ପୃଷ୍ଠା:Hada bagicha.pdf/୩୯

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏମିତି ଛାଟିପିଟି ହେଲେ ଜଣାଗଲା ପୃଥିବୀରେ ଧର୍ଷଣ ହୁଏ ବୋଲି ଏମାନଙ୍କ ଧାରଣା ହିଁ ନ ଥିଲା । ଏଇ ଘଟନାଟା ପ୍ରତ୍ୟେକଙ୍କୁ କିଛିଦିନ ଜିଆଁଇ ଦେଇଗଲା ଏବଂ କିଛିଦିନ ପରେ ପୁଣି ସେଇ ମନୋଟନ୍ସ ବିରକ୍ତିକର ଆଳସ୍ୟ ଦିନଗୁଡ଼ାକ ଗଡ଼ି ଚାଲିଲା । ସେମାନଙ୍କର ବର୍ତମାନ ମନେ ବି ନ ଥିବାର ଛଳନା କରି ବଞ୍ଚିଯାଉଛିଂତି ନିର୍ବିକାର ଭାବେ । ତାଙ୍କ ପାଇଁ ଘଟନାଟିଏ ଆରମ୍ଭ ହେଲା ଓ ସରିଗଲା ଏବଂ ଏବେ ଏଣୁ ଏଣିକି ସେମାନେ ନିଶ୍ଚିନ୍ତ ଯେପରି । ବନିତା ଆତ୍ମହତ୍ୟା କଲାବେଳକୁ ମଧ୍ୟ ତା ବାପା ମୂର୍ଛା ହୋଇ ପଡ଼ି ଯାଉଥିଲେ ମଝିରେ ମଝିରେ । ସେମାନେ ଜାଣି ନ ଥିଲେ ଯେ ଲୋକେ ଆତ୍ମହତ୍ୟା କରନ୍ତି । ଜାଣିଲେ ଓ କିଛିଦିନ ପରେ ପୁଣି ଭୁଲଯିବାର ଛଳନା କଲେ । ବନିତାର ଆଉ ଗୋଟାଏ ଭଉଣୀ ଯଦି ଥାଆନ୍ତା ତେବେ ତାକୁ ମଧ୍ୟ ଏମାନେ ଆତ୍ମହତ୍ୟାର ରାସ୍ତାରେ ବାଟ କଢ଼ାଇ ନେଉଥାନ୍ତେ । ଅଥଚ ଏମାନେ କେମିତି ବିଂଚିଛନ୍ତି ଦେଖ । ବେଶ୍ ଗଣ୍ୟମାନ୍ୟ ଭଦ୍ରଲୋକ । ଏମାନଙ୍କର ସଂସ୍କୃତି ଓ ଆଦର୍ଶକୁ ଦେଖ । ତାକୁ ଜାବୁଡ଼ି ଧରି, କେତେ ଗର୍ବ । ଶିଶୁ ସୁଲଭ ବାଚାଳତା ଏଯାଏଁ ଯାଇନି । ବୟସ ବଢ଼ି ବଢ଼ି ଯାଉଛି ଏବଂ ଏମାନେ ହାତୀର ଲାଞ୍ଜ ଧରି ସ୍ୱର୍ଗକୁ ଉଡ଼ି ଉଡ଼ି ଯାଉଛନ୍ତି । ଗ୍ରୋନ୍ଅପ୍ ଚିଲ୍ଡ୍ରେନ୍ । ଅବକାଶ ଆଖି ଖୋଲିଲା ବେଳକୁ ଦେଖିଲା ନିଜେ ଆର୍ମଚୌକିରେ ଶୋଇ ପଡ଼ିଥିଲା । ଚାଦର ଘୋଡ଼ାଇ ହୋଇ । ପେଣ୍ଟ ସାର୍ଟ ନ ବଦଳାଇ । ଟେବୁଲ୍ ଲାଇଟ୍ ନ ଲିଭାଇ । କବାଟର ଶିକୁଳି ନ ଦେଇ । ନିଜ ହାତକୁ ସନ୍ତର୍ପଣରେ ବାହାର କରାଇ ସୁଇଚ୍ରେ ହାତ ମାରି ଘରକୁ ଅନ୍ଧାର ଆଣିଦେଲା । ଆଖିବୁଜି ଆହୁରି ଅନ୍ଧାର