ଗୋବର ଗୋଟେଇ
ଏଣେ ଦିନତମାମ ଉପାସରେ ଥିବା ଅଶୀବର୍ଷର ବୁଢ଼ୀ ସେହି ବର୍ଷାତିନ୍ତା ଚୁଲିରେ ନିଆଁଲଗାଇ ଭିଜାହାଣ୍ଡି ବସେଇ ଓଦାଚାଉଳକୁ ଭାଜି ପକେଇଲେ । ତାଙ୍କର ଆଜି ଫୁର୍ତ୍ତିର ସୀମାନାହିଁ । ଚାଉଳ ଭଜାକୁ ସିଳ ଦିହରେ ବାଟି ଗୁଣ୍ଡକରି ବାସନରେ ରଖିଦେଲେ । ଏଣେ ହାଣ୍ଡିରେ ପାଣିଦେଇ ଭାତବସାଇ ଦେଲେ ।
ଏଥର ବୁଢ଼ୀଙ୍କର ଘରଦୁଆର ଦରଣ୍ଡା ଲାଗିଲା । କେଉଁଠି କଣ ଅଛି ? ଦୈବ ଯୋଗକୁଗୁଡ଼ ଘଡ଼ିଟିରେ ଗୁଡ଼ ମେଞ୍ଚାଏହବ ଥିଲା । ଘିଅଘଡ଼ି ଦେଖିଲେ ଉପର ଘଡ଼ିରେ ଖାଲି ବଳିତା ମେଞ୍ଚି ଅଛି । ଆଉତଳ ଘଡ଼ିରେ ଦେଖିଲେ ଘିଅ ଟିକିଏ ଲାଗିଚି । ଭଜାଚାଉଳ ଗୁଣ୍ଡକୁ ପାଣିରେ ବତୁରାଇ ସେଥିରେ ଗୁଡ଼ ଘିଅଟିକ ଗୋଳାଇ ଟିକିଏ ଖଟା ସଜିଲା କରି ଆସନ ପକାଇ ପାଣି ଥୋଇ, ଗଲେ ଡାକିବାକୁ । ଯାଇ ଦେଖିଲେ, ତାଙ୍କ କୋଳରେ ମଣିବସିଚି, ଆଉ ସେ ତା ମୁହଁକୁ ଆଉଁଶି କଣ କହୁଛନ୍ତି-
"ମଣି- ତୋବାବୁଙ୍କୁ ଡାକେ- ସବୁତ ହେଲାଣି ।" "ହଁ ମା' ଯାଉଚି" କହି ଶ୍ୟାମବାବୁ ମଣିକୁ ଧରି ଯାଇ ଦେଖିଲେ ଜଳଖିଆ ଏତେ ଯତ୍ନରେ ସଜଡ଼ା ହେଇଚି । ସେ ପଚାରିଲେ ମା, ଏସବୁ ଆଇଲା କେଉଁଠୁ ? ମୁଁ ତ ଶୁଣିଥିଲି ଘରେ ଚାଉଳ କଣା ନ ଥିଲା- ଛତୁ କୁଠୁ ଅଇଲା ?
ମଣି କହିଲା- ନାଇଁ ମ- ମା- ସେ ଓଦା ଚାଉଳକୁ ଭାଜି ଏମିତି ଗୁଣ୍ଡ କରିଛନ୍ତି ନାଁ । ତମେପରା ବ୍ରାହ୍ମଣ ଆମେ କ୍ଷତ୍ରିୟ । ତମେ କଣ ଆମଘରେ ଭାତ ଖାଇବ ?
"ବାଃ କିଏ କହିଲା- ମାଆତ ବେଶ୍ କରିଚନ୍ତି- ମୁଁ କଣ ଏତେ ସ୍ୱାର୍ଥପର । ମା' ମୁଁ ଥରେ କହିଚି ମୁଁ ତମର ପୁଅ- ଆଉ କଣ ? ନାଁ ମୁଁ ତ ଭାତ ଖାଇବି ।"