ପୃଷ୍ଠା:Galpa swalpa.djvu/୫୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


ମହାପାତ୍ରଙ୍କ ଗଙ୍ଗାଲାଭ |ପିତାର ମୃତ୍ୟୁରେ ଡକା ପକାଇ କାନ୍ଦିବା ଗୋଟାଏ କୁସଂସ୍କାର |ଶୋକ ପ୍ରକାଶ ଲାଗି ସଭାରେ ତିନିଦିନ ବକୃତା ହୋଇଗଲାଣି |ବାବୁ ଖଣ୍ଡେ କଳା କନା ହାତରେ ବାନ୍ଧିଲେ |ସ୍ଥିର ହେଲା, ବାହ୍ମୁଣ ଡାକି ଶ୍ରାଦ୍ଧ କରିବାଟା କୁସଂସ୍କାର,କେବଳ ସଭାଗୃହରେ ଭୋଜୀ ଆଉ ଦରିଦ୍ରମାନଙ୍କୁ ଅର୍ଥ ବିତରଣ,ଡାକ୍ତରଖାନାମାନଙ୍କୁ ଚାନ୍ଦା ଦିଆଯିବ |ମାତ୍ର ମହାଜନ ବଳ ବାବୁଙ୍କ ଡରରେ ଏ ସମସ୍ତ ପ୍ରସ୍ତାବ କାର୍ଯ୍ୟରେ ପରିଣତ ହୋଇପାରିଲା ନାହିଁ |

ମହାଜନ ବଳ ବାବୁ ପିଲାଟିକୁ ଯତ୍ନରେ ପାଖରେ ରଖିଲେ |ଇଚ୍ଛା,ପିତୃକାର୍ଯ୍ୟରେ ଉତ୍ତରାଧିକାରୀ ହେଉ |ମାତ୍ର ସେ ଇଂରାଜୀ ପାଠ ପଢିଛି ସତ, ବେପାର ବଣିଜ କାମ କିଛି ଶିଖି ନାହିଁ |ଆଶା,କାମରେ ବାପଠାରୁ ବଳି ପଡିବ,ଗୋପାଳ ଯେ ଅକ୍ଷର ଜାଣି ନ ଥିଲା |ଢେର ବର୍ଷ ଯାଏ ସ୍କୁଲ ପାଠ ପଢିଛି |ମହାଜନ ପାଖରେ ବସାଇ କାମ ଶିଖାଇବାକୁ ଲାଗିଲେ,ମଧ୍ୟ ଶିଖାଇବାପାଇଁ କର୍ମଚାରୀମାନଙ୍କୁ ଉପଦେଶ ଦେଲେ |ଏଣେ ରାଜୀବ ବାବୁର ଗଦିରେ ବସିବାକୁ ମନ ନାହିଁ |ମହାଜନେ ଧରାଧରି କରି ବସାଇଲେ;କାମରେ ମନ ନାହିଁ,କଣଟାଏ ବସି ଭାବୁଥାଏ,ମଙ୍ଗଳବାର ଶନିବାର ରାତିରେ କୁଆଡେ ଚାଲିଯାଏ |ବଳବାବୁ ମନରେ କଲେ,ହାତରେ ପାଇଟି ପଡିଲେ ବା ବାଟକୁ ଆସିବ |ଯେ କାମ ଦେଲେ,ଲାଭ ଥାଉ ମୂଳରୁ ତୁଟି କରି ବସେ |

ଲାଗ ଲାଗ ଯୋଡାଏ ସଭାରେ ସମ୍ପାଦକ ଅନୁପସ୍ଥିତ ହେବାରୁ ସଭ୍ୟମାନେ ବଡ ଖପା ହୋଇ ଗଲେଣି |ଅନୁପସ୍ଥିତିର କାରଣ ସନ୍ଧାନ କରି ଦିନେ ଜଣେ ସଭ୍ୟ ସ୍ୱାଧୀନତା ବିଷୟରେ ଭାରି ଗୋଟାଏ ବକୃତା କଲେ |ସେଥିର ମର୍ମ -'ଶିକ୍ଷିତ ଜମିଦାର ସନ୍ତାନ ପକ୍ଷରେ ପର ଅଧିନରେ ଚାକିରି କରିବା ଉଚିତ ନୁହେଁ |"ବକୃତା ସଙ୍ଗେ ସଙ୍ଗେ ଗୋଟିଏ କବିତା ପାଠ କରିଥିଲେ | 'ଯାହାର ଅଛି ଧନ ଜ୍ଞାନ ଅଧିକ, ଚାକିରି କଲେ ତା ଜୀବନ ଧିକ ଧିକ|'

