ପୃଷ୍ଠା:Galpa swalpa.djvu/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ

ବେଳେ ପୋଇଲି ପରୀ ହାଣ୍ଡିଏ ଗୋବର ପାଣି ଧରି କନା ଖଣ୍ଡିକରେ ଚୂଲୀ ଲିପୁଥିଲା,ଯୋତାର ଠକ ଠକ ଶବ୍ଦ ଶୁଣି ଯିମିତି ମୁହଁ ବଙ୍କାଇ ପଛକୁ ଚାହିଁ ଦେଇଛି, ଭାରି ପାଟିଟାଏ କଲା," ଆଲୋ ମୋ ମା ଲୋ!ଆଲୋ ମୋ ବାପା ଲୋ! ଯୋତା ମାଡି ହାଣ୍ଡିଶାଳରେ ପଶିଲା ଲୋ! ହାଣ୍ଡିଶାଳ ମାରୁ ଗଲା ଲୋ !" କନା ଖଣ୍ଡ ଫୋପାଡି ଦେଇ ଏକମୁହାଁ ଧାଇଁଛି । ଆଉ ଉଆସରେ ତାକୁ କେହି କେବେ ଦେଖି ନାହିଁ । ଏଣେ ମିସେସ୍ ମହାପାତ୍ର 'ଉଆ ଉଆ ଉଆ' କହି ଅନ୍ୟ ଆଡକୁ ଧାଇଁଛନ୍ତି,ମୁହଁରେ ରୁମାଲ ଯାକି ନ ଥିଲେ,କେଜାଣି ବାନ୍ତି କରି ପକାଇଥାନ୍ତେ । ଏକାବେଳକେ ଶିଶିଏ ଲେଭେଣ୍ଡର ଦେହଯାକ ଢାଳି ହେବାରୁ ଟିକିଏ ସାଷ୍ଟମ ହେଲେ । ଗୋରୁଗୁହ ବବର୍ଚ୍ଚିଖାନାରେ ଢଳା ହୋଇଛି, ଜମିଦାର ଶୁଣି ଭାରି ଖପା । ମୂର୍ଖତା,ଅସଭ୍ୟତା,କୁସଂସ୍କାର! ସେ ଘରେ ରୋଷେଇ ହେଲେ ଲେଡିଙ୍କୁ ଖାନା ରୁଚିବ ନାହିଁ, ବାନ୍ତି କରି ପକାଇବେ । ଚାରି ବୋତଲ ଫେନାଇଲ ଘରସାରା ଢଳାଗଲା ।

ଏହି ପରି ଆଠ ଦଶ ମାସ ଗଲା ବାଦେ ଦିନେ କରଣମାନେ ମେଳି ବାନ୍ଧି ଆସି ମେନେଜର ପାଖରେ ଜଣାଇଲେ, "ଖମାର ସବୁ ଖାଲି ପଡିଛି, ଗୋରୁ ମଇଁଷି ପଲରେ ଲାଙ୍ଗୁଡ ଖଣ୍ଡେ ବି ନାହିଁ, ପାଞ୍ଚ ବାଟି ହାତ ଚାଷ ପ୍ରଜା ଲଗାଇ ଦେଇ ଯେଉଁ ସଲାମୀ ମିଳିଥିଲା ତାହା ଆସି ସରିଲାଣି, ଆଉ ଏବେ କାହୁଁ ଖରଚ ଯୋଗାଇବୁଁ ?" ମେନେଜର ତୁରନ୍ତ ଜବାବ ଦେଲେ, "ମାରିପିଟି ପ୍ରଜାଙ୍କଠାରୁ ଆଗତୁରା ବର୍ଷକର ଖଜଣା ଅସୁଲ କର । " 'କୁମ୍ଭୀର ଖୋଜେ ଗୋଳିଆ ପାଣି,'ଅମଲାମାନେ ଆନନ୍ଦରେ'ଆଜ୍ଞା' କହି ଦଣ୍ଡବତ ହୋଇ ଚାଲିଗଲେ ।

