Jump to content

ପୃଷ୍ଠା:Galpa swalpa.djvu/୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ


ହୋଇ ପଡ଼ିଲା । କିପାଇଁ କେଜାଣି, ବଳରାମଗୋତ୍ରୀ ପନ୍ଥାରେ କନ୍ୟାର ବଡ଼ ଅଭାବ, ପୁଣି ଦର ଭାରି ଚଢ଼ା । ଗୋଟିଏ ଗୋଟିଏ କନ୍ୟା ପାଞ୍ଚଶ ଠାରୁ ହଜାରେ ଦୁଇ ହଜାର ଟଙ୍କାରେ ବିକ୍ରି ହେବାର ଏ ଲେଖକଙ୍କୁ ଜଣା । ଅଜଣା ପାଠକ ଆପଣେ ପଚାରିବେ, "କନ୍ୟାର ଦାମ ଏତେ ଊଣା ଅଧିକ କ୍ୟାଁ ? କନ୍ୟାଗୁଡିକ ଫୁଟ ଗଜରେ ମାପ ବା ଦଣ୍ଡି ତରାଜୁରେ ଓଜନ ହେଉଥିବ, ମାପ ବା ଓଜନ ଊଣା ଅଧିକରେ ଦର ଊଣା ଅଧିକ ହୁଏ ।" ନାହିଁ ନାହିଁ, ତାହା ନୁହେଁ, ଆମ୍ଭମାନଙ୍କୁ ଭିତିରିଆ କଥା ଭଲ ଜଣା । ସେଥିରେ ଅସଲ ହାଲ ଚୁମ୍ବକରେ ଦୁଇ ଚାରି କଥାରେ କହିବୁଁ । ବଳରାମଗୋତ୍ରୀ ପନ୍ଥାରେ ନ ଥିଲା ଲୋକ ନାହାନ୍ତି ବୋଲନ୍ତୁ, ସେମାନେ ଭାରି ପରିଶ୍ରମୀ ଏବଂ ଖରଚପତ୍ରରେ ଭାରି ଚିପା । ବଳେ ସମସ୍ତଙ୍କ ହାତରେ କିଛି କିଛି ଟଙ୍କା ଜମିଯାଏ । କନ୍ୟାର ବୟସ ବା ରୂପ ଗୁଣ ବିଷୟରେ କିଛି ଚିନ୍ତା ନାହିଁ - ବରର ବୟସକୁ ଧରି କନ୍ୟାର ଦର ଦାମ କଷାଯାଏ । ବରର ବିବାହର ବୟସ ହେଲା । ଏଣେ ଘରେ ତେତେ ଟଙ୍କା ନାହିଁ, ଆପେ ପରିଶ୍ରମ କରି ଟଙ୍କା ଜମାଏ । ଟଙ୍କାଟା ଠିକ୍ ହେଇଁ ହେଉଁ ବରର ବୟସ ହୋଇ ଗଲାଣି ପଚାଶ, କିମ୍ବା ଧନବନ୍ତ ଲୋକ ଦୋଜବର ଓ ତେଜବର ବୟସ ଷାଠିଏ । ଏଣେ କନ୍ୟାଟିର ବୟସ ୧୦/୧୧ ଭିତରେ । ସେହି ସମସ୍ତ ଜାଗାରେ କନ୍ୟାର ଦର ବଢ଼ିଯାଏ । ଦରର ଏହିପରି ହାଲ ଜାଣିବ । ବୀରେଇ ବିଭା ହେବା ଲାଗି ଟଙ୍କାଏ ମସାଏ ଯାହା ହାତରେ ପଡ଼େ ଥୋଇ ଦିଏ । ଘରକଣରେ ଅନ୍ଧାରିଆ ଗୋଟିଏ ଠେକି ପୋତିଛି, ସେଥିରେ ପକାଇ ଦିଏ ।

