ପୃଷ୍ଠା:Galpa swalpa.djvu/୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ

ଦେଇ ରୋଜଗାର କରାଇ ଦେଇଥିଲେ । ବାବୁଙ୍କ ସାହାଯ୍ୟ ଓ ଯତ୍ନରେ ଢେର ପିଲା କଟକରୁ ଶିକ୍ଷିତ ହୋଇ ଆସିଛନ୍ତି । ବଡ ବଡ ଚାଷୀ,ସରକାରୀ ଚାକିରିଆ, ମହାଜନ ଲୋଡିଲେ ଉଣା ଅଧିକ ଚାଳିଶ ପଞ୍ଚାଶ ସରିକି ବାହାରି ପାରିବେ । ନୁଆ ଜମିଦାର ବାବୁ ଖୋଜି ବସିଲେ ଗ୍ରାମ ମଧ୍ୟରେ ଶିକ୍ଷିତ କୁସଂସ୍କାର-ବର୍ଜିତ ଲୋକ ଅଛନ୍ତି କି ନାହିଁ । ପ୍ରାଇମେରୀ,ଅପର ପ୍ରାଇମେରୀ ପାସ୍,ଛାତ୍ରବୃତ୍ତି ଫେଲ ଢେର ଶିକ୍ଷିତ ସ୍ୱାଧୀନମନା ଲୋକ ଗ୍ରାମରେ ବୁଲୁଥିଲେ । ଜମିଦାରଙ୍କ ଆହ୍ୱାନରେ ତୁରନ୍ତ ହାଜର ହୋଇଗଲେ । ଜମିଦାରୀ କଚେରି ଘରେ ସନ୍ଧ୍ୟା ସମୟରେ ପ୍ରଥମ ସଭା ବସିଲା । ନିଜେ ଜମିଦାର ବାବୁ ଢେର ବକୃତା କଲେ । ସେଥିର ସାରମର୍ମ, 'ହେ ସଭ୍ୟ ମହୋଦୟଗଣ! ଏ ଦେଶର ଦୁଃଖ ଦୁଃର୍ଦ୍ଦଶାର କାରଣ ଲୋଡିଲେ ଦିନ ଆଲୁଅ ପରି ଜଣାଯିବ । ମୂର୍ଖତା,କୁସଂସ୍କାର,ଅବଳା, ଭଗିନୀମାନଙ୍କୁ ଘର ଭିତରେ ଲୁଚାଇ ରଖିବା ସମସ୍ତର ମୂଳ । ଏ ସମସ୍ତ ଦୂର କରିବା ସର୍ବାଗ୍ରେ ଉଚିତ । 'ଆଉ ସମସ୍ତେ କିଛି ନ ବୁଝି ପାରି ମୁହଁ ଚାହାଁଚାହିଁ ହେଲେ । ବାବୁ ହରିବୋଲ ପଟ୍ଟନାୟକେ ଚଞ୍ଚଳ ଛିଡା ହୋଇ ପଡି କହିଲେ,"ସୁଶିକ୍ଷିତ ଜମିଦାର ମହୋଦୟଙ୍କ ପ୍ରସ୍ତାବ ଦ୍ୱିତୀୟ କରୁଛି । ଉଚିତ, ଖୁବ୍ ଉଚିତ,ନିଶ୍ଚୟ ଉଚିତ,ଶୀଘ୍ର ଉଚିତ ।" ଜମିଦାର ବାବୁ ଭାରି ଖୁସି ହୋଇ ବାବୁଙ୍କର ପରିଚୟ ପଚାରିଲେ । ହରିବୋଲ ବାବୁଙ୍କ ଘର ଏହି ଗ୍ରାମରେ,ଇଂରାଜୀ ମାଇନର ପାସ । ବିଦୁପୁର ପୋଷ୍ଟ ଅଫିସରେ ସବ୍ ପୋଷ୍ଟମାଷ୍ଟର ଥିଲେ, ଅନ୍ୟାନ୍ୟ କର୍ମଚାରୀ ଅର୍ଥାତ୍ ପିଅନମାନେ ବଡ ଚୋର ଓ ଅଯୋଗ୍ୟ ଲୋକ ଥିଲେ । ବାବୁ ସେମାନଙ୍କୁ ଶାସନ କରିବାରୁ ସେମାନେ ସରକାରୀ ତହବିଲ ଟ୧୬୨ ଚୋରି