ଯେ ଶ୍ରଦ୍ଧା, ତା ଉପରେ ତାର କଣିକାଏ ବି ନାହିଁ । ଦେଢ଼ ହଜାର ଟଙ୍କା ଖରଚ କରି ପୁଅକୁ ବିଭା କଲେ, ତାର ବିଭାର ନାମ ଚର୍ଚ୍ଚା ନାହିଁ । ଦିନ ରାତି ହାଡ଼ ଭାଙ୍ଗି ଯାହା ଅର୍ଜି ଆଣୁଛି, ଚଣ୍ଡୀ ଗଞ୍ଜେଇ ମଦତ ଖାଇ ସବୁ ଉଡ଼ାଇ ଦେଉଛି । ମାମୁ ମାଇଁ କିଛି ବୋଲିବାକୁ ନାହାନ୍ତି । ନିଶ୍ଚେ ସେ ଘରକରଣା ଉଜାଡ଼ି ଦେବ ।
ଦିନେ ସଞ୍ଜବେଳେ ମାମୁ ମାଇଁ ପିଣ୍ଡାରେ ବସିଛନ୍ତି, ବୀରେଇ କାମ ଧନ୍ଦା ସାରି ପାଖରେ ବସିଲା । ମାମୁ ମାଇଁ ଦିନ ବେଳର କାମ ପାଇଟି କଥା ପଚାରିଲେ । କାମ ପାଇଟି କଥା ଛଡ଼ା ମାମୁ ମାଇଁ ସାଙ୍ଗରେ ବୀରେଇର ଆଉ କିଛି କଥା ଭାଷା ହୁଏ ନାହିଁ । ବୀରେଇ ଜବାବ ଦେଇ ପାଖରେ ବସିଥାଏ । ମାମୁ ପଚାରିଲେ, "କି ରେ ବୀରେଇ ! ଆଉ କିଛି କଥା ଅଛି ?" ବୀରେଇ ଦଣ୍ଡେ ଗୁମ୍ ମାରି ବସି ଦୁଇଟା ହାଇ ମାରି କହିଲା, "ମାମୁ ମୁଁ ଏବେ ଆପଣା ଘରକୁ ଯିବି ।" ମାମୁ ମାଇଁ ତ ଶୁଣି ଚମକି ପଡ଼ିଲେ, ତାଙ୍କ ମୁଣ୍ଡରେ ଯେମନ୍ତ ବଜ୍ରଟାଏ ଭାଙ୍ଗି ପଡିଲା । ମାମୁ ମାଇଁ ଦୁଇ ଜଣଙ୍କର ଦୁଇ ବର୍ଷ ହେଲା ଶ୍ୱାସ ବେମାରୀ । ସଞ୍ଜବେଳେ ଚାରି ଅଣାର ଟେଳାଏ ଟେଳାଏ ଆପୁ ଗିଳି ପକାଇଲେ ଟକିଏ ଚାଲବୁଲ ହେଇ ପାରନ୍ତି । ମାମୁ ତ ପିଣ୍ଡାରୁ ଓହ୍ଲାଇବାକୁ ନାହିଁ, ଚଣ୍ଡିଆର ତ ଏହି ଦଶା, ବୀରେଇ ବାହାରିଗଲେ ଆଉ କଣ ଘରକରଣା ରହିବ ? ମାମୁ ଦୁଇ ଚାରିଟା ନିଶ୍ୱାସ ପକାଇ କଅଁଳେଇ କଅଁଳେଇ କହିଲେ, "ହଁ ରେ ବାପ ଘରକୁ ଯିବୁ ନାହିଁ କଣ ? ରହ, ମୁଁ କନ୍ୟାଟିଏ ଖୋଜା ଖୋଜି କରୁଛି, ବାହାଘର କରାଇ ଦେବି, ଦି'ପ୍ରସ୍ତ ଘର ବନାଇ ଦେବି । ତୁ ଉଛୁଣିକା ପିଲାଟା, ଅଲଗା ଏକୁଟିଆ ହୋଇ କଣ ରହି ପାରିବୁ ? ଏ ଗାଁ ଲୋକଙ୍କ କଥା ବୁଝି ନାହୁଁ ? ମୁଁ ବୁଝି ବୁଝି ବୁଢା । ସବୁ ତୋ ପାଖରୁ ଛଡ଼ାଇ ନେବେ, ଭକୁଆ ହୋଇ ବସିଥିବୁ । କଣ କହୁଛୁ ରେ ବାପ ? ହେଉ ହେଉ ଆଉ ଯୋଡ଼ାଏ ବର୍ଷ ରହିଯା ? କଣ କହୁଛୁ ରେ ବାପ ?" ବୀରେଇ କହିଲା, " ନା ମୁଁ ଘରକୁ ଯିବି ।" ମାଇଁ ଟକିଏ ରାଗୀ - ଚଣ୍ଡୀ ହଜାର ଦୋଷ କରୁ, କିଛି କହିବେ ନାହିଁ, ଆଉ କେହି ତାଙ୍କ କଥା ଟିକିଏ ଅମାନ୍ୟ କଲେ ଘଡ଼ିଏ ଯାଏ ଗର୍ଜୁଥିବେ । ଟିକିଏ ରାଗିଯାଇ କହିଲେ, "କି ରେ ବୀରେଇ ! ମାମୁ ସେ, ମୁରବି, ତାଙ୍କ କଥା ଅମାନ୍ୟ କରୁଛୁ ? ଗାଁ ଲୋକଙ୍କ ବୁଦ୍ଧିରେ ପଡ଼ିଲୁଣି କି ରେ ? ଆରେ କହିବାକୁ ଢେର, ବହିବାକୁ କିଏ ରେ ? ଯୋଗିନୀଖିଆ ଘରଭଙ୍ଗା ଲୋକଙ୍କ ବୁଦ୍ଧିରେ ପଡ଼ ନା । ପାଞ୍ଚ ବର୍ଷର ଛେଉଣ୍ଡ ଲଙ୍ଗଳା ହୋଇ ଦାଣ୍ଡରେ ପଡ଼ିଥିଲୁ, ଏଇ ମାମୁ ଥିଲେ ବୋଲି ଅଣ୍ଡାଟିରୁ ଭେଣ୍ଡିଆ ହୋଇ ଆଜି କଥା କହୁଛୁ । ଏହି ଯୋଗିନୀଖିଆଏ ସମସ୍ତେ ତ ଥିଲେ, ତୋ ତୁଣ୍ଡରେ ପେଜ ମନ୍ଦାଏ କେହି ଦେଲେ ନାହିଁ ? ନଣନ୍ଦେ ମରିବା ବେଳେ ମୋ ହାତ ଧରି ବାର ବାର କହି ଯାଇଛନ୍ତି, 'ଖବାରଦାର ! ମୋ ବୀରେଇକୁ କାହିଁ ଛାଡ଼ିଦେବ ନାହିଁ ବରାବର ଘରେ ରଖିବ । ଅଳପାଇସିଆ ଗାଁ ଲୋକେ ତାକୁ ଫୁସୁଲାଇଲେ ଶୁଣିବାକୁ ଦେବ ନାହିଁ ।' ତୁ ମା କଥା, ବାପ ବଦଳରେ ମାମୁ କଥା ଯଦି ନ ଶୁଣିବୁ, ଆପେ ପୋଡ଼ି ଉଡ଼ି ଯିବୁ, କାହାର କଣ ଯିବ ? "ମାମୁ କହିଲେ, "ଥାଉ ଥାଉ, ସେ ସବୁ କଥା ପଛେ ହେବ, କଥା କଣ ପଳାଉଛି ? ଦିଅ ଦିଅ, ବୋହୂକୁ ଡାକିଦିଅ, ଛୁଆଟା କାମ ପାଇଟି କରି ଥକିଛି, ଆଗେ ତାକୁ ଭାତ ଦିଅ, ଚଣ୍ଡିଆ ନ ଆସିଲା ନାହିଁ ।" ବୀରେଇ ମନ ମଧ୍ୟରେ ବଡ଼ ହସିଲା, 'ଓହୋ, ଆଜି ଯେ ମାମୁଙ୍କର ବଡ଼ ଦୟା !' ରୋଜ ତ ଚଣ୍ଡୀ ନ ଆସିଲେ ଖିଆପିଆ ହୁଏ ନାହିଁ । ଚଣ୍ଡୀ ଗାଁ ବୁଲି ବାହୁଡ଼ିବାକୁ ରାତି ଛ ଘଡ଼ି । ମାମୁ ମାଇଁଙ୍କର ଶ୍ୱାସରୋଗ, ତାହା ଉପରେ ଆପୁର ନିଶା, ରାତିସାରା ନିଦ ହୁଏ ନାହିଁ, ଖୁଁ ଖୁଁ ହୋଇ କାଶୁଥାନ୍ତି, ପାହାନ୍ତିଆ ପହର ଥଣ୍ଡା ପବନ ଲାଗିଲେ ଟିକିଏ ନିଦ ମାଡ଼େ, ଚିନ୍ତା ଭାବନାରେ ଆଜି ସେ ନିଦ ବି ନାହିଁ ।