ସଭାରେ ଖୁବ୍ ହାତ ତାଳି ପଡିଲା |ରାଜୀବ ବାବୁଙ୍କ ମନରେ କଥାଟା ଲାଖିଗଲା | ତହିଁ ଆରଦିନ ଦିନ ଯାକ ରାଜୀବ ବାବୁଙ୍କୁ ଢେର ଖୋଜତଲାସ୍ ହେଲା,ଭେଟ ମିଳିଲା ନାହିଁ |ମହାଜନ ଆଗରୁ ଭାରି ଖପା ହୋଇଥିଲେ,କେବଳ ଗୋପାଳକୁ ମନରେ କରି କିଛି କହିପାରୁ ନ ଥିଲେ |ସଞ୍ଜବେଳେ ଭେଟ ପାଇବାରୁ ତାକୁ କାରବାରରୁ ଜବାବ ଦେଲେ |ରାଜୀବ ବାବୁ ତ ତାହି ଲୋଡୁଥିଲେ |ଇଚ୍ଛା ଥିଲା,ଅନ୍ୟ ଜାଗାରେ ବସା କରି ସଭା ସମିତି ଚଳାଇବେ,ମାତ୍ର ପାରିଲେ ନାହିଁ |ମହାଜନ ବଳବାବୁ ଧରାଧରି କରି ଗ୍ରାମକୁ ପଠାଇ ଦେଲେ |

ପାଞ୍ଜିଆ ଗୁମାସ୍ତା ପ୍ରଜାପାଟକଙ୍କ ମନ ଭାରି ଖୁସି |ନୂଅ ଜମିଦାରଙ୍କୁ ଅଧବାଟରୁ ପାଛୋଟି ନେଲେ|ଶୁଣିଥିଲେ, ନୂଆ ଜମିଦାର ସରକାରୀ ସ୍କୁଲରେ ଢେର ପାଠ ପଢି ତାଲିମ ହୋଇଛନ୍ତି |ଭେଟିବାପାଇଁ ତହିଁ ଆରଦିନ ସକାଳେ ଗୋଟିଏ ସଭା ହେବାର ସ୍ଥିର ହେଲା |ସଭା ନାମ ଶୁଣି ଜମିଦାଙ୍କ ମନ ଭାରି ଖୁସି |ଠିକ୍ ନିରୂପିତ ବେଳରେ ପୁରୁଣା ବୁଢା ପାଞ୍ଜିଆ ରଙ୍ଗାଧର ମହାନ୍ତି ଜମିଦାରଙ୍କୁ ଗଦିରେ ବସାଇ ଦେଲେ |ତାଲୁକ କିଣା ଦିନଠାରୁ ମହାନ୍ତି ଶେଠ ପାଞ୍ଜିଆ କାମରେ ଅଛନ୍ତି |ଲୋକଟି ବଡ ବିଶ୍ୱାସୀ, କାମଦାର ଲୋକ,ସାନ୍ତାଣୀଙ୍କ ଡାହାଣ ହାତ |ତାଙ୍କ ଯତ୍ନରେ ଜମିଦାରୀ ଆୟ ଖୁବ୍ ବଢିଛି |ଜମିଦାର ତ ସବୁବେଳେ କଲିକତାରେ |ଏହାଙ୍କୁ ଧରି ସାନ୍ତାଣୀ ସବୁ ମାମଲତ ବୁଝାସୁଝା କରୁଥିଲେ |

ତାଲୁକ ମଧ୍ୟରେ ଶାମପୁର ଗ୍ରାମଟି ସବୁଠୁ ବଡ , ଥିଲାଲୋକ ଢେର । ଗୋପାଳ ବାବୁ ଢେର ଲୋକଙ୍କୁ କଲିକତାରେ ନାନା କାମରେ