କରି ବାବୁଙ୍କ ନାମରେ ଗଡାଇ ଦେଲେ । ମେଜେଷ୍ଟର ସାହେବ ତାଙ୍କୁ ଛ ମାସ କଟକରେ ଅଟକାଇ ରଖିଲେ ସତ୍ୟ;ମାତ୍ର ପଛନ୍ତେ ଅସଲ ହାଲ ଜାଣିପାରି ନିର୍ଦ୍ଦୋଷ ବୋଲି ଛାଡି ଦେଇଥିଲେ । ବାବୁ ବିରକ୍ତ ହୋଇ ପର ଅଧୀନରେ ଚାକିରି ଛାଡି ଦେଇଛନ୍ତି । ଜମିଦାର ବାବୁ ଭାରି ଖୁସି। ଗ୍ରାମ ମଧ୍ୟରେ ତାଙ୍କୁ ଯୋଗ୍ୟ ଲୋକ ବୋଲି ସ୍ଥିର କଲେ। ଆପାତତଃ ଜ୍ଞାନବର୍ଦ୍ଧିନୀ ଓ ସ୍ତ୍ରୀସ୍ବାଧିନତାବର୍ଦ୍ଧିନୀ ଯୋଡିଏ ସଭା ବସିବାର ସ୍ତିର ହେଲା। ଦୁଇ ସଭାର ସମ୍ପାଦକ ହରିବୋଲ ବାବୁ । ପ୍ରତିଦିନ ନିୟମିତରୂପେ ସଭାକାର୍ଯ୍ୟ ଚଳିଲା । ସଭାକାର୍ଯ୍ୟ ଶେଷ ହେବାକୁ ଅଧିକ ରାତ୍ରି ହୋଈଯାଏ । ସଭ୍ୟ ମାନେ ଘରକୁ ଯାଇ ପାରନ୍ତି ନାଇଁ , କଚେରୀ ଘରେ ସେମାନଙ୍କ ଭୋଜନ ପାନର ବନ୍ଦୋବସ୍ତ ହୁଏ । ଗୋଟିଏ ବାଳିକା ବିଦ୍ୟାଳୟ ଓ ଜନାନା ସ୍କୁଲ ବସିବାର ବନ୍ଦୋବସ୍ତ ହେଲା। ରୋଜ ରୋଜ ତାଙ୍କ ଦାଖଲ କରି କରି ବୁଢା ପଟ୍ଟନାୟକ ହଇରାଣ । ଟିକିଏ ବିଳମ୍ବ ବା ମୋଡ ମୋଡ ହେଲେ ବାବୁ ଭାରି ଖପ୍ପା । ଟଙ୍କା ଗୁଡାକ କୁଆଡେ ଯାଏ , କି କାରବାର ହୁଏ ,ଇଦମଥି ନହିଁ । ଦିନେ ସନ୍ଧ୍ୟାବେଳେ ମା ସାନ୍ତାଣୀ ଓ ପଟ୍ଟନାୟକଙ୍କ ମଧ୍ୟରେ କଥା ହେଲା । । ପଟ୍ଟନାଇକେ - ଆଜ୍ଞା , ସବୁ ବୁଡି ବସିଲା ! ମା ସନ୍ତାଣୀ - ରହିବ ପରା।, ନିଜେ ମୂର୍ଖ , କିଛି ବୁଝିବାର ନହିଁ , ମୂଳକର ଚୋର ରୁଣ୍ଡ , ଟିକିଏ ଧର୍ମଭାବନା ଭଲା ଥାନ୍ତା ! ଏହି ଘରେ ପୁଣି ମଦ ମାଂସ ! ରାଧେକୃଷ୍ଣ ରାଧେକୃଷ୍ଣ ! ପଟ୍ଟନାୟକେ ତୁମେ ଅଲଗା ହୋଇଯାଅ ।" ପଟ୍ଟନାୟକେ ନିଶ୍ୱାସଟାଏ ପକାଇଲେ । ପଟ୍ଟନାୟକଙ୍କୁ କିଛି କହିବାକୁ ହେଲା ନହିଁ । ରାତ୍ରି ସଭାରେ ସ୍ଥିର ହୋଈଗଲା , "ବୁଢାଟା ଅଯୋଗ୍ୟ , କୁସଂସ୍କାରୀ , ସଭାର ବିଘ୍ନକାରୀ - ସେ ବରଖାସ୍ତ । ହରିବୋଲ ବାବୁ ଭାରି ଯୋଗ୍ୟ ଲୋକ , ସଭା ଏବଂ