Jump to content

ପୃଷ୍ଠା:Hada bagicha.pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏରୁଣ୍ଡିଠୁ ଅଗଣା ଏକ ମୁଳକରେ ଜଣେ ଯୁବକ ବାସ କରୁଥାଇ । ତା ହୃତପିଣ୍ଡ, ହାଡ଼, ମାଂସ, ରକ୍ତ ଚର୍ମ ଓ ଦୁଃଖ ସହିତ ଛାତିର ଚଉଡ଼ା ଛତିଶ, ନା ଛତିଶ ଅଧା? ତା ଗୋଡ଼ ହାତ ଛାତି ବେକ ମୁଣ୍ଡ ଓ ଚେତନା ସହିତ ଓଜନ ମାପୁଥାଇ ଥରକୁ ଥର; କେତେ କି? ଭୁଲ ଦେଖୁଥାଇ କି? ଷାଠିଏ ନା ଷାଠିଏ ଅଧା? ଛତିଶ ଘଡ଼ି ଏମିତି ଭାବୁଥାଇ । ସେ କି କି ପାଠ ପଢ଼ିଥାଇ କି? ନା ଉକ୍ରଳ ବିଶ୍ୱବିଦ୍ୟାଳୟରେ ରସାୟନ, ଖଡ଼ଗପୁରରେ ଇଂରାଜୀରେ ଛଅମାସ ଶେଷ କରି ଡଂଗ ଡଂଗ ବୁଲୁଥାଇ । ଇହାଛିନି ସେ କି କି କାମ କରୁଥାଇ କି? ନା ପାବ୍ଲୋନେରୁଦା ପଢୁଥାଇ, ନେଲ୍ସନ୍ ମାଂଡେଲା ପାଖକୁ ଚିଠି ଲେଖୁଥାଇ, ସିନେମା ଦେଖୁଥାଇ, ଆଇନା ଦେଖୁଥାଇ, କୁର୍ତା ଇନ୍ସାଇଡ୍ କରି ପେଣ୍ଟ ହୁକ୍ଜିପ୍ ସଜାଉଥାଇ । ଇଥିଓପିଆକୁ କେମିତି ଯାଇପାରିବ ତା ପାଇଁ ସ୍ୱପ୍ନ ଦେଖୁଥାଇ । ଦ୍ୱଂଦାତ୍ମକ ବସ୍ତୁବାଦ ପଢୁଥାଇ । ଓଡ଼ିଶାର ନୃତ୍ୟକଳା, କଳାହାଣ୍ଡିର ଆଦିବାସୀ, କ୍ୟୁବାର ଜୁଲୁ, ରଙ୍ଗନାଥ ଘଡ଼େଇର ଆତ୍ମକାହାଣୀ ପଢୁଥାଇ । ଆବ୍ରାକାଡାବ୍ରା ପଢୁଥାଇ । ଆଉ ଆଉ କି କି କାମ କରୁଥାଇ କି? ନା ସ୍ୱପ୍ନ ଦେଖୁଥାଇ, ତା ନାଭି ସଫା କରୁଥାଇ, ଅବୋଲକରା କାହାଣୀକୁ ସିନେମା କରିବ ବୋଲି ଭାବୁଥାଇ । ଚାକିରି କଲାପରେ ପହିଲେ କେମେରା ଖଣ୍ଡେ କିଣିବ ବୋଲି ଭାବୁଥାଇ । ପଇସା ଯୋଗାଡ଼ କରୁଥାଇ କିନ୍ତୁ ହେଉ ନ ଥାଇ । ଟି.ଭି.ରେ କବିତା ଗାଇବ ବୋଲି ଯୋଜନା କରୁଥାଇ । ମଝିରେ ମଝିରେ ଗଞ୍ଜାଇ ଟାଣୁଥାଇ । ଚରସ୍ ଟାଣୁଥାଇ । ସାଙ୍ଗମାନଙ୍କୁ ଫୁସୁଲାଇ ରମ୍ ପିଉଥାଇ । ତା ସାଙ୍ଗମାନେ କିମିତି କିମିତି ପ୍ରକାରର କି? ନା ତାଙ୍କ ଇଚ୍ଛା ନଥାଇ ବି କେତେବେଳେ ଆମ ପକେଟରୁ ରମ୍ ବାବଦରେ ଟଙ୍କା ଖର୍ଚ ହେବ ସେପାଇଁ ଗୋଡ଼ କାଢ଼ି ବସିଥାନ୍ତି । କବିତା ନ ଶୁଣିବା ପାଇଁ ମନ ବଳାଇଲେ ବି ସାରାରାତି କବିତା ଶୁଣନ୍ତି । ମନ ନଥାଇ ବି ଚରସ୍ ଟାଣନ୍ତି । ତାକୁ ଦେଖିଲେ ଖସି ଯିବାପାଇଁ ସତତ ଚେଷ୍ଟିତ ଥାଆନ୍ତି, ମାତରକ ନିଜକୁ ଧରାଇ ଦିଅନ୍ତି ବି ବେଳେବେଳେ । ସି.