ପୃଷ୍ଠା:Galpa swalpa.djvu/୮୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଫକୀରମୋହ‌ନ ଗ୍ରନ୍ଥାବଳୀ

ଲାଗିଛନ୍ତି । ଶାମ ପ୍ରଥମରେ କିଛି ବୁଝି ପାରିଲା ନାହିଁ । ମୁହୂର୍ତ୍ତକ ବାଦ ଭକ୍ତିବଳରେ ବୁଝିଗଲା, ଧୁନି ଦେବତା ଦେହ ଧରି ବିରାଜମାନ ହୋଇ ଗଲେଣି, ମହନ୍ତଙ୍କ ସଙ୍ଗରେ କୋଳାକୋଳି କରୁଛନ୍ତି । ତାହାର ଭାଗ୍ୟ ଫିଟିଲା, ବର ମିଳିଯିବ । ମୁହୂର୍ତ୍ତକ ମଧ୍ୟରେ ଏତେ କଥା ବୁଝି ନେଲା । ଖୁବ୍ ପାଟି କରି ହରିବୋଲ ପକାଇ କହିଲା, ଧୂନି ଦେବତା ରୂପ ଧରି ବିଜେ ହେଲେଣି । ଯେତେ ଲୋକ ଥିଲେ,ଆନନ୍ଦରେ ହରିବୋଲ ପକାଉଛନ୍ତି । ମନ୍ଦିରରୁ ଘଣ୍ଟ କାହାଳି ଝାଞ୍ଜ ବାଜୁଛି, ସମୁଦ୍ର ଗର୍ଜନ ପରି ଶବ୍ଦ ଉଠୁଛି । ଅଗ୍ନି ଦେବତାଙ୍କୁ ଦର୍ଶନ କରିବାକୁ ଲୋକ ଧାଇଁଲେ । ଗୋଟିଏ ବୋଲି ଦୁଆର,ଘର ଭିତରଟା ଧୂଆଁରେ ପୁରିଛି । ଦୁଆର ପାଖରେ ଧରାପରା ହୋଇ କେତେ ଲୋକ ମଡ଼ା ଦଳାରେ ଆଣ୍ଠୁ ଛିଡି ଘାଉଲା ହୋଇଗଲେଣି ।

ପହରେ ବିତି ଗଲାଣି, ଲୋକେ ନାଚି କୁଦି ହରିବୋଲ ଦେଇ ହାଲିଆ ହୋଇ ପଡିଲେଣି । ଏ କଣ ? ମଡ଼ା ପୋଡ଼ାର ଉତ୍କଟ ଗନ୍ଧ, ଲୋକେ ନାକରେ ଲୁଗା ଯାକୁଛନ୍ତି । କେତେ ଜଣ ଜଣାଶୁଣା ଲୋକ ଦୁଆର ପାଖକୁ ଯାଇ ଭଲକରି ଅନାଇଲେ - "ଆରେ ମହନ୍ତ ମହାରାଜ ପୋଡି ମଲେଣି ରେ ।" ବାଜେ ଲୋକ ବୁଝିଲେ, ଅଗ୍ନି ଦେବତା ବିଜେ ହୋଇ ମହନ୍ତ ବାବାଙ୍କୁ ଖାଇ ଗଲେଣି - କାଳେ ଧାଇଁ ଆସି ଆଉ ସମସ୍ତଙ୍କୁ ଖାଇଯିବେ । ପଳା- ପଳା- ପଳା ! ପଡ଼ି ଉଠି ଗୋଟାକ ଉପରେ ଗୋଟାଏ ପଡ଼ି ଧାଇଁଛନ୍ତି । ଶେଷକୁ ମନ୍ଦିରର ପୂଜାହାରୀ ଟହଲିଆ ଚାକରମାନେ ବି ଛାଡ଼ି ପଳାଇଲେଣି । ଦଣ୍ଡକ ମଧ୍ୟରେ ଏଡେ ମନ୍ଦିରଟା ନିଶୂନ । ଖାଲି ଧୂନି ଘରୁ ପଡ୍ ପଡ୍ ଶବ୍ଦ ଶୁଭୁଛି, ଦୁର୍ଗନ୍ଧ ବାହାରୁଛି ।