କରିବ ବୋଲି ଚେଷ୍ଟା କଲା ମାତ୍ର କବାଟ ଝରକା ଫାଙ୍କବାଟେ ଭୋର୍ ସମୟର ଆଲୁଅ ଯେ ଧସେଇ ପଶୁଥିଲା ସେଥିପ୍ରତି ଦୃଷ୍ଟି ପଡ଼ିବା କ୍ଷଣି ଛିଡ଼ାହୋଇ ପଡ଼ିଲା ହଠାତ୍ । କବାଟ ଫାଳେ ମେଲା କରି ପୃଥିବୀକୁ ଦେଖିଲା । ଅଗଣାରେ ଅନୁ ସ୍କିପିଂ କରୁଥିଲା । ନିଜେ ବି ସ୍କିପିଂ କରିବ ଭାବି ଟେପ୍ ଆଣି ତା ଭିତରେ ଫରାସୀ କନ୍ସାର୍ଟଟିଏ ଭର୍ତି କଲା । ଚିଲିକା ଏ ଯାଏ ଶୋଇଛି ବେକରୁ ପାଦ ଯାଏ କମ୍ବଳ ଭିତରେ ନିଜକୁ ଭର୍ତି କରି । ଚିଲିକାର ମୁଦା ଓଠକୁ ଦେଖିଲା ଅବକାଶ । ଆଖିପତାକୁ ଦେଖିଲା । ଖଟ ତଳକୁ ଝୁଲି ପଡ଼ିଥିବା କେରାଏ ବାଳକୁ ଦେଖିଲା । କନ୍ସାର୍ଟର ଶବ୍ଦ ଓ ଶୀତ କେକ୍ଟସ୍ର ଅରଣ୍ୟକୁ ପ୍ଳାବିତ କରୁକରୁ ଚିଲିକାର କମ୍ବଳ ଭିତରକୁ, ଗହୀର ଛାତି ଭିତରକୁ ଓ ମସ୍ତିସ୍କର ଛୋଟ ଛୋଟ ତନ୍ତୁ ଭିତରକୁ ବି ମାଡ଼ିଗଲା । ତନ୍ତୁ ମାନେ ତାକୁ ନକ୍ କଲେ ଚେତାଇ ଦେଲେ । ଆଖିପତାକୁ ଚହଲାଇ ଦେଲେ ଅବୟବର ମୁଦ୍ରା ବଦଳାଇଲେ । ମୁଦା ଓଠକୁ ତରଙ୍ଗ ଆଣି ଦେଲେ । କଣ ନ କଲେ!! ଆଖି ଖୋଲି ଅବକାଶକୁ ଦେଖି ଛୋଟ ହସଟିଏ ଚହଲାଇ ପୁଣି ଆଖିବୁଜି ଦେଲା ଚିଲିକା । ଏଠି ସକାଳ ହୁଏ କେମିତି? ସେମିତି କିଛି ଧରାବନ୍ଧା ନିୟମ ନାହିଁ । ସକାଳ ହେଲାମାନେ କାଉ ନିଶ୍ଚେ ରାବିବ ସେମିତି କିଛି ମାନେ ନାଇଁ । ସକାଳ ହେଲେ କାଉ ରାବେ ନା କାଉ ରାବିଲେ ସକାଳ ହୁଏ, ଏ ବିଷୟରେ ଅବକାଶ ଗୁରୁତ୍ୱ ଦେଇ କେବେ ଚିନ୍ତା କରିନାଇଁ । ସେ କହେ ରାତି ଅଧରେ ବି କାଉ ରାବିବା ସେ ଶୁଣିଛି । ସକାଳ ହେଲା ମାନେ ଫରାସୀ କନ୍ସାର୍ଟର ଧ୍ୱନି ଆସିବ କି ଅନୁ ସ୍କିପିଂ କରିବ କି ପାଣିକଳଠାରେ ଢନ୍ଢାନ୍ ଢୋଢା ଶୁଭିବ ଏସବୁର ମଧ୍ୟ କିଛି ନୀତିନିୟମ ନାହିଁ । ସକାଳ କେମିତି ହୁଏ? ଏ ପ୍ରଶ୍ନର ସମସ୍ତ ସମ୍ଭାବ୍ୟ ଉତ୍ତର ଅତିରଞ୍ଜିତ ନିଶ୍ଚୟ । କାଉ କୋଇଲି କୁକୁଡ଼ା କଣ ସକାଳୁ ସକାଳୁ ଭଜନ କରନ୍ତି? ନା ବିଭିନ୍ନ ଭାଷାରେ ରେଡିଓ ରାବନ୍ତି? ମ୍ୟୁନିସିପାଲଟି ଝାଡୁବାଲା ମାନଙ୍କ ମଧ୍ୟରେ କଣ ଚହଳ ପଡ଼େ ସକାଳ ହେଲା, ସକାଳ ହେଲା? ଦହନାର ମା’ର ରଣ୍ଝଣ୍ ଚୁଡ଼ିର ଶବ୍ଦଠୁ ଆରମ୍ଭ କରି ହସପିଟାଲାରେ ମୃତଦାର ବୁଢ଼ା ଲୋକର ଖଣ୍ଡି କାଶର ସ୍ୱର ସବୁ ସକାଳର ଧ୍ୱନି ତରଂଗେଇ ଦିଅନ୍ତି? କେଜାଣି, ଏଠି ସକାଳ କେମିତି ହୁଏ । ଆଜି ସକାଳ କିନ୍ତୁ ଅନୁର ସ୍କିପିଂ, ଚିଲିକାର ହସ ଆଉ ଫ୍ରାନ୍ସ ରାଜଧାନୀ ପେରିସ୍ରୁ ଆସୁଥିବା କନ୍ସାର୍ଟରୁ ଆରମ୍ଭ ହେଉଛି । ଅବକାଶ ଅଗଣାକୁ ଆସି ଅନୁ ସାଙ୍ଗରେ ସ୍କିପିଂ କଲା । ଦୁଇ ମିନିଟ୍ ଯାଏ । ପୁଣି ଏକା ଏକା । ପୃଥିବୀର ଗଛପତ୍ର, ଗଛ ଫାଙ୍କରେ ଘରଦ୍ୱାର, ଘରଦ୍ୱାର ଉପରେ ଆଂଟିନା, ଆଂଟିନା ଉପରେ ପକ୍ଷୀ, ପକ୍ଷୀ ଉପରେ ବଉଦ ଆଉ ଆକାଶ ସମସ୍ତେ ଏବେ ଅବକାଶ ସହିତ ସ୍କିପିଂ କରିବାରେ ବ୍ୟସ୍ତ । ଶୀତ କାହିଁ? ଶୀତ କାହାକୁ ହୁଏ? ଶୀତ କଣ? କେଜାଣି । ଶୀତଋତୁକୁ ପଚାର । ଫୁଲର ପାଖୁଡ଼ାକୁ ପଚାର । କାକରକୁ ପଚାର । କୁକୁଡ଼ାର ପରକୁ ପଚାର । ଘରକାନ୍ଥରେ ଲଟେଇ ଥିବା ଲହକୁ ପଚାର । ଚିଲିକା ଦ୍ୱାର ପାଖରେ ଛିଡ଼ା ହୋଇ ଦେଖୁଥିଲା ଅବକାଶକୁ । ମା ପଚାରିଲେ, ‘ରାତିରେ ନିଦ ହେଲା?’ ଚିଲିକା କହିଲା ‘ହଁ’ ‘ଚା ପିଇବୁ?’ ‘ହଁ’ । ଚା କରିବା ପାଇଁ ମା ଚାଲିଗଲେ ଭିତରକୁ । ଅନୁକୁ ଷ୍ଟୋଭ ଜାଳିବା ପାଇଁ କହିଲେ । ମଶାରି ଟେକିଲା କି ନାଇଁ ପଚାରିଲେ । ଦହନାର ମା ଘର ସଫା କଲା କି ନାଇଁ । ଟାଙ୍କିରେ ପାଣି ଭର୍ତି କଲା କି ନାଇଁ । ଚୁଲି ମୁଣ୍ଡଟା ଘସି ଦେଲା କି ନାଇଁ ପଚାରିଲେ । ପରେ ପରେ ଗୋରସବାଲା ଖବର କାଗଜବାଲା ଶାଗବାଲା ସମସ୍ତେ ଆସିବେ ଯିବେ । ପରିବାର ଭିତରେ ସକାଳଟା ଏମିତି ତରତରରେ ଆସେ ।