Jump to content

ପୃଷ୍ଠା:Galpa swalpa.djvu/୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଗଳ୍ପ ସ୍ୱଳ୍ପ

ମହାପାତ୍ରଙ୍କ ଗଙ୍ଗାଲାଭ । ପିତାର ମୃତ୍ୟୁରେ ଡକା ପକାଇ କାନ୍ଦିବା ଗୋଟାଏ କୁସଂସ୍କାର । ଶୋକ ପ୍ରକାଶ ଲାଗି ସଭାରେ ତିନିଦିନ ବକୃତା ହୋଇଗଲାଣି । ବାବୁ ଖଣ୍ଡେ କଳା କନା ହାତରେ ବାନ୍ଧିଲେ । ସ୍ଥିର ହେଲା, ବାହ୍ମୁଣ ଡାକି ଶ୍ରାଦ୍ଧ କରିବାଟା କୁସଂସ୍କାର,କେବଳ ସଭାଗୃହରେ ଭୋଜୀ ଆଉ ଦରିଦ୍ରମାନଙ୍କୁ ଅର୍ଥ ବିତରଣ,ଡାକ୍ତରଖାନାମାନଙ୍କୁ ଚାନ୍ଦା ଦିଆଯିବ । ମାତ୍ର ମହାଜନ ବଳ ବାବୁଙ୍କ ଡରରେ ଏ ସମସ୍ତ ପ୍ରସ୍ତାବ କାର୍ଯ୍ୟରେ ପରିଣତ ହୋଇପାରିଲା ନାହିଁ ।

ମହାଜନ ବଳ ବାବୁ ପିଲାଟିକୁ ଯତ୍ନରେ ପାଖରେ ରଖିଲେ । ଇଚ୍ଛା,ପିତୃକାର୍ଯ୍ୟରେ ଉତ୍ତରାଧିକାରୀ ହେଉ । ମାତ୍ର ସେ ଇଂରାଜୀ ପାଠ ପଢିଛି ସତ, ବେପାର ବଣିଜ କାମ କିଛି ଶିଖି ନାହିଁ । ଆଶା,କାମରେ ବାପଠାରୁ ବଳି ପଡିବ,ଗୋପାଳ ଯେ ଅକ୍ଷର ଜାଣି ନ ଥିଲା । ଢେର ବର୍ଷ ଯାଏ ସ୍କୁଲ ପାଠ ପଢିଛି । ମହାଜନ ପାଖରେ ବସାଇ କାମ ଶିଖାଇବାକୁ ଲାଗିଲେ,ମଧ୍ୟ ଶିଖାଇବାପାଇଁ କର୍ମଚାରୀମାନଙ୍କୁ ଉପଦେଶ ଦେଲେ । ଏଣେ ରାଜୀବ ବାବୁର ଗଦିରେ ବସିବାକୁ ମନ ନାହିଁ । ମହାଜନେ ଧରାଧରି କରି ବସାଇଲେ;କାମରେ ମନ ନାହିଁ,କଣଟାଏ ବସି ଭାବୁଥାଏ,ମଙ୍ଗଳବାର ଶନିବାର ରାତିରେ କୁଆଡେ ଚାଲିଯାଏ । ବଳବାବୁ ମନରେ କଲେ,ହାତରେ ପାଇଟି ପଡିଲେ ବା ବାଟକୁ ଆସିବ । ଯେ କାମ ଦେଲେ,ଲାଭ ଥାଉ ମୂଳରୁ ତୁଟି କରି ବସେ ।

ଲାଗ ଲାଗ ଯୋଡାଏ ସଭାରେ ସମ୍ପାଦକ ଅନୁପସ୍ଥିତ ହେବାରୁ ସଭ୍ୟମାନେ ବଡ ଖପା ହୋଇ ଗଲେଣି । ଅନୁପସ୍ଥିତିର କାରଣ ସନ୍ଧାନ କରି ଦିନେ ଜଣେ ସଭ୍ୟ ସ୍ୱାଧୀନତା ବିଷୟରେ ଭାରି ଗୋଟାଏ ବକୃତା କଲେ । ସେଥିର ମର୍ମ -'ଶିକ୍ଷିତ ଜମିଦାର ସନ୍ତାନ ପକ୍ଷରେ ପର ଅଧୀନରେ ଚାକିରି କରିବା ଉଚିତ ନୁହେଁ । "ବକୃତା ସଙ୍ଗେ ସଙ୍ଗେ ଗୋଟିଏ କବିତା ପାଠ କରିଥିଲେ । 'ଯାହାର ଅଛି ଧନ ଜ୍ଞାନ ଅଧିକ, ଚାକିରି କଲେ ତା ଜୀବନ ଧିକ ଧିକ। '