ଆହୁରି ପାଞ୍ଚବର୍ଷ ଗଲାଣି । ବୀରେଇର ଉଛୁଣିକା ବୟସ ତିରିଶ ଭିତରେ, ବିଭା ହେବା ଭଳି ଟଙ୍କା ଜମି ଗଲାଣି ବୋଲି ମନରେ ଠିକ କଲା । ବିଭାପାଇଁ ସଜ ହେଲା, ହେଲେ ସେ କଣ ଆପେ କନ୍ୟା ଖୋଜି ଯିବ ? ପୂରୋହିତ ଭୀମେଇ ମିଶ୍ରଙ୍କୁ ମଧ୍ୟସ୍ଥ କଲା । ମିଶ୍ରେ ଚାରିଆଡେ ଢେର ଆଖି ଫେରାଇଲେ । ବୀରେଇ ଦିନେ ମିଶ୍ରଙ୍କୁ କମଳୀ କଥା ଇଶାରାରେ କହିଲା । ରାଘବ ପାତ୍ରର ସାନ ଝିଅର ନାମ କମଳୀ, କନ୍ୟାଟ ବେଶ ଡୌଲ, ଲାଜକୁଳୀ, ଦିନ ରାତି ଘର କାମରେ ଲାଗିଥାଏ, ବାପର ଢେର ସେବା କରେ । ଗାଁ ମାଇକିନିଆମାନେ ତାହାର ଢେର ପ୍ରଶଂସା କରନ୍ତି । ବୀରେଇ ପିଲା ଦିନରୁ କମଳୀକୁ ବଡ ଭଲ ପାଏ । ରୋଜ ଦୁଇଓଳି ବିଲକୁ ଯିବା ଆସିବା ବେଳେ କନ୍ୟାଟିକୁ ଚାହିଁ ଚାହିଁ ଦେଖେ । ବୀରେଇ ବିଲ ବାହୁଡ଼ା ବେଳେ କମଳୀ କଳସୀଟିଏ କାଖେଇ ପାଣି ଆଣି ଯାଉଥିବାର ଦେଖେ । କମଳୀର ଠିକ ସେଇଟା ପାଣିଅଣା ବେଳ, ଘରେ ମାଠିଆରେ ପାଣି ଥିଲେ ବି ସେ ପାଣିଗୁଡାକ ନାଳରେ ଢାଳିଦେଇ କଳସୀ କାଖେଇ ବାହାରି ପଡେ । ଚାରିଆଡକୁ ଚାହେଁ; କେହି କୁଆଡ଼େ ନ ଥିଲେ କଣେଇ କଣେଇ ବୀରେଇକୁ ଦେଖୁଥାଏ ।

ପାଞ୍ଜିରୁ ଭଲ ଦିନଟିଏ ଦେଖି ମିଶ୍ରେ ରାଘବ ପାତ୍ରଙ୍କ ପାଖରେ ପହଞ୍ଚିଲେ । ପାତ୍ର ବୋଧ କରୁଁ କିଛି ଗନ୍ଧ ପାଇ ଗଲେଣି । ଅଖାପାଲ ଖଣ୍ଡେ ପାରି ଦେଇ ମିଶ୍ରଙ୍କୁ ବହୁ ଆଦର ସମ୍ମାନରେ ବସାଇଲେ । ନାସ ଶୁଙ୍ଗାଶୁଙ୍ଗି ଦୁଃଖ ସୁଖ ଚାରି ପଦ ହୋଇଗଲା ଇତ୍ତାରେ ମୂଳକଥା ଆରମ୍ଭ ହେଲା ।

ମିଶ୍ରେ କହିଲେ, "ପାତ୍ରେ ! ତୁମ କମଳୀଟିକୁ ବୀରେଇକୁ ଦେଲେ ଭଲ ହୁଅନ୍ତା ନାହିଁ ?"

ପାତ୍ରେ- ହେଉ ହେଉ, ମୋର ମନା ନାହିଁ ।

ମିଶ୍ରେ-ପାତ୍ରଟି ବଡ ଭଲ, ଖୁବ୍ ଦୁଃଖସୁଖିଆ ।

ପାତ୍ରେ- ହେଉ ହେଉ, ମୋର ମନା ନାହିଁ ।

ମିଶ୍ରେ- ଝିଅଟି ଖୁବ୍ ସୁଖରେ ରହିବ ।