ଯାହା କଲେ ବି ଶରୀରକୁ ହିଁ କାଟେ । ଆମେ ହିଁ ତ ଶରୀର । ଆମେ ହସିଲେ ଆମ ଶରୀର ହସେ, ଆମେ କାନ୍ଦିଲେ ଆମ ଶରୀର କାନ୍ଦେ ।' ଦୁହେଁ ପୁଣି ଚୁପ୍ ଚାପ୍ ବସିଲେ ଢେର ସମୟ । ଛୋଟ ଶିଶୁ ଦୁଇଟି ଦୌଡିÿ ଦୌଡ଼ି ସମୁଦ୍ର ଢେଉକୁ ଛୁଇଁବାକୁ ଚେଷ୍ଟା କରୁଥିବାର ଦୃଶ୍ୟ ଦେଖିଲେ । କେତେବେଳେ ସେମାନଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲା, ଆଉ କେତେବେଳେ ସେମାନେ ଢେଉକୁ ଛୁଇଁବାକୁ ଚେଷ୍ଟା କରୁଥିଲେ । ଆଉ ତାଙ୍କ ମା ବାପା ବସିରହି ଏକ ଅଜଣା ଭାଷାରେ ସେମାନଙ୍କୁ ତାଗିଦ୍ କରୁଥିଲେ । ସେମାନଙ୍କ ଆଖି ବେଳେବେଳେ ବଡ଼ ହୋଇ ଯାଉଥିଲା । ଏବଂ ହାତ ଛିଞ୍ଚାଡ଼ି ହୋଇ ଯାଉଥିଲା ତୀର ବେଗରେ । ରୁବେନ ଓ ଚୁମ୍କି ବୁଝିଗଲେ ସେମାନେ ବାତ୍ୟା ପୀଡ଼ିତର ଅନେକ ଦୂରରୁ ଆସିଥିବେ ନିଶ୍ଚୟ । ଦୁହେଁ ଉଠିଛିଡ଼ା ହେଲେ ଓ ଟେକ୍ସି ଧରିଲେ । ଟେକ୍ସି ଭିତରେ ଚୁମ୍କି ପଚାରିଲା, "କୁଆଡ଼େ ଯିବା?' ରୁବେନ ଟେକ୍ସି ଚାଳକକୁ ଗୋଟିଏ ଦୋକାନର ନା କହିଲା । ଦଶମିନିଟ ମଧ୍ୟରେ ଦୋକାନ ସାମନାରେ ଗାଡ଼ି ଆସି ରହିଲା । ରୁବେନ କହିଲା "ତୁମେ ଏଠି ବସିଥାଅ । ମୁଁ ଦୁଇମିନିଟ ମଧ୍ୟରେ ଆସୁଛି ।' ଦୁଇମିନିଟ ପରେ ଛୋଟ ପେକେଟଟିଏ ଧରି ପୁଣି ଗାଡ଼ି ଭିତରେ ବସି କହିଲା, "ଚୁମ୍କି ଚା ଦୋକାନ, ଚୁମ୍କି କିଛି ବୁଝି ପାରିଲା ନାହିଁ । ପେକେଟରେ କଣ ଅଛି ଜାଣିବାରୁ ଚାହିଁବାରୁ ରୁବେନ୍ ଚୁମ୍କିକୁ ପେକେଟଟି ଖୋଲିବାକୁ କହିଲା । ପେକେଟ ଖୋଲି ଚୁମ୍କି ଚମକି ପଡ଼ିଲା । ତା ଭିତରେ ଛୋଟ ପିସ୍ତଲଟିଏ । ତା ମାଲିକ ଦେଇଥିବା ପାଞ୍ଚହଜାର ଟଙ୍କାରେ ସେ ଏକ ପିସ୍ତଲ କିଣି ଆଣିଲା । "ଏଇଟା କଣ ହେବ?' ଚୁମ୍କି ପଚାରିଲା । "ଈଶ୍ୱରଙ୍କୁ ଚେଲେଞ୍ଜ କରାଯାଇ ପାରିବ ।' ରୁବେନ କହିଲା । ଚୁମକି କିଛି ବୁଝିପାରିଲା ନାହିଁ । "ଚୁମ୍କି ଚା ଦୋକାନ' ପାଖରେ ଗାଡ଼ି ରହିଲା । ଦୁହେଁ ଓହ୍ଳାଇଲେ । ଟେକ୍ସି ଚାଳକ ପଇସାନେଇ ଚାଲିଗଲା । ରୁବେନ ତା ମାଲିକର ମୁହଁକୁ ଦେଖିଲା । ସେ ସକାଳୁ ଯାଇ ସଂଧ୍ୟାରେ ଫେରୁଥିବାରୁ ଓ ତା ବରାଦ ଥିବା ଜିନିଷ କିଛିହେଲେ ଆଣି ନ ଥିବାରୁ ମାଲିକର ମୁହଁଟା ରାଗରାଗ ଦେଖା ଯାଉ ଥିଲା । ଅଥଚ ରୁବେନ ଏକ ଝିଅ ସାଙ୍ଗରେ ଆସିଥିବାର ଦେଖି ସେ କିଛି କହି ନ ଥିଲା । ଚା' ପାନରେ ବ୍ୟସ୍ତ ଥିବା କିଛି ଲୋକ ବି ଏମାନଙ୍କୁ ଦେଖୁଥିଲେ । ରୁବେନ ପରିଚୟ କରାଇ ଦେଲା, "ୟା ନା ଚୁମ୍କି' ୟେ ବି ଏଠି କାମ କରିବ । ତା ମାଲିକ ଚମକି ପଡ଼ିଲା । ଚୁମ୍କି