Jump to content

ପୃଷ୍ଠା:Hada bagicha.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେଲା ଏବଂ ସର୍ବପ୍ରଥମେ ଦେଖିଲା ନିଜ ହୃଦ୍କମ୍ପନ ବଢ଼ି ଯାଇଛି । ଛାତିରେ ହାତ ଦେଇ ମାପିଲା । ଆହୁରି ଦୃତତର ହେବାରେ ଲାଗିଛି । ସେ ଜାଣେ ହୃଦ୍କମ୍ପନ ମାନେ ଛୁଟିଦିନ । ହୃଦ୍କମ୍ପନ ମାନେ ଚିଲିକା । ହୃଦଷ୍ପଂଦନ ମାନେ ଆଡ୍ଭେନଚର୍ । ପ୍ରତିଦିନ ସେ କିପରି ମୁହୂର୍ତ ମୁହୂର୍ତ କରି ଜିଉଁଛି ତାକୁ ଦେଖିବା, ଅନୁଭବ କରିବା ଓ ଚାଖିବା ମାନେ ହେଉଛି ଏକ ଦୁଃସାହସିକ କାର୍ଯ୍ୟ, ଗୋଟିଏ ବିପଦ ପୂର୍ଣ ପଦକ୍ଷେପ । ବେଳେବେଳେ ଏମିତି ହୁଏ ଘଟନାମାନେ ଆସି ତୁମକୁ ବୋହି ନେଇ ଯାଆନ୍ତି । ତୁମକୁ ସଂଶ୍ଳିଷ୍ଟ କରି ଦିଅନ୍ତି । ତୁମ ସପକ୍ଷରେ ଯଦି ଘଟନାମାନେ ଯାଆନ୍ତି ତୁମେ ଖୁସି ହୁଅ । ତୁମ ବିପକ୍ଷରେ ଯଦି ଗୋଡ଼ କାଢ଼ନ୍ତି ତୁମେ ତାକୁ ଦୁର୍ଘଟନା କହି ଦୁଃଖିତ ହୁଅ । ଏପରି କାହିଁକି ହୋଇ ପାରିବ ନାହିଁ ଯେ ଖୋଦ୍ ନିଜେ ଘଟନା ମାନଙ୍କୁ ଡାକିବ, ଆଉଁସି ଦେବ ଏବଂ ତାକୁ ପାଖରେ କିମ୍ବା ଦୂରରେ ନ ଥୋଇ ନିଜ ଭିତରେ ଥୋଇବ । ଜଡ଼ିତ ହୋଇଯିବ । ବଞ୍ଚିବ ତା ଉପରେ । ଘଟନାକୁ ଦଳିଦେବ । କୌଣସି ଘଟନାର କେବେ ଆରମ୍ଭଟିଏ ନଥାଏ, ବା ଘଟନା କେବେ ଶେଷ ହୁଏ ନାହିଁ । ଘଟନା ଅବାରିତ ଅନବରତ । ଘଟନା ଝରଣା । ତା ଭିତରେ ପଶି ଦେହ, ହୃଦୟ ଓ ମସ୍ତିଷ୍କକୁ ଘସି ମାଜି ସଫା କରିବାକୁ ହୁଏ । “ସେଦିନ ସୂର୍ଯ୍ୟକିରଣ ଲାଲ୍ ଥିଲା, ସେଦିନ ଥଣ୍ଡା ପବନ ବହୁଥିଲା, ସେଦିନ ସହରରେ କର୍ଫ୍ୟୁ ହୋଇଥିଲା, ସେଦିନ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଥିଲା, ସେଦିନ ଆମେ ପିକ୍ନିକ୍ରେ ଥିଲୁ, ସେଦିନ ଜିନୋସାଇଡ୍ ହୋଇଥାଏ, ସେଦିନ ଫୁଲଟିଏ ଫୁଟିଥାଏ, ସେଦିନ ତା ଦେହରେ ବେଂଡେଜ୍ କରା