ପୃଷ୍ଠା:Hada bagicha.pdf/୧୧୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସ୍ପର୍ଶକାତରତା, ତା’ ରକ୍ତର ଚାପ ଓ ହିମୋଗ୍ଲୋବିନ୍ର ପରିମାଣ, ତା ବାକ୍-ଦୃଷ୍ଟି ଶ୍ରବଣର ବଳୟ ସହ ସେ ବେଶ୍ ପରିଚିତ । ଏପରିକି ତା ସିମେନ୍ର ଶୁକ୍ରକୀଟର ପରିମାଣ ବି ସେ ଭଲଭାବେ ଜାଣେ । ସ୍ୱୟଂଭୂବ ଦୃଢ଼ ବିଶ୍ୱାସ ନିଜ ବିଷୟରେ ରଚନା ଲେଖିଲେ ସେ ସବୁଠୁ ସୁନ୍ଦର ନିବନ୍ଧଟିଏ ଲେଖିପାରିବ । କେବେ ଯଦି ଆତ୍ମଚରିତ ଲେଖେ ତେବେ ସେକେଣ୍ଡ ପ୍ରତି ତା’ ଛାତିର ସ୍ପଂଦନଠୁ ଆରମ୍ଭକରି ଜୀବନକାଳ ଭିତରେ ତାର ରୁଚି ଅରୁଚି ସ୍ୱାଦ ଆହ୍ଲାଦ ସବୁକିଛି ଲେଖିବ । ତା’ର ପ୍ରିୟତମ ଆଲାର୍ଜି କଥା ଲେଖିବ । ତା’ର ସ୍ୱାସ୍ଥ୍ୟବର୍ଧକ ରୋଗ କଥା ଲେଖିବ । ତା’ର ଯେଉଁ ତେଲପ୍ରତି ଆଲାର୍ଜି ଅଛି ସେକଥା ମନେପକାଇ ସେ କୁରୁଳି ଉଠେ । ନିଜେ ତା’ ମୁଣ୍ଡରେ କେବେବି ତେଲ ଲଗାଏନା । ସ୍କୁଲରେ ପଢୁଥିବାବେଳେ କୌଣସି ସ୍କୁଲଛାତ୍ରକୁ ସେ ସାଇକେଲରେ ବସାଉ ନଥିଲା ଯଦି ତାର ମୁଣ୍ଡରେ ତେଲ ଲାଗିଥିବାର ଦେଖେ । ଏପରିକି ତାର ପ୍ରଥମ ପ୍ରେମାସ୍ପଦ ଲିଲି, ଯାହାକୁ ସେ ଦଶମ ଶ୍ରେଣୀ ପଢ଼ିବାବେଳଠୁ ଭଲ ପାଉଥିଲା, ତାକୁ ପ୍ରତି ଶନିବାର ସକାଳ ସ୍କୁଲ ଯିବା ପୂର୍ବରୁ ସ୍ୱୟଂଭୂବ ଅଧା ଫୁଟିଥିବା ସଜ ଗୋଲାପଟିଏ ମୁଣ୍ଡରେ ଲଗାଇ ଦେଉଥିଲା । ଯେଉଁ ଶନିବାର ସେ ତେଲ ଲଗାଇ ଆସିଥାଏ, ସେଦିନ ସେ ଦୂରରୁ କହିଦିଏ, "ନିଜେ ତୋଳିନିଅ' । ଲିଲି ସେଦିନ ରାଗିକି ଫୁଲ ନନେଇ ସ୍କୁଲ ଚାଲିଯାଉଥିଲା ଏବଂ ଦି ଦିନ ଯାଏ ମୁହଁ ଫୁଲାଉଥିଲା । କିଛିଦିନ ପରେ ଯେତେବେଳେ ସେ ଫୁଲଲଗାଇ ନ ଦେବାର କାରଣ ପଚାରୁଥିଲା ସ୍ୱୟଂଭୂବ ଚଟ୍କିନା କହି ଦେଉଥିଲା, "ସେଦିନ ତମେ ଅଗ୍ଲି ଦେଖା ଯାଉଥିଲ ।’ ସେ ପୁଣି ରାଗିକି ଚାଲିଯାଉଥିଲା ଯେ ପନ୍ଦର ଦିନଯାଏ କଥା ହେଉ ନଥିଲା । ଅବଶ୍ୟ ସ୍ୱୟଂଭୂବକୁ ଏସବୁ ଲୁଚକାଳି ଖେଳ ପରି ଲାଗୁଥିଲା । ତେଣୁ ସେ ଚୁପ୍ ବି ରହୁଥିଲା ଓ କଥା ବି ହେଉଥିଲା ଏବଂ ସେ କ’ଣ ଭୁଲ କରିଛି ସେକଥା ଜାଣି ପାରୁ ନଥିଲା । ଅଗ୍ଲି ଶବ୍ଦକୁ ସେ ମଝିରେ ମଝିରେ ବ୍ୟବହାର କରେ । ବିଉଟିଫୁଲ୍ ଶବ୍ଦକୁ ସେ ଆଦୌ ବ୍ୟବହାର କରେନା । ବରଂ ଅଗ୍ଳି ଶବ୍ଦର ବିପରୀତ ଶବ୍ଦ ଭାବରେ ସେ ନାଇସ୍ ଶବ୍ଦକୁ ଯଥେଷ୍ଟ ବ୍ୟବହାରକରେ । ଅଗ୍ଲି ଶବ୍ଦକୁ ସେ ତା’ର ସବୁ ପ୍ରେମାସ୍ପଦମାନଙ୍କ ଠାରେ ବ୍ୟବହାର କରିଛି । ତା’ର ସ୍ତ୍ରୀଙ୍କ ଠାରେ ବି ବ୍ୟବହାର କରିଛି ନିର୍ବିକାର ଭାବରେ । କିନ୍ତୁ କେହି ବି ଶବ୍ଦଟିର ମୂଲ୍ୟବୋଧକୁ ନବୁଝି ଆଭିଧାନିକ ଅର୍ଥଟି କେବଳ ବୁଝିଛନ୍ତି ଓ ମୁହଁ ମୋଡ଼ିଛନ୍ତି ଅନେକଥର । ଚିଲିକା ବିଶ୍ୱବିଦ୍ୟାଳୟର ଛାତ୍ରୀ ଥିବାବେଳେ ସ୍ୱୟଂଭୂବ ଥରେ ଦୁଇଥର ତାକୁ ସାକ୍ଷାତ କରିବାପାଇଁ ମହିଳା ହଷ୍ଟେଲ୍କୁ ଯାଇଥିଲା । ମୁଣ୍ଡରେ ତେଲଲଗାଇ ଦୁଇଜଣ ଝିଅ ବାରଣ୍ଡାରେ ବୁଲାବୁଲି କରୁଥିଲେ । ତାଙ୍କସହ କଥା ହେବନାହିଁ ଭାବି ଅନେକ ସମୟ ଅପେକ୍ଷାକଲା । ଅନନ୍ୟୋପାୟ ହୋଇ ଶେଷରେ ଚିଲିକାକୁ ଡାକିଦେବା ପାଇଁ କହିଲା । ଚିଲିକାର ଓ ତାର ଜଣେ ସାଙ୍ଗ ଉଭୟେ ମୁଣ୍ଡରେ ତେଲ ଲଗାଇଥିବାର ଦେଖି ସ୍ୱୟଂଭୂବ ସେମାନଙ୍କସହ କଥା ନହୋଇ ଫେରିଆସିଲା । ପ୍ରାୟ ଦୁଇମାସ ପରେ ଚିଲିକା ଯେତେବେଳେ ତା’ର କାରଣ ଜାଣିବାକୁ ଚାହିଁଲା ସେଦିନ ସମସ୍ତେ "ଅଗ୍ଲି’ ଦେଖା ଯାଉଥିବାର ଜଣାଇଲା । ଏ ଶବ୍ଦଟି ଚିଲିକା ପାଇଁ ତଥା ତା’ ସାଙ୍ଗମାନଙ୍କ ପାଇଁ ବ୍ୟବହାର କରିଥିବାରୁ ସେମାନେ ସବୁ ଖୁବ୍ ଦିନ ଯାଏ ଅଭିମାନ କରିଥିଲେ । ମାତ୍ର ଚିଲିକାର ଦୁର୍ଭାଗ୍ୟ ସ୍ୱୟଂଭୂବ ଅଭିମାନୀ ଝିଅମାନଙ୍କୁ ବୁଝିବାରେ ଓ ବୁଝାଇବାରେ ନିତାଂତ ଅପାରଗ । ଠିକ୍ ଏଇ କାରଣପାଇଁ ଶତରୂପା ମଧ୍ୟ କେତେଥର ରାଗିଛନ୍ତି, ଗାଳି ଦେଇଛନ୍ତି, ଅଭିମାନ କରିଛନ୍ତି, କାନ୍ଦିଛନ୍ତି, ଦୁଃଖପ୍ରକାଶ କରିଛନ୍ତି । ସ୍ୱୟଂଭୂବ ଖାଲି କହେ, "ଜଣେ ଯଦି ପରିଷ୍କାର ରୁହେ, ତା’ ଦେହରୁ ଯଦି କିଛିହେଲେ ବାସ୍ନା ଆସୁ ନଥାଏ, ଓଠ ବନ୍ଦକରି ଯଦି ଜଣେ ପାକୁଳି କରୁଥାଏ, ସର୍ବୋପରି ତାର ଭାଷା ଓ ଉଚ୍ଚାରଣ ଯଦି ନିର୍ଭୁଲ ଓ ସ୍ୱଚ୍ଛ ହୋଇଥାଏ, ତେବେ ସେ ତାକୁ "ନାଇସ୍’ କୁହେ ଏବଂ ବିପରୀତକୁ ସେ ଅଗ୍ଲି କୁହେ । ଏକ ନିର୍ଦିଷ୍ଟ ଦିନରେ ଜଣେ ପରିଷ୍କାର ଓ ଅପରିଷ୍କାର କିଛି କିଛି ସମୟ ପାଇଁ ରହିପାରେ । ଉଚ୍ଚାରଣରେ ଭୁଲହେଲେ ସଂଶୋଧନ କରାଯାଇପାରେ । ତେଣୁ "ଅଗ୍ଲି’ ଶବ୍ଦଟି ଏତେ ମାରାତ୍ମକ ଶବ୍ଦଟେ ନୁହେଁ । ସେ ନିଜେ ବି ପ୍ରତିଦିନ କିଛି କିଛି ସମୟ ଅଗ୍ଲି ଦେଖାଯାଏ । ଯାହାର ଧୀ ଶକ୍ତି ଓ ଭାବାବେଗ ସମାନ୍ତର ଭାବେ ଗତି କରୁଥାଏ ଓ ସବୁବେଳେ ଗତିଶୀଳ ହିଁ ଥାଏ, ସେପରି ବ୍ୟକ୍ତିଙ୍କୁ ସ୍ୱୟଂଭୂବ ସୁନ୍ଦର ବୋଲି କୁହେ । ଯେଉଁ ଲୋକଟି ଫୁଲଗଛଟି ମରିଯିବାର ଭୟରେ ଅଫିସରୁ ଛୁଟିନେଇ ରହିଯାଏ, ଯିଏ ଜଙ୍ଗଲ ଭିତରେ, ମରୁଭୂଇଁ ଭିତରେ, ସମୁଦ୍ର ଭିତରେ ହଜିଯାଇ ପୁଣି ନିଜକୁ ଖୋଜିପାଏ, ଛୋଟ ଟାଂଗର ଭୂଇଁ ଉପରେ ବସି ପରସ୍ତ ପରସ୍ତ କ୍ଷେତର ବିଶାଳତା ଦେଖୁଥାଏ, ଯିଏ ଝଡ଼ତୋଫାନ ବିଜୁଳି ଘଡ଼ଘଡ଼ି ବର୍ଷା ବାଦଲକୁ ଦେଖି ବିସ୍ମୟ ଭାବାବେଗରେ ଚଞ୍ଚଳ ହୋଇଉଠେ ସେପରି ଲୋକଙ୍କୁ ସ୍ୱୟଂଭୂବ ତନ୍ମୟହୋଇ ଦେଖେ । ଯେଉଁ ଲୋକଟି ନୂଆ ଶବ୍ଦଟିଏ ପାଇ ଅର୍ଥ ଖୋଜିବାରେ ଅଭିଧାନ ଫୋପାଡ଼ି ଦେଇ ଗୁଡ଼ାଏ ଏଣୁତେଣୁ ବହିର ପୃଷ୍ଠାମାନଙ୍କ ସହ ଖେଳେ ସେପରି ଲୋକଙ୍କୁ ସେ ଖାସ୍ ସମ୍ମାନଦିଏ । ଅଥଚ ଯେଉଁ ବ୍ୟକ୍ତି ନୂଆ ଶବ୍ଦଟିଏ ପାଇ ତାକୁ ଫୋପାଡ଼ି ଦିଏ, ପକେଟରୁ ଟଙ୍କା ଉଡ଼ିଯିବା ପରି ଫୁର୍ ଫାର ଉଡ଼ାଇଦିଏ, ତାକୁ ସେ କ୍ଲାସିକ୍ ପର୍ଯ୍ୟ୍ୟାୟର "ଅଗ୍ଲି’ ବୋଲି ଧରିନିଏ ।

ମନୋଜ କୁମାର ଫଡ଼ା ହାଡ଼ ବଗିଚା ୨୦୭ ୨୦୮