ରିଡିଂ ନେଲେ । ଟେମ୍ପରେଚର, ବି.ପି., ପଲ୍ସ୍, ହାର୍ଟବିଟ୍ । ମସ୍ତିଷ୍କର କେତେ ଭାଗ ନଷ୍ଟ ହୋଇଛି ଦେଖିଲେ । ଆଖିକୁ ଟିକେ ଟାଣିଆଣି ତା’ ଭିତରକୁ ଦେଖିଲେ, ଜିଭ ଟାଣି ତା’ ଭିତରକୁ ଦେଖିଲେ । ଝାଡ଼ା ପରିସ୍ରା ଦେଖିଲେ । ରକ୍ତ ଦେଖିଲେ । ସବୁ ଲେଖାଲେଖି ହେଲା । ଶେଷରେ କହିଲେ, "ଓଭର୍' । ମୋ ମୁହଁ ଉପରେ ସମସ୍ତଙ୍କ ଦୃଷ୍ଟି ଆସି ସ୍ଥିର ହେଲା । ସମସ୍ତେ କ’ଣ କିଛି କହିବେ କହିବେ ହେଉଛନ୍ତି, କହିପାରୁ ନାହାନ୍ତିର ଭାବ । ଫଟୋଗ୍ରାଫରଟିଏ ଆସି ଦୁଇଟି ଫଟୋ ଉଠାଇଲା ଏବଂ ଟାକିରହିଲା ପଛକୁଯାଇ । ଦୁଇମିନିଟ୍ ପାଖାପାଖି ସମୟ ସଂପୂର୍ଣ୍ଣ ନିରବରେ କଟିଲା । କେହି ବି ହଲ୍ଚଲ୍ ହେଉ ନଥିଲେ । ସମସ୍ତଙ୍କ ଦୃଷ୍ଟିଥିଲା ଲାରାଉପରେ । ଲାରା ଶୂନ୍ୟକୁ ଚାହିଁଛି, ଆଁ କରିଛି । ସମସ୍ତଙ୍କ ମସ୍ତିଷ୍କ ଭିତରଟା ଶୂନ୍ୟ ଥିବାପରି ଜଣା ପଡୁଥିଲା । ଆଉ ଏକମିନିଟ ବି ନିରବରେ ଗଲା । ସମୟର ଓଜନ ବି ଗୋଟିଏ ଥାଏ, ଏଠି ଅନୁଭବ କରି ହେଉଥିଲା । ମୁଁ ଲାରାର ମୁଣ୍ଡପଟେ ଥିଲି । ମୋ ହାତଟା ଯାଇ ତା’ ଗାଲକୁ ଟିକେ ଆଉଁସିଦେଲା । କ’ଣ କହିବି ଭାବିଲି, ପାଟିରୁ କିଛି ଶବ୍ଦ ବାହାରିଲାନାଇଁ । ଆଉ ଏକମିନିଟ୍ ଗଲା । ମାଜିଷ୍ଟ୍ରେଟ୍ ସାହେବ ନିଜ ଘଡ଼ିଦେଖି କହିଲେ, ଓକେ । ଜଣେ ଡାକ୍ତର ଲାରାର ନାଡ଼ି ଧରିଲେ । ଅନ୍ୟଜଣେ ଗୋଟି ଗୋଟି କରି ବାରଟି ଟ୍ୟୁବ୍ ଖୋଲିଲେ । ଦୁଇମିନିଟ୍ ଲାଗିଲା । କମ୍ପ୍ୟୁଟର ସବୁ ବନ୍ଦ ହୋଇଗଲା । ଲାରାର ମୁହଁକୁ ସମସ୍ତେ ଦେଖୁଥାଆନ୍ତି । ଏକମିନିଟ୍ ମଧ୍ୟରେ ଲାରାର ପାଟିରୁ ଏକ ସୂକ୍ଷ୍ମ ଶବ୍ଦ ବାହାରିଲା ଏବଂ ମୁହଁଟି ସାମାନ୍ୟ ବଙ୍କା ହୋଇଗଲା । ନାଡ଼ି ପରୀକ୍ଷା କରୁଥିବା ଡାକ୍ତର କହିଲେ, "ସି ଇଜ୍ ନୋ ମୋର୍’ ଏବଂ ହାତକୁ ଥୋଇ ଦେଲେ । ମାଜିଷ୍ଟ୍ରେଟ ସାହେବ ଫେରିଗଲେ ସଙ୍ଗେ ସଙ୍ଗେ । ନର୍ସଟିଏ ତା’ ହାତରେ ଲାରାର ଆଖି ଦୁଇଟିକୁ ବନ୍ଦ କରିଦେଲା ଏବଂ ଧଳା ଚାଦରଟିଏ ମୁଣ୍ଡଯାଏ ଘୋଡ଼ାଇ ଦେଲା । ସି.ଡି.ଏମ୍.ଓ. ମହାଶୟ ଫୁଲତୋଡ଼ାଟିଏ ତା’ ଛାତିଉପରେ ଥୋଇଲେ ଏବଂ ମୋ ହାତରେ ଷାଠିଏହଜାର ଟଙ୍କାର ଏକ ବିଲ୍ ଧରାଇଦେଇ କହିଲେ "ଆଇ ଆମ୍ ସରି, ମି. ଦାସ ।' ଜିଲ୍ଲାପାଳ ଓ ଏସ୍.ପି. ମୋ କାନ୍ଧରେ ହାତଥାପି କହିଲେ "ଆଇ ଆମ୍ ସରି’ ଏବଂ ଫେରିଗଲେ । ସଙ୍ଗେ ସଙ୍ଗେ କୋଠରି ଭିତରକୁ ପଶିଆସିଲେ ଲାରାର ମା’ ବାପା ଏବଂ ଅନ୍ୟମାନେ । ଖୁବ୍ ଗୋଟାଏ ଭିଡ଼ ହୋଇଗଲା ସେଠି । କାନ୍ଦ ବୋବାଳି ଭିତରେ ମୁଁ ଦେଖିଲି କେହିଜଣେ ମେଞ୍ଚାଏ ଧୂପକାଠି ଜାଳିଦେଲା ସେଠି, କେହିଜଣେ ପରଫୁ୍ୟମ୍ ସିଂଚିଦେଲା ଗୁଡ଼ାଏ, କେହିଜଣେ ସିନ୍ଦୂର ଢାଳିଦେଲା, କେହିଜଣେ ହଳଦି, କେହି ଶାଢ଼ି, କେହି ଫୁଲହାର, ଫୁଲହାର ଏବଂ ଫୁଲହାର । କ୍ରିମେଟୋରିଅମ୍କୁ ନିଆଗଲା । ଲେଖାଲେଖି କାମ ସରିବାପରେ ମୁଣ୍ଡପଟୁ ଆସ୍ତେ କିନା ଗୋଟେ ମେସିନ୍ ଭିତରେ ପୁରାଇ ଦିଆଗଲା ଲାରାକୁ । ଗୋଟିଏ ସ୍ୱିଚ୍ରେ ହାତମାରିବା ପରେ ତିନିମିନିଟ୍ ପରେ ଏକ ପ୍ରକାଣ୍ଡ ଟ୍ରେରେ ଗଦାଏ ଜଳଂତା ପାଉଁଶ ବାହାରି ଆସିଲା । ଲାରା ଶୋଇଥିବା ସୁନ୍ଦର ଟ୍ରେଟି ଏବେ କେତେ ଅପରିଷ୍କାର ଦେଖାଯାଉଛି । ମେଜିକ୍ ପରି କୁଆଡ଼େ ଉଭେଇଗଲା ଲାରା । ଏଠି ଏବେ ଶୋଇଥିଲା, ଏବେ ନାହିଁ । ଲାରା ଏବେ ନାହିଁ । ଲାରା ଏବେ ନାହିଁ? ଲାରା ନାହିଁ!! ମେଜିକ୍ ବଳରେ ଏବେ ପୁଣି ଫେରି ଆସିପାରିବ କି? ନିଆଁ ଶୀତଳହେଲା ପାଞ୍ଚମିନିଟ୍ ମଧ୍ୟରେ । କେହି ଜଣେ ମେଞ୍ଚାଏ ପାଉଁଶକୁ ଦୁଇପାପୁଲିରେ ଧରି ମୋତେକହିଲା, "ଏଇ ନିଅ ତୁମ ଲାରା ।' ଅନ୍ୟମନସ୍କ ଭାବରେ ମୁଁ ମେଞ୍ଚାଏ ପାଉଁଶ ପାପୁଲିରେ ଧରି ଖୁବ୍ ଜୋର୍ରେ କାନ୍ଦି ପକାଇଲି ।
ପୃଷ୍ଠା:Hada bagicha.pdf/୧୬୩
ଦେଖଣା