ପୃଷ୍ଠା:Galpa swalpa.djvu/୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗଳ୍ପ ସ୍ୱଳ୍ପ


ତହିଁ ଆରଦିନ ସଖାଳେ ବୀରେଇ ଆଣ୍ଠୁ ଯୋଡିକ କୁଣ୍ଢେଇ ପିଣ୍ଡାରେ ତୁନି ହୋଇ ବସିଛି । ଖରା ପିଢ଼ା ଉପରୁ ମଝି ବାହାରକୁ ଗଡ଼ି ପଡ଼ିଲାଣି, ମାମୁଁ ଉଠି ଆସି ବୀରେଇକୁ ଦେଖି କହିଲେ, "କି ରେ ବାପ ! ତୁନି ହୋଇ ବସିଛୁ ? ଯା ଯା ବେଙ୍ଗଳା ଖେଳାଇ ଦେ ଯା । ଭଙ୍ଗା ପୁଞ୍ଜିଟା ରଣବଣ ହୋଇ ପଡିଛି ।" ବୀରେଇର ଏକା ପଦେ କଥା, "ନା, ମୁଁ ଘରକୁ ଯିବି ।" ମାମୁ ଆଜବି ଢେର ବୁଝାଇଲେ । ଟେକା ଟେକି କରି କଥା କହିଲେ । ବୀରେଇର ସେହି ଉତ୍ତର, "ଘରକୁ ଯିବି ।" ମାଇଁ ବିଛଣାରୁ ଉଠି ଆସି ଆଖ ମଳି ମଳି ସବୁ କଥା ଶୁଣୁଥିଲେ, ଏକାବେଳକେ ଖପାଟା ହୋଇ କହିଲେ, "ଯିବୁ ତ ଚାଲି ଯା । ଯିବି-ଯିବି ଭଜନମାଳ ଧରିଛୁ ଯେ !" ବୀରେଇ କହିଲା, "ମୋ ବାପର ଯାହା ସବୁ ଚିଜବସ୍ତ ଆଣିଥିଲ, ଫେରାଇ ଦିଅ ।" ମାଇଁ ସେହିପରି ତେଜରେ କହିଲେ, "ଚିଜବସ୍ତ କଣରେ ? ପାଣ୍ଠି ପଲାଣ ଦିଖଣ୍ଡ ଆଣିଥିଲେ; ଯା,ଯା,ଉଇ ଖାଇଯାଇ ପଡ଼ିଛି ମୁଣ୍ଡାଇ ଘେନି ଯା । ବରଷେ ନୁହେଁ, ଦି ବରଷ ନୁହେଁ, କୋଡ଼ିଏ କୋଡ଼ିଏ ବର୍ଷ କାଳ ଖୁଆଇ ପିଆଇ ଭେଣ୍ଡିଆଟିଏ କରିଦେଲୁଁ, ଏଣିକି ମୁଣ୍ଡକୁ ହାତ ପାଇଲା କି ନା ? ମୁଁ ତାଙ୍କୁ ବାରବାର ତେତିକିବେଳେ କହିଥିଲି -'ପରପୁଅ ଗୁଞ୍ଜାରୁଅ' ସେ ବଲେଇରେ ପଶ ନା । ଶୁଣିଲେ ନାହିଁ, ଏବେ ଭୋଗ ।" ବୀରେଇ ତୁନି ହୋଇ ଏକକାନିଆ ପାଞ୍ଚଣଖଣ୍ଡ ଧରି ଉଠିଗଲା ।

ମକ୍ରୁ ବିଶାଳର ସରବରି ପନ୍ଦର ମାଣ ଚାଷଜମି ଥିଲା । ଜମିଟା ବଡ଼ ଭଲ, ମଟାଳିଆ, ଏକଚକିଆ, କଳିନ୍ଦ । ପୀତେଇ ପାତ୍ରେ ସେ ଜମିଟା ଆପଣା ନାମରେ କରିନେବା ଲାଗି ଢେର ଫନ୍ଦି ଫିକର କରିଥିଲେ । ଜମିଦାର ଶ୍ୟାମ ସ୍ୱାଇଁଙ୍କୁ ଲାଞ୍ଚ ରିସପତ୍ ଯାଚିଥିଲେ । ମାତ୍ର ସ୍ୱାଇଁଏ ବଡ ବିବେକୀ ଲୋକ, ପୁଣ ଗାଁର ପାଞ୍ଚ ଜଣଙ୍କ ଡରରେ ସେହି ମକ୍ରୁ ବିଶାଳ ନାମରେ ରଖି ଦେଇଛନ୍ତି । ବୀରେଇ ଗାଁରେ ମୂଲ ଲାଗେ । ଚାଷ ସଜ ନାହିଁ, ଜମିଗୁଡାକ ବଖରା ଲଗାଇ ଦେଲା ।