ଏଲ୍.ଖର୍ଚ କରିବା ପାଇଁ ବାଧ୍ୟ ହୁଅନ୍ତି, ଦିନ ନାଇଁ କି ରାତି ନାଇଁ ବାରମ୍ବାର ସମୁଦ୍ରରେ ଗାଧୋଉଥିବା ଝିଅଙ୍କୁ ଚୁପଚାପ ଛିଡ଼ା ହୋଇ ଅନାନ୍ତି । ସକାଳ ହେବାଯାଏ ଗଞ୍ଜାଇ ନିଶାରେ ବିଭୋର । ସମୁଦ୍ର ବାଲିରେ ଶୋଇ ପଡ଼ିବା ପାଇଁ ବାଧ୍ୟ ହୁଅନ୍ତି । ସକାଳୁ ସକାଳୁ ଥଣ୍ଡା କ୍ଷୀର ଖୋଜନ୍ତି । ଖୁବ୍ ଖୁସିରେ କିଛି ନ ଭାବି ବିଦାୟ ନିଅନ୍ତି ଓ ପ୍ରାୟ ମାସେକାଳ ଲୁଚି ବୁଲଂତି । ତା ସାଙ୍ଗମାନେ ଏମିତି ଏମିତି ପ୍ରକାରର... ପାଠ, ସ୍ୱପ୍ନ, ନଛୋଡ଼ାବନ୍ଧା ଜୀବନ ବ୍ୟତିରେକ ଆଉ କି କି କାର୍ଯ୍ୟ କରୁଥାଇ କି? ନା, ଘରେ ଅନ୍ୟମାନଙ୍କୁ ବିରକତ କରୁଥାଇ । ଅନ୍ୟମାନେ ବୋଇଲେ କିଏ କିଏ କି? ନା ବାରିଷ୍ଟର ବାପା, ଅଧ୍ୟାପିକା ମା, ଏକ ରିସେପ୍ସନିଷ୍ଟ ବଡ଼ଭଉଣୀ ଓ ଇନ୍ଟେରିୟର୍ ଡେକରେଟର୍ ସାନଭଉଣୀ । ବାପା ବୋଲଂତି ପିଲାଟା ନଷ୍ଟ ହୋଇ ଯାଉଥାଇ । ବଡ଼ଭଉଣୀ ତାକୁ ସକାଳ ଆଠଟାରେ ନିଦ ଭଙ୍ଗାଇ ଜବରଦସ୍ତି ଗାଧୁଆଘରକୁ ଠେଲି ଦେଉଥାଉ । ସାନଭଉଣୀ ଦଶଟାବେଳେ ଜବରଦସ୍ତି ଖୁଆଇ ଦେଉଥାଇ । ନ ହେଲେ ପିଲାଟା ନ ଉଠିବ କି ନ ଗାଧୋଇବ କି ନ ଖାଇବ, ଡଂଗଡଂଗ ବୁଲିବ, ଚା ଖାଇବ, ଗଞ୍ଜାଇ ଟାଣିବ, କବିତା ଗାଇବ, ଭାତ ଖାଇଲା ବେଳକୁ ‘ଲଂଗ ଲିଭ୍ ପାଇଁ ଫାଦର୍’ ବୋଲିବ । ମା ଠାରୁ ପକେଟ୍ ଖର୍ଚ ଆଣିଲା ବେଳକୁ ‘ଲଂଗ ଲିଭ୍ ପାଇଁ ମଦର୍’ ବୋଲିବ । ବେଳେବେଳେ ଦିଲ୍ଲୀ ପଟୁ ବୁଲି ଆସିବାକୁ ମନ ଅଥୟ ହେଉଥାଇ । ମୋ ହିପ୍ପୀ ଝିଅ ସାଙ୍ଗଟା ଏବେ କଣ କରୁଥିବ କେଜାଣି! ଖଡ଼ଗପୁରର ସେଇ ମୁସ୍ଲିମ୍ ଝିଅଟା ଏବେ କଣ କରୁଥିବ କେଜାଣି! ଏମନ୍ତ ଏମନ୍ତ ଭାବେ ମୁହୂର୍ତ ଗୁଡ଼ାକ ଗଡ଼ି ଗଡ଼ି ଚାଲୁଥାଇ । ଏ ଯୁବକଟିର ନାମ କଣ କି? ତା’ ନାଆଁ ହେଉଛି ଶ୍ରୀମାନ୍ ଶିଶୁ ପଣ୍ଡା । ଶ୍ରଦ୍ଧାରେ ଆମେ ତାକୁ ଶିଶୁ ବୋଲିବା । ଏଥୁ ଅେଂତ ଦିନକରେ ଶ୍ରୀମାନ୍ ଶିଶୁଙ୍କ ପାଇଁ ଖବର ଆସଇ ଏକ ବେସରକାରୀ କଲେଜରେ ଅଧ୍ୟକ୍ଷ ହେବା ନିମଂତେ, ଶ୍ରୀମାନ୍ ଶିଶୁ ପ୍ରଥମେ ମନା କରନ୍ତି । ପରେ ‘ହଁ ଦେଖିବା’