ସଭାରେ ଖୁବ୍ ହାତ ତାଳି ପଡିଲା । ରାଜୀବ ବାବୁଙ୍କ ମନରେ କଥାଟା ଲାଖିଗଲା । ତହିଁ ଆରଦିନ ଦିନ ଯାକ ରାଜୀବ ବାବୁଙ୍କୁ ଢେର ଖୋଜତଲାସ୍ ହେଲା,ଭେଟ ମିଳିଲା ନାହିଁ । ମହାଜନ ଆଗରୁ ଭାରି ଖପା ହୋଇଥିଲେ,କେବଳ ଗୋପାଳକୁ ମନରେ କରି କିଛି କହିପାରୁ ନ ଥିଲେ । ସଞ୍ଜବେଳେ ଭେଟ ପାଇବାରୁ ତାକୁ କାରବାରରୁ ଜବାବ ଦେଲେ । ରାଜୀବ ବାବୁ ତ ତାହି ଲୋଡୁଥିଲେ । ଇଚ୍ଛା ଥିଲା,ଅନ୍ୟ ଜାଗାରେ ବସା କରି ସଭା ସମିତି ଚଳାଇବେ,ମାତ୍ର ପାରିଲେ ନାହିଁ । ମହାଜନ ବଳବାବୁ ଧରାଧରି କରି ଗ୍ରାମକୁ ପଠାଇ ଦେଲେ ।

ପାଞ୍ଜିଆ ଗୁମାସ୍ତା ପ୍ରଜାପାଟକଙ୍କ ମନ ଭାରି ଖୁସି । ନୂଆ ଜମିଦାରଙ୍କୁ ଅଧବାଟରୁ ପାଛୋଟି ନେଲେ। ଶୁଣିଥିଲେ, ନୂଆ ଜମିଦାର ସରକାରୀ ସ୍କୁଲରେ ଢେର ପାଠ ପଢି ତାଲିମ ହୋଇଛନ୍ତି । ଭେଟିବାପାଇଁ ତହିଁ ଆରଦିନ ସକାଳେ ଗୋଟିଏ ସଭା ହେବାର ସ୍ଥିର ହେଲା । ସଭା ନାମ ଶୁଣି ଜମିଦାଙ୍କ ମନ ଭାରି ଖୁସି । ଠିକ୍ ନିରୂପିତ ବେଳରେ ପୁରୁଣା ବୁଢା ପାଞ୍ଜିଆ ରଙ୍ଗାଧର ମହାନ୍ତି ଜମିଦାରଙ୍କୁ ଗଦିରେ ବସାଇ ଦେଲେ । ତାଲୁକ କିଣା ଦିନଠାରୁ ମହାନ୍ତି ଶେଠ ପାଞ୍ଜିଆ କାମରେ ଅଛନ୍ତି । ଲୋକଟି ବଡ ବିଶ୍ୱାସୀ, କାମଦାର ଲୋକ,ସାନ୍ତାଣୀଙ୍କ ଡାହାଣ ହାତ । ତାଙ୍କ ଯତ୍ନରେ ଜମିଦାରୀ ଆୟ ଖୁବ୍ ବଢିଛି । ଜମିଦାର ତ ସବୁବେଳେ କଲିକତାରେ । ଏହାଙ୍କୁ ଧରି ସାନ୍ତାଣୀ ସବୁ ମାମଲତ ବୁଝାସୁଝା କରୁଥିଲେ ।

ତାଲୁକ ମଧ୍ୟରେ ଶାମପୁର ଗ୍ରାମଟି ସବୁଠୁ ବଡ , ଥିଲାଲୋକ ଢେର । ଗୋପାଳ ବାବୁ ଢେର ଲୋକଙ୍କୁ କଲିକତାରେ ନାନା କାମରେ