ବୀରେଇଟି ବଡ କାମିକା, ପର ନ-ଛରେ ନ ଥାଏ, ଆପଣା ଦୁଃଖ ଧନ୍ଦାରେ ଲାଗିଥାଏ । ସଞ୍ଜବେଳେ ପାଇଟିରୁ ଫେରିଆସି ମୁଢ଼ିମୁଢ଼ା ପୁଞ୍ଜାଏ ପାଟିରେ ପକାଏ । କୋଡ଼ିଟାଏ କାନ୍ଧରେ ପକାଇ ବାହାରି ପଡ଼େ । ଆପଣା ଡିହରେ ବର୍ତ୍ତମାନ ରହିବା ଭଳି ଗୋଟିଏ ସାନ ଘର ବନାଇଲା । କାନ୍ଥ ଯିମିତି ଛିଡ଼ା କରିଛି, ମଉସା ପିଉସା ଗାଁର ଆଉ ପାଞ୍ଚ ଜଣ ଡକରା ନାହିଁ, ହକରା ନାହିଁ, ବୀରେଇ କାହାରିକୁ କିଛି କହି ନାହିଁ, ଧାଇଁ ଆସିଲେ, ଆପଣ ଆପଣା ଘରୁ କାଠ କୁଟା ବାଉଁଶ ଆଣି ଘରଟାଏ ଛିଡ଼ା କରାଇଦେଲେ । ବୀରେଇର ଅଉଲ ବିଲ- ଭାରି କଳିନ୍ଦ । ଧାନ ପାଚିବାରୁ ତିରିଶ ଭରଣ ସରିକି ଭାଗ ପାଇଲା । ବର୍ଷକ ଖାଇବା ଭଳି କିଛି ରଖି ସବୁ ଧାନଗୁଡିକ ବିକି ପକାଇଲା । ସେହି ଟଙ୍କାରେ ହଳିଆ ବଳଦ, ଚାଷ ସରଞ୍ଜାମ କିଣି ଆପଣା ଚାଷରେ ଲାଗିଗଲା । ବର୍ଷଚାରିଟା ଭିତରେ ବୀରେଇ ବାପ ଅମଳିକା ଘର ଛିଡ଼ା କରିଦେଲାଣି । ସେହିପରି ତିନି ପ୍ରସ୍ତ ଘର, ମାଈ ଅଣ୍ଡିରା ଦେଢ଼ ବୋଡ଼ି ଗୋରୁ, ପରା ଧାନ ପାଞ୍ଚ ଛ'ଟା ମରେଇ ଛିଡ଼ା ।

ବନ୍ଧୁ ବାନ୍ଧବ ହାମଦରଦୀ ପାଞ୍ଚ ଜଣ କେତେ ଥର କହିଲେଣି, "ଆରେ ବୀରେଇ ! ତୁ କି ସବୁ ଦିନେ ଡାଙ୍ଗୁଆ ମାଙ୍ଗୁଆ ହୋଇ ରହିଥିବୁ ? ଏଣିକି ପିତୃଲୋକ ପାଣି ମୁଠାଏ ପାଇବାର ବାଟ କର ।" ବୀରେଇବି ବୁଝିଲାଣି, ବିଭାଟାଏ ନ ହେଲେ ନୁହେଁ । କାମପାଇଟିରୁ ଆସି ରନ୍ଧାବଢ଼ା କରିବାଟା ଏଣିକି ବଡ଼ ଦିକ ଲାଗିଲାଣି । ବାଧିକା ପଡ଼ିଲେ ପାଣି ମନ୍ଦାଏ ଦେବାକୁ, ଗୋଡ଼ ହାତରେ ହାତ ବୁଲାଇ ଦେବାକୁ କେହି ଭରସା ନାହିଁ । ବିଭା କରିବାକୁ ମନ କଲା ସତ, ହେଲେ ଏତେ ଟଙ୍କା କାହିଁ ? ଆଉ ପାଟକ ନୁହେଁ ଯେ, ମନ କଲା ତ ବିଭା