ପୃଷ୍ଠା:Galpa swalpa.djvu/୫୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଫକୀରମୋହ‌ନ ଗ୍ରନ୍ଥାବଳୀ

ଦିନ ରାତି ଚକୁଆ ଚକୋଇ ପରି ଉଆସ ଭିତର ପଦ୍ମାବତୀ ଖଞ୍ଜାରେ ବସି ଆନନ୍ଦ ଉତ୍ସବରେ ଦିନ କାଟୁଥାନ୍ତି । ନାଆ ଭଙ୍ଗାଠାରୁ ବରଷେ କାଳ କିଏ କିପରି ଥିଲା, ସେହି ଦୁଃଖକାହାଣୀ କେହି କାହାକୁ ପଚାରି ନାହିଁ । ଆଜି କଥା କଥାକେ ସେହି କଥା ପଡ଼ିଗଲା । ବିଦ୍ୟାଧର କହିଲା, "ନାଆ ଯିମିତି ଭାଙ୍ଗିଗଲା, ମୁଁ ଖଣ୍ଡେ ପଟା ଉପରେ ପେଟେଇ ପଡ଼ି ଭାସୁଥାଏଁ । ତୁମେ କୁଆଡେ ଗଲ, ଅନାଇଲି । ତୁମେବି ଖଣ୍ଡେ ପଟା ଉପରେ ପଡ଼ି ଭାସୁଥିଲ, ଥରେ କେବଳ ଦେଖିଥିଲି । ପଛନ୍ତେ ଶୁଣିଲି, ତହିଁ ଆରଦିନ ସକାଳେ ନଦୀ ମଧ୍ୟରେ ଭାସି ଭାସି ଯାଉଥିଲି, ଖଣ୍ଡେ ନାଆର ନାଉରୀ ମାନେ ମୋତେ ଦେଖି ଉଠାଇନେଲେ । ଚାରିଦିନ ବାଦେ ମୋର ଚେତା ବସିଲା, ଅନାଇ ଦେଖିଲି ଗୋଟାଏ ବଡ଼ ଘରେ ଶୋଇଛି । ପଛନ୍ତେ ଶୁଣିଲି, ସେଇଟା ଗୋବିନ୍ଦପୁର ଗାଁର ଗୋପାଳଜୀ ମଠ, କଟକଠାରୁ ଦୁଇକୋଶ ତଳକୁ । ବୁଢ଼ା ମହନ୍ତ ଲଳିତା ଦାସ ବାବାଜୀ ମୋତେ ବଞ୍ଚାଇବା ପାଇଁ ଖୁବ୍ ଯତ୍ନ କରୁଥାନ୍ତି । ମାସକ ବାଦେ ଚାଲିବୁଲି ପାରିଲି । ତୁମ ବାପା ଯେଉଁ ସୁନା ଗବତାରଟା ଦେଇଥିଲେ, ଅଣ୍ଟାରେ ଥିଲା, ମହନ୍ତକୁ ଦେଲି । ବିକି ମୋ ପିଛେ ଖରଚ କରିବାକୁ କହିଲି ।ମହନ୍ତ ନାହିଁ ନାହିଁ କରି ନେଲେ । ମୋର ଟିକିଏ ବଳ ଆସିଥାଏ, ତୁମ କଥା, ବାପାଙ୍କ କଥା ମନରେ ପଡ଼ିଲେ ପୁଣି ଦଶ ପନ୍ଦର ଦିନ ପଡ଼ିଯାଏଁ । ଏହିପରି ଆଠ ଦଶ ମାସ କାଳ ବିତିଗଲା । କଟକ ଜିଲ୍ଲାରେ ବାପାଙ୍କ ନାମଡାକ । ଲଳିତା ଦାସେ ବାପାଙ୍କ ନାମ ଶୁଣି ମୋତେ ଆହୁରି ଅଧିକ ଯତ୍ନ କଲେ, ଆମ ଘରଠାକୁ ଖବର ପଠାଇଲେ । ଲୋକେ ବାହୁଡ଼ି ମୋ ମାତାଙ୍କ ବିଯୋଗ କଥା କହିଲେ । ମୁଁ ଆହୁରି ବି ମାସେଯାଏ ବିଛଣାରେ ପଡ଼ି ରହିଲି । ତହିଁ ଉତ୍ତାରେ ସ୍ଥିର କଲି, ଘରକୁ ଯିବି ନାହିଁ । ସନ୍ୟାସୀ ହୋଇ ତୀର୍ଥରେ ବୁଲିବି । ଦେହରେ ବଳ ହେବାରୁ ଚାଲି ଚାଲି ଘରକୁ ଗଲି । ଘରେ ଯାଇ ଯାହା ଦେଖିଲି, ଦଣ୍ଡେ ରହିବାକୁ ଇଚ୍ଛା ବଳିଲା ନାହିଁ । ପୁରୋହିତ ଦିବାକର ଦ୍ୱିବେଦୀ, ଶାସନର ଆଉ ଆଉ ଯେଉଁମାନଙ୍କର ଜମି ବାପା ନିଲାମରେ ଧରି ନେଇଥିଲେ, ଡକାଇ ସମସ୍ତ ଜମି ଫେରାଇ ଦେଲି । ରେଜେଷ୍ଟରୀ, ଅରେଜେଷ୍ଟରୀ ଗୁଜା ଯେତେ ଦଲିଲ ଥିଲା, ଆଉ ଧାନ କରଜା ପାଞ୍ଜି, ସବୁ ପୋଡ଼ି ପକାଇ ଖାତକମାନଙ୍କୁ ଖବର ଦେଲି, ଆଉ ସେମାନଙ୍କୁ ଟଙ୍କା ଦେବାକୁ ହେବ ନାହିଁ । ଧାନ, ଗୋରୁ, ବାସନକୁସନ ଯାହା କିଛି ଥିଲା, ଦେଶ ଲୋକଙ୍କୁ ବାଣ୍ଟି ଦେଇ ଦିନେ ରାତିରେ କାହାକୁ କିଛି ନ କହି ଘରୁବାହାରି ଆସିଲି । ମନରେ କଲି, ଆଉ ତ ଗୁରୁଜନ କେହି ନାହିଁ, ଶ୍ୱଶୁରଙ୍କୁ ଶେଷ ଦର୍ଶନ କରି ତାଙ୍କ ପାଦଧୁଳି ମୁଣ୍ଡରେ ଦେଇ ବାହାରି ଯିବି । କଟକଯାଏ ଆସିଲି । ଝାଡ଼ ମୁଲକରେ ବାପାଙ୍କୁ ସମସ୍ତେ ଜାଣନ୍ତି । ମହାନଦୀ କୂଳ ଗଡ଼ଗଡ଼ିଆ ପାଖ ଘାଟରେ ଖଣ୍ଡେ ସୋନପୁରୀ ନାଆରେ ଉଠି ବସିଲି । ଆସୁ ଆସୁ ଲଙ୍ଗଳକଣ୍ଟା ଠାରେ- "ପଦ୍ମାବତୀ ପଣନ୍ତକାନିରେ ବିଦ୍ୟାଧର ମୁହଁ ବୁଜି ଧରି କହିଲା, "ଆଉ କିଛି କହନା ।" ବିଦ୍ୟାଧର ଆତ୍ମକାହାଣୀ ବର୍ଣ୍ଣନ ସମୟରେ ପଦ୍ମା ଆଖିରୁ ଦୁଇଧାର ଲୋତକ ବହୁଥାଏ ।

ବିଦ୍ୟାଧର କହିଲା, "ଏବେ ତୁମ କଥା କହ । "ପଦ୍ମା ମୁହଁ ପୋଛି ଆତ୍ମକାହାଣୀ କହିବାକୁ ଲାଗିଲା, "ମୁଁ ଲଙ୍ଗଳକଣ୍ଟା ଦନେଇ ଦଳେଇ ଘରେ ଥିଲି । ଦଳେଇ ଗାଁ ମଧ୍ୟରେ ଥିଲାବାଲା ଲୋକ । ଗ୍ରାମର ସମସ୍ତ ଲୋକ ମାନନ୍ତି । ଘର ଆଗରେ ଗୋଟିଏ ଠାକୁର ମନ୍ଦିର କରିଛି, ସଦାବର୍ତ୍ତ ଦିଏ । ଶୁଣିଲି, ମୁଁ ତୁଠରେ ଅଚେତ ହୋଇ ପଡିଥିଲି । ଦଳେଇ ଘର ମାଇପେ ମୋତେ ଗୋଟାଇ ଘେନି ଯାଇଥିଲେ । ଦଳେଇ ଆଉ ତା ଭାର୍ଯ୍ୟା ମୋତେ ବଡ ଆଦରରେ ରଖିଥିଲେ, ଝିଅରୁ ବଳି ସ୍ନେହ କରନ୍ତି । ମୋ ପାଇଁ ମନ୍ଦିରରୁ ପ୍ରସାଦ ଆସେ । ମୁଁ କାନ୍ଦିଲେ ଦଳେଇ ଭାର୍ଯ୍ୟା ସାନ୍ୱନା ଦିଏ,