ହୋଇଥାଏ, ସେଦିନ ବାପାଙ୍କ ମୃତ୍ୟୁ ହୋଇଥାଏ, ସେଦିନ ଟ୍ରେନ୍ ଚାଲିଯାଇଥାଏ, ସେଦିନ ମୁଁ ଲକ୍ଷ୍ନୌରେ ମୁଜରା ଦେଖୁଥାଏ, ସେଦିନ ସେ ନ୍ୟୁୟର୍କରୁ ଫେରିଥାଏ, ସେଦିନ ପାଗଳଟିଏ ଗୀତ ଗାଇ ଗାଇ ବୁଲୁଥାଏ’’ ଏସବୁ ନିର୍ଦିଷ୍ଟ କୌଣସି ଘଟନାର ଆରମ୍ଭ ନୁହେଁ । ସେମିତି ଘଟୁଥାନ୍ତି ଦୃଶ୍ୟହୀନ ଭାବେ । ପୃଥିବୀରେ ପ୍ରତି ମୁହୂର୍ତରେ ଏମିତି ଲକ୍ଷ ଲକ୍ଷ କୋଟି କୋଟି ଘଟନା ଦୁର୍ଘଟନାର ସ୍ରୋତ ଚାଲିଥାଏ, ଢେଉ ଚାଳିଥାଏ ଜୁଆର ଚାଲିଥାଏ । ଏସବୁର ଆରମ୍ଭଟିଏ କେଉଁଠି ଥାଏ? ଆମକୁ ଯାହା ଯେତେବେଳେ ଦୃଶ୍ୟ ହୁଏ ତାହା ଆରମ୍ଭ ଓ ସେତେବେଳଯାଏ ଆମେ ଦେଖୁଁ ହୁଏତ ତାହା ଶେଷ ବୋଲି ଆମେ ନାମକରଣ କରୁଁ । କିନ୍ତୁ ସିଏ ଏକ ଉତ୍ତାଳ ତରଙ୍ଗ । ଏମିତି କେତେଲୋକ ଗୋଟିଏ କିମ୍ବା ଦୁଇଟି କିମ୍ବା ତିନୋଟି କିମ୍ବା ଚାରୋଟି ଘଟନା ଦୁର୍ଘଟନାକୁ ମନେରଖି ନିଜ ବଞ୍ଚିବାର ଏକମାତ୍ର ଆଶ୍ରୟ, ଏକମାତ୍ର କାରଣ କରିନିଆନ୍ତି । ଯେମିତି ସେଇ ଭଦ୍ରଲୋକ ତାଙ୍କ ଯୁବକ ଅବସ୍ଥାରେ ଉଚ୍ଚ ଡିଆଁରେ ରେକର୍ଡ ରଖିଥିଲେ ଏବଂ ତାକୁ ପାଞ୍ଚଶହ ବା ଛଶହ ସେକେଣ୍ଡର ଗପଟିଏ କରି ଅନ୍ୟମାନଙ୍କ ଆଗରେ ନିଜ ଜୀବନର, ଜିଇଁଥିବା ଜୀବନର କାରଣ ଦର୍ଶାନ୍ତି । ସେମିତି ସେଇ ଜମିଦାର ପାଇଁ ତାଙ୍କ ପୁରୁଣା ବନ୍ଧୁକ ଓ ଗୋଟିଏ ବାଘ ମୁଣ୍ଡ ହିଁ ହେଉଛି ତାଙ୍କ ବର୍ତମାନଯାଏ ଜିଇଁବାର କାରଣ! ସେମିତି ସେଇ ଅବସରପ୍ରାପ୍ତ ଶିକ୍ଷକ ପାଇଁ ତାଙ୍କ ଆଦର୍ଶ, ସେଇ ଅବସରପ୍ରାପ୍ତ ପୋଲିସ୍ ଲୋକଟି ପାଇଁ ତାଙ୍କ ମେଡାଲ୍, ସେଇ ସାହିତ୍ୟିକ ପାଇଁ ତାଙ୍କ ଏକାଡେମୀ ପୁରସ୍କାରପ୍ରାପ୍ତ ସାର୍ଟିଫିକେଟ୍ ହିଁ କେବଳ ତାଙ୍କ ଜିଇଁଥିବାର ଦାବି ଓ କାରଣ । ଏକଦା କୁଜିନେତାଟିଏ ପାଇଁ ଯେମିତି କୌଣସି ମନ୍ତ୍ରୀଙ୍କ ସହ ଉଠାଇଥିବା ଫଟୋ ହିଁ ତାଙ୍କ ଅବଶିଷ୍ଟାଂଶ ଜୀବନର ଦାବି । ଅଥଚ ଘଟନାଗୁଡ଼ିକ ଏଇଥିପାଇଁ ଘଟୁ ନ ଥାଏ ଯେ, ତମେ ତାକୁ ଆଶ୍ରା କରି ଜିଇଁବ ବା କୌଣସି ଦୁର୍ଘଟନା ଏଇଥିପାଇଁ ନାହିଁ ଯେ ତମେ ତାକୁ ମନେପକାଇ କୁରୁଳି ଉଠିବ । ତାପରେ ତ ପୁଣି ଚିରାଚରିତ ଦିନଗୁଡ଼ିକ ବଦଳୁଥାଏ । ସେଇ ପୁରୁଣା, ବିରକ୍ତିକର ମନୋଟନସ୍ ଘଣ୍ଟା ଦିନ ମାସ ବର୍ଷ ଶିଶୁ ଯୁବକ ପ୍ରୌଢ଼ ବୃଦ୍ଧ । ଏକଟା ତିରିଶି, ଦୁଇଟା ପଚାଶ, ସାତଟା ପଞ୍ଚାବନ, ରବିବାର, ସୋମବାର, ଗୁରୁବାର ପୁଣି ରବିବାର, ଜାନୁଆରୀ, ଅଗଷ୍ଟ, ସେପ୍ଟଂବର ପୁଣି ଜାନୁଆରୀ, ଫେବୃଆରୀ ୧୯୮ଠ, ୧୯୮୧, ୧୯୮୨,୧୯୮୩ ଏମିତି ଜୀବନ । କଦବା କ୍ୱଚିତ୍ ଲୋକେ ଆବିଷ୍କାର କରନ୍ତି ଯେ ନିଜେ ଜିଇଁଛନ୍ତି । ଏଇ ଜିଇଁଥିବା ଜୀବନକୁ କ୍ୱଚିତ୍ କିଏ ଅନୁଭବ କରେ, ଦେଖେ, ସ୍ୱାଦବାରେ । ଯେବେ ଜଣେ ଫୁଲଟିଏ ଫୁଟୁଥିବାର ଦେଖେ, ଯେବେ ନିଜ ସ୍ତ୍ରୀ ଦେହରୁ ଘା’ର ରକ୍ତ ପୂଜ ଧୋଇବାର ପରିଶ୍ରମ କରେ । ହତ୍ୟା ଧର୍ଷଣ ଗଣହତ୍ୟା ମହାମାରୀ କଲେରା କର୍ଫ୍ୟୁ ଯୁଦ୍ଧ ବ୍ଳାକ୍ଆଉଟ୍ ହେଲେ ବି ଲୋକେ ଜାଣିପାରନ୍ତି ନାହିଁ ଯେ ଏସବୁ ହେବାକୁ ଯାଉଛି କିମ୍ବା ହେଉଛି ଏବଂ ଗତାନୁଗତିକ ଜୀବନର ଧାରା ତଥାପି ପ୍ରବାହିତ ହେଉଥାଏ । ଯେତେବେଳେ ବାହାର ଜଗତ ସହିତ ନିଜ ଗାଁର ବା ନଗରର ସମ୍ପର୍କ ତୁଟିଯିବ ଯେତେବେଳେ ସହରରେ ଚାଉଳ ମିଳିବ ନାହିଁ, ମଦ ମିଳିବ ନାହିଁ, ଚା’ ମିଳିବ ନାହିଁ ଯେତେବେଳେ ସରକାର ତୁମର ସବୁ କଥାବାର୍ତା, ଚାଲିଚଳଣ ଟିପି ରଖୁଥିବେ ସେତେବେଳେ ଯାଇ ଅନୁଭବ କରିବେ ଆବିଷ୍କାର କରିବେ ଯେ ଏ ଭିତରେ କିଛି ଗୋଟେ ଘଟନା ଘଟିଗଲାଣି ଏବଂ ତାଙ୍କ ଜୀବନକୁ ବିପର୍ଯ୍ୟ୍ୟସ୍ତ କରିଦେଲାଣି । ଯେମିତି ଚିଲିକାର ବାପା ମା’ ବନ୍ଧୁବାନ୍ଧବ, ସମ୍ପର୍କୀୟ, ପଡ଼ୋଶୀ, ପତିବେଶୀ ଏବଂ ତା ସମ୍ପର୍କରେ ଆସିଥିବା ଡାକ୍ତର, ଓକିଲ, ସାଂବାଦିକ, ପୋଲିସ୍ ଏମାନେ