ପୃଷ୍ଠା:Galpa swalpa.djvu/୬୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଗଳ୍ପସ୍ୱଳ୍ପ

ବୁଝେ ନାହିଁ । ବାପ ମାଙ୍କୁ କୋକେଇରେ ଘେନି ଯିବା ବେଳେ ଦାଣ୍ଡରେ ଭୁଇଁରେ ଗଡ଼ି 'ବାପା ଲୋ' 'ମା ଲୋ' ବୋଲି ଡକା ପାରୁଥାଏ । ଘରେ କେହି ନାହିଁ, କିଏ ବା ପିଲାଟାକୁ ସମ୍ଭାଳି ନେଉଛି ? ବାର ମାସିଆ ମୂଲିଆ ତିନି ଜଣ ଥିଲେ ସତ; ହେଲେ ସେମାନେ କଣ ଜାଣନ୍ତି, କଣ କରିବେ ? ତେବେ କଣ ବୀରେଇ ଅନାଥ ହୋଇଯିବ ? ନାହିଁ ନାହିଁ, ତିନି ପୁରୁଷର ଭିନେ ହେଲା ଭାଇ, ଲେଖାରେ ବିରେଇର ଖୁଡ଼ୁତା ଜେଡ଼ୁତା ଆଉ ମଉସା ପିଉସାମାନେ ଶୁଣି ଧାଇଁ ଆସିଲେ । ସେମାନଙ୍କର ଦୟାର ଶରୀର, ବିରେଇର ବିକଳ କାନ୍ଦଣା ଶୁଣି ଧାଇଁ ଆସିଲେ । ସମସ୍ତେ ଏକାବେଳକେ ପିଲାକୁ ଝାଡ଼ିଝୁଡ଼ି ଦେଇ କାଖେଇ ନେବା ଲାଗି ଟଣାଟଣି କଲେ । ଟଣା ଓଟରାରେ ପିଲାକୁ ବାଧିଲାଣି, ଆହୁରି ଅଧିକ ବିକଳ ଡକା ପକାଉଥାଏ । ସେ କଥା ଶୁଣୁଛି ବା ବା କିଏ ? ଦାଦି ପିଉସା ମଉସା ମଧ୍ୟରେ ବୋଲାବୋଲି ହୋଇଗଲା । ସମସ୍ତେ କହୁଛନ୍ତି, "ମୁଁ ଥାଉଁ ଥାଉଁ ପିଲାକୁ ପାଳିବାର ଆଉ କାହାର ଅଧିକାର ?" ଗୋଳମାଳ ଶୁଣି ଗାଁ ଲୋକେ ବି ରୁଣ୍ଡ ହୋଇଗଲେଣି । ଛୁଆଟା ସମସ୍ତଙ୍କ ମୁହଁକୁ ଚାହୁଁଛି--ସମସ୍ତେ ତ ଅଛନ୍ତି, ମା ବାପା କାହାନ୍ତି ? ଏତିକିବେଳେ ପହଞ୍ଚିଗଲେ ପିତେଇ ପାତ୍ରେ, ମାମୁଁ । ଧଇଁ ସଇଁ ହୋଇ ଧାଇଁଛନ୍ତି । ଦୂରରୁ ଡାକିଦେଲେ, "ଛାଡ଼ ଛାଡ଼, ଅଲଗା ହୋଇଯାଅ, ଛେଉଣ୍ଡକୁ ପାଳେ କିଏ ? ପାଳେ ତ ବାପର ମା, ନୋହିଲେ ପାଳେ ତ ମାର ମା । ମାର ମା ଆଇ ନାହିଁ ସତ ! ମାଇଁ ତ ଅଛି ! ଯେଉଁ ପିଲାର କେହି ନାହିଁ, ତାକୁ ପାଳିବ ମାଇଁ ! ତା ମାଇଁ ତିନି ଦିନ ହେଲା ଅନ୍ନ ଜଳ ଛୁଇଁ ନାହିଁ । ପିଲାଟା ଲାଗି ଡକା ପକାଇଛି । ଦୂତୀ ଅପା ଘଟକିବା ବେଳେ ବାର ବାର କହି ଯାଇଛି, ବୀରେଇକୁ ତା ମାଇଁ ପାଳିବ । ଗୋଟାଏ କାମରେ ଆଉ ଗୋଟାଏ ଗାଁ କୁ ବାହାରି ଯାଇଥିଲି, ଏଣେ ଏତେ କଥା ହୋଇ ଗଲାଣି, ମୋତେ ଜଣା ନାହିଁ । ନୋହିଲେ ସମସ୍ତଙ୍କୁ ମୁକାବିଲା କରାଇ ଦେଇଥାନ୍ତି ।" ପଞ୍ଚୁଆତ ବସିଲା, ସମସ୍ତେ ରଫା କରି ଦେଲେ । ପିଲାକୁ ପାଳିବା ମାମୁଁର ଅଧିକାର । ଲୋକଙ୍କ ମୁହଁରୁ କଥା ବାହାରିଛି କି ନାହିଁ, ମାମୁଁ ତ ଚିଲ ପରି ଝାମ୍ପ ମାରି ପିଲାକୁ କାଖେଇ ଘରକୁ ଧାଇଁଲେ । ବୀରେଇ ମାମୁକୁ କେଭେ ଦେଖିନାହିଁ । ନୂଆ ମଣିଷଟା କାହିଁ ଘେନିଯିବ ବୋଲି 'ମା ଲୋ' 'ମା ଲୋ' କରି ଆହୁରି ଡକାପାରୁଥାଏ । ମାମୁଁ ବୀରେଇକୁ ଘେନି ଯାଇ ମାଇଁ ଗୁରୁବାରୀ ଜିମା କରିଦେଲେ, ତୁନି ତୁନି ଢେର ଗୁଡାଏ କି କଥା କହିଲେ । ମାଇଁ ମୁରୁକି ମୁରୁକି ହସି ହସି କହିଲେ, "ଆରେ ବୀରେଇ ଆ, ଚଣ୍ଡୀ ସଙ୍ଗରେ ଖେଳିବୁ ।" ଖଣ୍ଡିଏ ପୋଡ଼ପିଠା, ଚିମୁଟାଏ ଭଳି ଚିଟା ଗୁଡ଼ ହାତକୁ ବଢ଼ାଇ ଦେଲେ । ବୀରେଇ ଢେର ବେଳୁଁ ଖାଇ ନ ଥିଲା, ବଡ଼ ଭୋକିଲ ଥିଲା, ତେତିକି ଖାଇ ଦେଇ ଗୁଡ଼ାଏ ପାଣି ପିଇଦେଲା ।

ମାମୁ ପୀତେଇ ପାତ୍ରଙ୍କ ଘର ମାକଲପୁର । ମୁକୁନ୍ଦପୁରଠାକୁ ଅଧ କୋଶେ ଖଣ୍ଡେ ଛଡ଼ା । ଛେଉଣ୍ଡ ପିଲାଟି ଜାଣି ମାମୁ ଘରେ ପରମ ସୁଖରେ ରହିଲା, ତା ମାଲମତା ହେପାଜତ କରୁଛି କିଏ ? ପୀତେଇ ପାତ୍ରେ ଘରକରଣା ଲୋକ । ତାଙ୍କ ନିଜ ବିଷୟ ତାଙ୍କୁ ଅସମ୍ଭାଳ । ଅଧକୋଶେ ଦୂରକୁ ଆସି ପିଲାର ମାଲମତା, ଘରକରଣା ଦେଖିଯିବାକୁ ବେଳ କାହିଁ । ପାତ୍ରେ ନିହାତି ବ୍ୟାକୁଳ ହୋଇ ଗାଁ ଲୋକଙ୍କ ପାଖରେ ସବୁବେଳେ କହି ବୁଲୁଛନ୍ତି, ଏହି ଦିନ କେତେଟା ଭିତରେ ପିଲାଟାର ମାଲ ଗାଁ ଲୋକେ ଚୋରାଇ ଘେନି ଗଲେଣି । ସବୁ ମାଲଗୁଡିକ ଆପଣା ଘରକୁ ଘେନି ଯାଇ ନଜରରେ ନ ରଖିଲେ ସବୁ ବରବାଦ ହୋଇଯିବ ।" ସମ୍ପତ୍ତି ମଧ୍ୟରେ କେତେ ପୌଟି ଧାନ, ହଡ଼ା ହଡ଼ି ଦି'ପୁଞ୍ଜା ! ଏ ସବୁ ନଜରରେ ରଖିବାର କଥା । ବୋଇଲା 'ହୋରୁ, ଗୋରୁ, ଧାନ---ଏ ତିନି ନଜର ଗୁଜୁରାଣ ।'