କିଛି କହିଲା ନାହିଁ । ଚୁମ୍କିକୁ ଟିକେ ଦେଖି ଦି'କପ୍ ଚା ଦି'ହାତରେ ଧରି ରୁବେନର କାନ ପାଖରେ ଧୀରେ ଧୀରେ ତା ପାଞ୍ଚହଜାର ଟଙ୍କା ବାବଦରେ ପଚାରିଲା । ରୁବେନ ସରଳ ଓ ସହଜ ଗଳାରେ ପେକେଟ ଖୋଲି ଦେଖାଇ କହିଲା, "ଏଇଟା କିଣିଲି' ତା ମାଲିକ ହାତରୁ ଦି'କପ୍ ଚା ଖସି ପଡ଼ିଲା । ମାଲିକର ମୁଣ୍ଡ ବୁଲାଇ ଦେଲା । ନିଜ ଚୌକିରେ ଯାଇ ବସିପଡ଼ି ରୁବେନଠୁ ତା ମୁହଁକୁ ଅନ୍ୟପଟକୁ ବୁଲାଇନେଲା । ସେ ଭୂଲିଗଲା ଯେ ରୁବେନ ଗୋଟେ ଝିଅକୁ ଧରି ତା ଦୋକାନକୁ ଆସିଛି । ଗରମ ଚା ପଡ଼ି ତା ପାଦଦୁଇଟି ଭିଜି ଯାଇଥିଲା, ଆଉ ସେ ଭୂଲିଗଲା ବି ଚା'ର ଉତ୍ତାପ କଥା । ସେ ଭୂଲିଗଲା ତା ଗ୍ରାହକ କଥା । ତା ରାଗ କୁଆଡ଼େ ଉଭେଇଗଲା । ତାକୁ ଅନ୍ଧାର ଦେଖାଗଲା । ଦିନ ହୋଇଛି କି ରାତି ସେ ଜାଣି ପାରିଲା ନାହିଁ । ରୁବେନ ଚା ଆଣି ଚୁମ୍କିକୁ ଦେଲା ଓ ନିଜେ ବି ପିଇଲା । ମାଲିକଟି ଚା ମନାକରି ପାଣି ପାଇଁ ହାତଠାରି ମାଗିଲା । ରୁବେନ ତା ମାଲିକକୁ କହିଲା "ମୁଁ ଏବେ ଚୁମ୍କିକୁ ତା ଘରେ ଛାଡିଦେଇ ଆସୁଛି । ସେ କାଲି ସକାଳୁ ଆସି ଏଠି କାମ କରିବ, କେବଳ ଦିନ ବେଳା ।' ମାଲିକ କିଛି କହିଲା ନାହିଁ । କେବଳ ମୁଣ୍ଡ ଟୁଙ୍ଗାରି ହଁ କଲା । ସେ ଦୁହେଁ ଚାଲିଯିବାପରେ ବି ଅନେକ ବେଳ ଯାଏ ତା ଗୋଡ଼ ହାତ ଛାତି ମୁଣ୍ଡ ଥରିଯାଉଥିଲା । ଭାବିଲା ଶୀଘ୍ରଶୀଘ୍ର ଦୋକାନକୁ ବନ୍ଦକରି ଚାଲିଯିବ କି? ପୁଣି ଭାବିଲା ସବୁଦିନ ପାଇଁ ଦୋକାନକୁ ବନ୍ଦକରି ଦେବକି? କିଛି ସ୍ଥିର କରିପାରିଲା ନାହିଁ । ଏବେ ସଞ୍ଜବେଳେ ତା ଦୋକାନରେ ଗରାଖ ସଂଖ୍ୟା ଖୁବ ବଢ଼ିଯାଏ । ଚା ବାଢ଼ିବାରେ ତାକୁ ଫୁରସତ ମିଳେନା । ଖୁବ୍ ବ୍ୟସ୍ତତା ଭିତରେ ଖୁବ୍ ବିଚଳିତ ଜଣା ପଡୁଥିଲା ମାଲିକଟି । ଶେଷରେ ମନେ ମନେ କିଛି ଗୋଟେ ସ୍ଥିର କରି ମନକୁ ମନ ଗୁଣୁଗୁଣେଇ କହିଲା, "କାଲିଠୁ ଦୋକାନ ବନ୍ଦ କରିଦେବି' ଏବଂ ବଡ଼ପାଟିରେ କିଛି ଅଜଣା ଗରାଖଙ୍କୁ କହିଲା, "କାଲିଠୁ ଚୁମ୍କି ଚା ଦୋକାନ ବନ୍ଦ' । ପୁଣି କିଛି ସମୟପରେ ନିଜକୁ ନିଜେ କହିଲା, "ଏବେଠୁ ବନ୍ଦ କରିଦେବି' ଏବଂ ବଡ଼ପାଟିରେ ଘୋଷଣା କଲା "ସାର୍ ମାନେ କ୍ଷମାକରିବେ ଏବେ ଆଉ ଚା ମିଳିବ ନାହିଁ ।' ଏବଂ ଅଧଘଣ୍ଟା ମଧ୍ୟରେ ସବୁ ଜିନିଷପତ୍ର କୋଠରି ଭିତରେ ଭରି କବାଟ ବନ୍ଦ କରିବା ଆରମ୍ଭ କଲା । ତା ଚାବିପେଂଥାଟି ଖୋଜୁଖୋଜୁ ନିଜ ବସୁଥିବା ଚୌକିର ଗଦି ଉଠାଇ ଦେଖିଲା ତା ଚାବିପେଂଥା ସାଙ୍ଗରେ ପିସ୍ତଲଟି ମଧ୍ୟ ରଖାହୋଇଛି ।
ପୃଷ୍ଠା:Hada bagicha.pdf/୧୧୯
ଦେଖଣା