ଆଉ ଦୁଇ ମାସ ବାଦେ କାର୍ତ୍ତିକ କିସ୍ତି ଟଙ୍କା ଦାଖଲ ନ ହେବାରୁ ତାଲୁକ ନିଲାମରେ ଚଢିବାର କଟକରୁ ଜବାବ ଆସିଲା । ଠିକ୍ ସେହିଦିନ କଲିକତା ମହାଜନ ଦଶ ହଜାର ଟଙ୍କା ମୂଳକୁ କଳନ୍ତର ଖର୍ଚ୍ଚା ଓଗେର ଭିଡି କୋଡିଏ ହଜାର ଟଙ୍କାପାଇଁ ଡିକ୍ରୀଜାରି ପିଆଦା କଲିକତା ହାଇକୋର୍ଟରୁ ଆସି ଚଳନ୍ତି ଅଚଳନ୍ତି ଯାନାସନ ସମସ୍ତ କ୍ରୋକ କରି ପକାଇଲା ।

ସକାଳୁ ଉଠି ମିଷ୍ଟର ଓ ମିସେସ ମହାପାତ୍ର ବଗଲା ବଗଲୀ ପରି ବସିଛନ୍ତି; ଜନ ପ୍ରାଣୀ ପାଖରେ ନାହିଁ । ସଭାର ସଭ୍ୟମାନେ ଆଗରୁ ଏକ ଘରିଆ ହୋଇଥିଲେ, ଗୋବରପାଣି ପିଇ ଜାତିରେ ଉଠିଛନ୍ତି । ଆଉ କି ଆସିବେ ? ବେଳ ବୁଡିବାକୁ ବସିଲାଣି । ମିଷ୍ଟର ଓ ମିସେସ୍ ଦୁଇଜଣ ଭୋକରେ ଛଟପଟ ହେଉଛନ୍ତି । ସଞ୍ଜ ଲାଗିଲା ବେଳକୁ ମିସେସ୍ ମହାପାତ୍ର ବହୁ କଷ୍ଟରେ ଖଣ୍ଡେ ଅଳଙ୍କାର କାଢିଦେଲେ,ବିକିବାକୁ ଯାଇ ଦେଖିଲେ, ପିତଳ ଗିଲଟି ! ଖଣ୍ଡିଏ, ଆଉ ଖଣ୍ଡିଏ ଦେଖାଗଲା,ସବୁଗୁଡାକ ଗିଲଟି ! ବିଭାଘର ସମୟରେ ଅଢେଇ ହଜାର ଟଙ୍କାର ଗହଣା କିଣା ଯାଇଥିଲା, ସବୁଗୁଡାକ ଗିଲଟି ! ଏତେବେଳେ ଦୁଇ ଜଣଙ୍କର ଚେତା ବସିଲା । ଆଉ ଡିକ୍ରୀଜାରି ପିଆଦା ଜୁଲମରେ ଘରେ ରହିପାରିଲେ ନାହିଁ । ରାତି ଅନ୍ଧାରରେ କାହିଁ ଅନ୍ତର୍ଦ୍ଧାନ !

ପାଞ୍ଚ ଛ ବର୍ଷ ବାଦେ ଜମିଦାର ବାବୁ ତାଙ୍କ ଶଶୁର କାମରେ ଆସାମରେ ଖାନସମାଗିରି କାମ କରୁଥିବାର ଦେଶରେ ଶୁଣାଗଲା ।

--------------------


ବୀରେଇ ବିଶାଳ


ମୁକୁନ୍ଦପୁରର ମକ୍ରୁ ବିଶାଳ ଆଉ ତା ଭାର୍ଯ୍ୟା ସନ୍ନିପାତ ବେମାରୀରେ ଆଗ ପଛ ମାସକ ଭିତରେ ଚାଲି ଯିବାବେଳେ ଗୋଟିଏ ମାତ୍ର ପୁଅ ବୀରେଇର ବୟସ ହୋଇଥିଲା ୮ ବର୍ଷ । ଲଙ୍ଗଳା ପିଲାଟା କିଛି