ଦେଗାଁ ପାଖକୁ ଗୋପାଳପୁର ସରକାରୀ ଥାନା ପୂରା ଅଢେଇ କୋଶ ବାଟ । ସକାଳୁ ସକାଳୁ ସେଠାରେ ଖବର ପହଞ୍ଚିଗଲା । ଦାରୋଗା ସାହେବ ପାଞ୍ଚ ଛ ଜଣ ବରକନ୍ଦାଜ, ଆଠ ଦଶ ଜଣ ଚୌକିଦାର ଧରି ଧାଇଁଲେ ।(ଢେର ଦିନ ତଳର କଥା, ତେତେବେଳେ କନେଷ୍ଟବଳ ନ ଥିଲେ ।) ଦାରୋଗା ପହଞ୍ଚି ଦେଖିଲେ, ମନ୍ଦିର ତ ମନ୍ଦିର , ଗାଁ ଗୋଟାକରେ ଜଣେ ମଣିଷ ବି ନାହିଁ, ସମସ୍ତଙ୍କ ଘରେ ତାଟି କବାଟ ବନ୍ଦ । ଚଉକିଆମାନେ ବହୁତ ଡକାହକା କରିବାରେ ଭିତରୁ ମାଇକିନିଆମାନେ ଜବାବ ଦେଲେ, "ପୁରୁଷ କେହି ଘରେ ନାହିଁ । କେହି ଯାଇଛି ଗୋରୁ ଖୋଜି, କେହି ଯାଇଛି କୁଣିଆ ଘର, କେହି ଜାତିଆଣ ଭୋଜୀ ଖାଇ, ଢେର ଲୋକ ଯାଇଛନ୍ତି କଟକ ମାମଲାରେ ।" ବହୁତ ଖୋଜ ତଲାସରେ ମନ୍ଦିର ପୂଜାହାରୀ ଆଉ କେତେ ଜଣ ଚାକର ବାହାରିଲେ ।ଦାରୋଗା ସରଜମିନ ତଦାରଖ କରି ବୁଝିଲେ ଯେ, ସର ଘର ଭିତରୁ ଧୂନି ମଝିଯାଏ ମନୁଷ୍ୟ ଗୋଟାଏ ଗଳି ଯିବା ଭଳି ବିଳ ଖୋଳା ଯାଇଛି । ଧୂନି ତଳେ ଅଢେଇ ହାତ ଲମ୍ବା ଚଉଡ଼ା, ଅଢ଼େଇ ହାତ ଗହୀର ଗୋଟାଏ ଗହିଡ଼ା ଖୋଳା ହୋଇଛି, ତା ଉପରେ ଚାଖଣ୍ଡେ ମୋଟା ମାତ୍ର ମାଟି ଅଛି । ସେହି ମାଟି ଉପରେ ଧୂନି ଜଳେ । ସେ ଘର ଭିତରୁ ବିଳ ବାଟରେ ମଣିଷ ଗଳି ଆସି ଧୂନି ତଳେ ବସିଥାଏ, ମହନ୍ତ କିଛି ପଚାରିଲେ ଲୋକଟା ଭିତରୁ ଜବାବ ଦିଏ । ଘଟଣା ରାତ୍ରିରେ ଗୋଟାଏ ଗଞ୍ଜୋଡ଼ି ଚେଲା ଧୂନି ତଳେ ବସିଥିଲା, ତା ନାମ ହୁଣ୍ଡା ଦାସ । ସେଦିନ ମହନ୍ତଙ୍କର ଭାରି ନିଶାରେ ଜ୍ଞାନ ଲୋପ ହୋଇଥିଲା । ଲାସ ଭାରି ମଣିଷ, ଭାରି ଚିମୁଟାଟାରେ ଖୁବ୍ ବଳରେ ପାହାରେ ମାରିବାରୁ ଉପର ମାଟି ଆଉ ନିଆଁ ସବୁ ଗାତରେ ପଡ଼ିଗଲା । ଦୁଇଟା ଲୋକ ଧରା-