ପରି ଖଣ୍ଡେ ସାନ ଧୂଳିଆ ମେଘ ଉଇଁ ଆସିଲା । ସିଲି ସିଲି ପବନ ଝଲକିଲା । ନାଉରିଏ ଡରିଗଲେ । ଆଉ ସମସ୍ତେ ବାହାଣରେ ଲାଗିଛନ୍ତି । 'ଜେ ଜେ-ଗଙ୍ଗାମାତା କି ଜେ' ଗୀତ ଗାଇ ଆହୁଲା ବାହୁଛନ୍ତି । ନାଆ ଯିମିତି ମୁଣ୍ଡପଡ଼ା ଗାଁମୁଣ୍ଡ ଛୁଇଁଛି, କଥା ପଦକେ ଗୋଟା ଅକାଶ ମେଘ ଘୋଡ଼େଇ ପକାଇଲା, ସଙ୍ଗେ ସଙ୍ଗେ ପବନ ତା ପଛକୁ ପାଣି । ପବନ ତ ପବନ, ଏପରି ଘୁଙ୍ଗୁଡିଆ ପବନ କାଳେ ସକାଳେ ଦେଖିବାର ନାହିଁ । ବେତନାସି ଗୋଛାରେ ବାଡ଼େଇଲା ପରି ନାଉରୀମାନଙ୍କ ଦେହକୁ ପାଣି ଛାଟ ମାରୁଛି । ଦିନଯାକ ବରଷା ଖାଇ ଯେଉଁମାନେ ନାଆ ବାହିଯାନ୍ତି, ଦଣ୍ଡକ ମଧ୍ୟରେ ସେ ନାଉରୀଗୁଡାକ ହାଲିଆ ହୋଇ ପଡିଲେଣି । ଦୁଇ କୂଳରୁ ଡାକ ପଡିଛି, "ନାଉରୀ କୂଳ ଭିଡ଼ା, କୂଳ ଭିଡ଼ା ।" ବାଟକଢ଼ା ଡାକୁଛି, "ମଙ୍ଗୁଆଳ କୂଳ ଦେଖା- ଆରେ କୂଳକୁ ଦେଖା । "ନାଆ କଣ ମଙ୍ଗ ମାନୁଛି । ଘୁଙ୍ଗୁଡିଆ ପବନ ନାଆର ଆଗ ମଙ୍ଗ ପଛକୁ କରି ଦେଉଛି, କେବେ ନାଆକୁ ଚକ ପରି ବୁଲାଇ ଦେଉଛି । ନଈ କୂଳର ଭାରି ପୁରୁଣା ଆମ୍ବ, ବର, ଓସ୍ତ ଗଛଗୁଡାକ ମାରିଷଗଛପରି ଉପୁଡ଼ି ପଡ଼ିଛି । ପୂର୍ବାଳି ଗୋଟାଏ ଭାରି ଦମକା ପବନ ବାଡ଼େଇ ଦେଲା । ନାଆ ଉପରେ ମଙ୍ଗଧରା, ବାହାଣିଆ, ବାଟକଢ଼ା, ସବୁଗୁଡାକ ଝୁପ୍ ଝାପ୍ କରି ନଈରେ ପଡିଗଲେ । ତଣ୍ଟିଆ ଦେଇ ସେମାନଙ୍କୁ କିଏ ଯେମନ୍ତ ପାଣିରେ ମାଡ଼ିଦେଲା । ନାଆ ଗୁଡାକ ଗୋଟାକ ଉପରେ ଗୋଟାଏ ବାଡ଼େଇ ହେଉଛନ୍ତି, ଗୁଡ଼ାଏ ଠୋକର ଖାଇ ଭାଙ୍ଗି ଗୁଣ୍ଡା ହୋଇଗଲାଣି । ଆଉ ଦଣ୍ଡେ ସତାର କରିଥିଲେ ନାଆସବୁ ସୁଅ ପାଣିରେ ପଡି ଭାସି ଯାଇଥାନ୍ତା; ମାତ୍ର କଇଁତ୍ରାଗଡ଼ ମୁଣ୍ଡରେ ନଈ ମଝିରେ ଗୋଟାଏ ବଡ ଭୀଷ୍ମ ମହାକାଳଦୂତପରି-ଛିଡା ହୋଇଥିଲା, ସବୁ ନାଆ ତା ଉପରେ ବାଡେଇ ହୋଇ ଭାଙ୍ଗି ଚୂନା ହୋଇଗଲା । ଖଣ୍ଡେ ନାଆ ବର୍ତ୍ତି ପାରିଲା ନାହିଁ । ମନୁଷ୍ୟ ବା ବୋଝାଇ ଜିନିଷ କାହାରି ଚିହ୍ନବର୍ଣ୍ଣ ନାହିଁ, ଗୁଡ଼ାଏ ପଟା ଭାସି ଭାସି ଯାଉଛି |