ଲାଲ ଘୋଡ଼ା ଉପରେ ଲାଲ ପୋଷାକ ପିନ୍ଧି ନିଜେ ବସିବ ଏବଂ ଚାଲିବ ଟପ୍ ଟପ୍ ଟପ୍ ଟପ୍ । ଲୋକଙ୍କ ଆଖି ଝଲସି ଉଠିବ । ସେମାନେ ଆଖି ମଳି ମଳି ଦେଖିବେ । "କିଏ ଏଇ ରାଜକୁମାର?' ବୋଲି କହିବେ । ପ୍ରଥମେ ଘୋଡ଼ାଟି ଧୀରେ ଧୀରେ ଚାଲିବ । ତାପରେ ସାମାନ୍ୟ ଜୋର୍ରେ ଚାଲିବ । ତାପରେ ଆହୁରି ଜୋର୍ରେ, ତାପରେ ଆହୁରି ଜୋର୍ରେ । ଶେଷରେ ଉଡ଼ିବ । ଲୋକେ ମୁଣ୍ଡ ଉପରକୁ କରି ଦେଖିବେ । ତାଙ୍କ ବେକ ବଥାଇବ । ବଥାଉ । ନିଜେ ଆଖି ପିଛୁଳାକେ ଉଡ଼ି ଯାଉଥିବ ସହର ଉପରେ, ଗଛ ଉପରେ, ପାହାଡ ଉପରେ, ସମୁଦ୍ର ଉପରେ, ମେଘ ଉପରେ । ତାପରେ ସେ ଆଉ କୁଆଡ଼େ ଯିବ ଭାବି ପାରେନା । ମେଘ ଉପରେ କଣ ଅଛି ସେ ଜାଣିପାରେନା । ଜହ୍ନ, ତାରାଯାଏ ଯାଇହେବ କି ନାଇଁ ସେ ସନ୍ଦେହରେ ପଡ଼େ । ତେଣୁ ସେ ମନକୁ ଫେରାଏ ଓ ପୃଥିବୀ ଉପରେ ଆସି ଠିଆ ହୁଏ । ଘୋଡ଼ାରୁ ଓହ୍ଳାଏ ଓ ପାଣି ଖୋଜେ । ତାକୁ ଭାରି ଶୋଷ । ତା ନିଶ୍ୱାସ ପ୍ରଶ୍ୱାସ ଜୋର୍ ରେ ଚାଲୁଥାଏ । ଧଇଁ ସଇଁ ହେଉଥାଏ । ସେ ଥକି ପଡ଼େ ଓ ରାସ୍ତାକଡ଼ରେ ବସି ବିଶ୍ରାମ ନିଏ । ପାଣି ଖୋଜେ । ପାଣି ମିଳୁ ନ ମିଳୁ ତାର ସ୍ୱପ୍ନ ଦେଖିବା କିନ୍ତୁ ସରି ନ ଥାଏ । ସେ ଦେଖେ ତା ପାଖରେ ଲାଲଘୋଡ଼ାର ଚିହ୍ନବର୍ଣ ନାଇଁ । ନିଜେ ବି ଲାଲ ପୋଷାକ ପିନ୍ଧି ନାଇଁ । ମାଟିଆ ପୋଷାକ ପିନ୍ଧିଛି । ତା ସାର୍ଟରେ ଦୁଇଟି ପକେଟ ଅଛି । ତା ପେଣ୍ଟରେ ଦୁଇଟି ପକେଟ ଅଛି । ସେ ଭାବିଲା ଲାଲ ପୋଷାକ ଆଣିଲେ ତହିଁରେ ସମୁ୍ଦାୟ ଆଠଟି ପକେଟ କରିବ । କେତେବେଳେ କଣ ମିଳିଲେ ତା ଭିତରେ ଭରିବ । ଅନେକ ଟଙ୍କା ମିଳିପାରେ, ଅନେକ ଉପହାର ମିଳିପାରେ । ଅନେକ ହୀରା ମୋତି ମାଣିକ ମିଳିପାରେ । ଅନେକ ଅଜଣା ଅଦେଖା ଦ୍ରବ୍ୟ ମିଳିପାରେ । ସେ ତା ପକେଟରେ ପୁରାଇବ । ଇସ୍... ତାର ଏମିତି ଏକ ଘୋଡ଼ା ହୁଅନ୍ତାକି ! ସେ ଏକ ଘୋଡ଼ା କିଣିବ । ରାସ୍ତାରେ ଜଣେ ବାଟୋଇକୁ ଅଟକାଇଲା । ତାକୁ ଘୋଡ଼ା ବିଷୟରେ ପଚାରିବ ଭାବୁଥିଲା, ମାତ୍ର ତା ବିରାଟକାୟ ନିଶକୁ ଦେଖି କାଠ ପାଲଟିଗଲା । ଏତେ ବଡ ନିଶ ସେ ତା ଜୀବନରେ କେବେ ଦେଖି ନ ଥିଲା । ଘଞ୍ଚହୋଇ ବଢ଼ିଛି ଏବଂ ମୋଡିହୋଇ କାନଯାଏ ଲମ୍ବିଛି । ଘୋଡ଼ାର ଦାମ ନ ପଚାରି ସେ ଅନ୍ୟମନସ୍କ ଭାବରେ ପଚାରିଲା, "ଏ ମୁଛର ଦାମ କେତେ?' ବାଟୋଇ କିଛିହେଲେ ଉତ୍ତର ନ ଦେଇ ଏବଂ ଏକ କୁଟୀଳ ଚାହାଣୀ ଫିଙ୍ଗି ତା ବାଟରେ ଚାଲିଗଲା । ବାଟୋଇ ଭାବିଥିବ ଲୋକଟା ପାଗଳଟାଏ । କିଛି ସମୟପରେ ଅନ୍ୟ ଏକ ବାଟୋଇକୁ ସ୍ୱପ୍ନ ଦେଖାଳି ଅଟକାଇଲା । ଘୋଡ଼ା କିଣିବା କଥା ତାକୁ ପଚାରିବ ବୋଲି ପାଖକୁ ଡାକିଲା । ଲୋକଟି ପାଖକୁ ଆସିବାପରେ ଦେଖିଲା ତା ବେକରେ ସେ ଏକ ନାଗସାପ ଗୁଡ଼ାଇଛି । ତା ପାଖକୁ ଆସିବା କ୍ଷଣି ସାପଟି ଫଣା ଟେକି ସ୍ୱପ୍ନ ଦେଖାଳିକୁ ଚାହିଁଲା । ସ୍ୱପ୍ନ ଦେଖାଳି ସ୍ତଂବିଭୂତ ହୋଇଗଲା । ତାର କଣ ପଚାରିବାର ଥିଲା ତାକୁ ସେ ଭୁଲିଗଲା । ପଛକୁ ଦିପାଦ ଫେରିଆସି ବିଷ୍ଫାରିତ ଆଖିରେ ଚାହିଁଲା । ସାପ ଗୁଡ଼ାଇଥିବା ଲୋକଟି ହସିଦେଇ ତା ବାଟରେ ଚାଲିଗଲା । ସ୍ୱପ୍ନ ଦେଖାଳି ଦୀର୍ଘ ନିଶ୍ୱାସ ଦି'ଚାରୋଟି ଛାଡ଼ି ଧୀରଗତିରେ ପୁଣି ଆଗକୁ ବଢ଼ିଲା । ଭାବିଲା ଆଉ କାହାକୁ କିଛି ପଚାରିବନାଇଁ । ନିଜେ ହିଁ ଖୋଜିବ ଘୋଡ଼ାଟିଏ । କିଛି ଦୂରଗଲାପରେ ଏକ ଅସ୍ତାବଲ ଦେଖିଲା । ପାଖ ପଡ଼ିଆରେ ଚାରୋଟି ଘୋଡ଼ା ବି ଘାସ ଚରୁଥିବାର ଦେଖିଲା । ଭାବିଲା ଏଇଟା ହିଁ ତା ଲକ୍ଷ୍ୟସ୍ଥଳ । ପାଖକୁ ଯାଇ ଦେଖିଲା ତାହା ଏକ ବାବାଙ୍କ ଆଶ୍ରମ । ଅନେକ ନାରୀ ପୁରୁଷ ଆତଯାତ ହେଉଥିଲେ । କାହାକୁ କଣ ପଚାରିବ କିଛି ଭାବି ପାରିଲା ନାହିଁ । ଖଣ୍ଡେ ଦୂରରେ ଚୁପ୍ ଚାପ୍ ଛିଡ଼ାହୋଇ ନିରୀକ୍ଷଣ କଲା । ଦେଖିଲା ସବୁଲୋକ ସେଠି ଗୁରୁ ଗମ୍ଭୀର ଦେଖାଯାଉଛନ୍ତି । ସମସ୍ତେ ବ୍ୟସ୍ତ ଅଛନ୍ତି । କେହି ତା ମୁହଁକୁ ଚାହିଁ ହସୁ ନାହାନ୍ତି । ଘଣ୍ଟାଏ କାଳ ଠିଆହେଲା ପରେ ସାହସକରି ଜଣକୁ ଠାରରେ ପାଖକୁ ଡାକିଲା । ଲୋକଟି ତା ପାଖକୁ ଆସି ତା କପାଳରେ ବିଭୁତିର ଟିକାଟିଏ ଲଗାଇଦେଲା ଏବଂ ପ୍ରଶ୍ନିଳ ଦୃଷ୍ଟିରେ ଅନାଇଲା । ସ୍ୱପ୍ନ ଦେଖାଳି କହିଲା ସେ ଘୋଡ଼ା କିଣିବାକୁ ଆସିଛି । ଲୋକଟି ତାକୁ ଭିତରକୁ ଡାକିନେଲା ଠାରରେ । ବାଡ଼ ଭିତରେ ଅଗଣାରେ ଏତେ ଭିଡ଼ । ସେ ଆଶ୍ଚର୍ଯ୍ୟ ହେଲା । ଲାଲ ଓ ଗେରୁଆ ଗାଉନ ପିନ୍ଧି ଗୁଡ଼ାଏ ଲଣ୍ଡାମୁଣ୍ଡିଆ ଲୋକ ଯା ଆସ କରୁଥିଲେ । ନାରୀମାନେ ସେମାନଙ୍କ ମଧ୍ୟରେ ଥିଲେ କି ନାଇଁ ସେ ଜାଣିପାରିଲା ନାଇଁ । ସମସ୍ତେ ସମାନ ଦେଖାଯାଉଥିଲେ । ଲୋକଟି ସ୍ୱପ୍ନ ଦେଖାଳିକୁ ଡାକିନେଲା ତାଙ୍କ ଗୁରୁଂକ ପାଖକୁ । ଗଳିକନ୍ଦି ଅଗଣା ପାହାଚଦେଇ ଖୁବ୍ ଭିତରକୁ ଗଲାପରେ ବାବାଙ୍କ ଆବାସ । ଏତେ ଉଚ୍ଚ, ଏତେ ଦଂଭ, ଏତେ ଠାଣି, ଏତେ ବାଳ-ସ୍ୱପ୍ନ ଦେଖାଳି ତା ଆଖି ଫେରାଇ ପାରିଲା ନାହିଁ । ତାକୁ ସେଠି ଲମ୍ବହୋଇ ପ୍ରଣିପାତ କରିବା ପାଇଁ କୁହାଗଲା ।
ପୃଷ୍ଠା:Hada bagicha.pdf/୧୩୨
ଦେଖଣା