Jump to content

ପୃଷ୍ଠା:Hada bagicha.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବୋଲି କହନ୍ତି ଏବଂ ଦରମା କେତେ ବୋଲି ପଚାରନ୍ତେ ଆଠଶହ ମୁଦ୍ରା ବୋଲିବାରୁ ରାଜି ହୁଅନ୍ତି । ସେମାନେ ଘରଖଣ୍ଡେ ବି ଦିଅନ୍ତି ଓ ଠିକ୍ ଏକ ତାରିଖରେ ଦରମା ଦେବାକୁ ବାଧ୍ୟ ହୁଅନ୍ତି । ବାପା ମା ଟିକେ ଉଶ୍ୱାସ ହୁଅନ୍ତି । ଲୁଂଗୁରୁପୁଂଗୁରୁ ହେବାକୁୁ ରକ୍ଷା ପାଇଲା ଭାବି ଖୁସି ହୁଅନ୍ତି । ବୁଝିଲେ ଦାସବାବୁ, ବୁଝିଲେ ପଟ୍ଟନାୟକ ବାବୁ, ବୁଝିଲେ ଚାଟର୍ଜୀବାବୁ, ବୁଝିଲ ନା କୁନା ମା, ରୁନା ମା, ସୁନା ମା, ଟୁନା ମା, ଏ ଡଲି, ଏ ମିଲି, ଝିଲ୍ଲି ଡିଅର, ଗୋପା ଡିଅର, ସଂପା ଡିଅର, ଦୀପା ଡିଅର ଏଇ ଆମ ଶିଶୁ ମ, ସେଇ ଏ.ବି.ସି. କଲେଜରେ ପ୍ରିନ୍ସିପାଲ ହେଲା ପରା । ଶ୍ରୀମାନ୍ ଶିଶୁଙ୍କ ମନ କିନ୍ତୁ ଭଲ ନ ରହୁଥାଇ, ବଡ଼ ଭଉଣୀ ପାଖରୁ ପଇସା ନେଇ, ସାନ ଭଉଣୀ ପାଖରୁ ପଇସା ନେଇ, ବାପାଙ୍କ ପାଖରୁ ମାଙ୍କ ପାଖରୁ ପଇସା ନେଇ ଏଇ ବେଳାବେଳି ଗୁଡ଼ାଏ ବହି କିଣି ଦିଅଇ । ଗଞ୍ଜାଇ କିଣି ଦିଅଇ । ହୁଇସ୍କି ବୋତଲଟିଏ କିଣି ଦିଅଇ । କଲେଜରେ ଯୋଗ ଦେଇ ପୁଣି ଫେରୁଥାଇ, ପୁଣି ଯାଉଥାଇ, ଏମିତି ପଚାଶ କିଲୋମିଟର ବାଟ ମାସଟିଏ । ପ୍ରଥମ ମାସରେ ତିନି ଚାରୋଟି କ୍ଲାସ୍ ନେଇ ନିଜ ଷ୍ଟାଫଂକୁ ଗୁଡ଼ାଏ ନିଛକ କବିତା ଶୁଣାଇ ଏକ ତାରିଖରେ ଦରମା ପାଇ ଦୁଇ ତାରିଖରେ ଦିଲ୍ଲୀ ରମାନା ହୁଅଇ । ଡାହାଣ କାନ୍ଧରେ ଗୋଟେ ଚଉତା ମସିଣା । ମସିଣା ଥିଲେ କି କାମରେ ଆସଇ କି? ନା ଯେ କୌଣସି ଥାନକୁ ବିଛଣା କରି ହୁଅଇ । ଯେକୌଣସି ଥାନ ମାନେ ପ୍ଲାଟ୍ଫର୍ମକୁ, ହଷ୍ଟେଲର ଛାତକୁ, ୟୋଥ ହଷ୍ଟେଲର ଅଗଣାକୁ । ଦିଲ୍ଲୀରୁ ଗୁଡ଼ାଏ ବହି କିଣି ସାତଦିନ ପରେ ପୁଣି ଫେରି ଆସଇ । ପୁଣି କଲେଜ ଗାଁକୁ ବସ୍ ଟିକଟ କାଟୁଥାଇ । ଇତି ମଧ୍ୟରେ ଶ୍ରୀମାନ୍ ଶିଶୁର ଘର ଆଗରେ ଥିବା ଖାଲି କ୍ୱାଟରକୁ ବଦଳି ହୋଇ ଆସିଥାଆନ୍ତି ଏକ ପରିବାର । ଶ୍ରୀମାନ୍ ଶିଶୁ ଦେଖୁଥାଇ ଯେ ଘଡ଼ିକୁ ଘଡ଼ି ଏକ ପରେ ଏକ ଫ୍ରକପିନ୍ଧା ଝିଅ ଘରୁ ବାରଣ୍ଡାକୁ ଓ ବାରଣ୍ଡାରୁ ଘରକୁ ହେଉଥାଆନ୍ତି, ସେ ଘରେ କେତେ ଝିଅ ଥାଆନ୍ତି କି? ସାତଦିନ ପରେ ଜାଣେ ଯେ ପାଞ୍ଚ ଜଣ । ଶାଢ଼ି ପିନ୍ଧା ଝିଅଟି ମା ଓ ଫ୍ରକ୍ ପିନ୍ଧା ଚାରିଜଣ ଝିଅ ଏବଂ ବାପା । ଏକ ଦିନକରେ ଶ୍ରୀମାନ୍ ଶିଶୁ ନିଜ ଚାବି କେଉଁଠି ହଜାଇ ଦେଇଥାଇ । ତେଣୁ କରି ଛୋଟ ଝିଅ କୁମାରୀ ପ୍ରଥମ ଶ୍ରେଣୀକୁ ଡାକଇ ଓ କହଇ ଯେ ସେ ଯାଇ ତାଙ୍କ ଘରୁ ଚାବିପେଂଥାଟି ଆଣୁ, କାଳେ କେଉଁଟା ଲାଗିଯାଇ ପାରେ । କୁମାରୀ ଷଷ୍ଠ ଶ୍ରେଣୀ ଓ କୁମାରୀ ଅଷ୍ଟମ ଶ୍ରେଣୀ ଚାବି ଆଣି ଆସନ୍ତି ଓ ଏମନ୍ତ ଏମନ୍ତ ଦିନ ପରେ ଦିନ ଯାଉ ଯାଉ ଶ୍ରୀମାନ୍ ଶିଶୁର ଉକ୍ତ ଝିଅ ମାନଙ୍କ ସହ, ମା ସହ, ବାପା ସହ ଘନିଷ୍ଠ ପରିଚୟ ହୁଅଇ । ବେଳ ଅବେଳରେ ତାଙ୍କ ଘରେ ଚା ଓ ଅନ୍ୟାନ୍ୟ ନାନାଜାତି ଦ୍ରବ୍ୟ ଖାଉଥାଇ । କୁମାରୀ ଦଶମ ଶ୍ରେଣୀଠୁ ପାଣି ମାଗି ପିଉଥାଇ । ପଡ଼ୋଶୀ ସ୍ତ୍ରୀ ଜାଣି ଯାଇଯାଇ ଯେ ଶିଶୁକୁ ପୋଟଳ ଭଲ ନ ଲାଗଇ । ଲେମ୍ବୁ ଆଚାର ଭଲ ନ ଲାଗଇ । ଆଳୁଦମ୍ ଓ ପୋଚ ଖୁବ୍ ଭଲ ଲାଗଇ । କୁମାରୀ ବିଭିନ୍ନ ଶ୍ରେଣୀ ଜାଣି ଯାଇଥାନ୍ତି ଯେ ଶିଶୁ ଭାଇକୁ ସଂସ୍କୃତ ଭଲ ନ ଲାଗଇ, ଯୋଗ ଭଲ ନ ଲାଗଇ, ପ୍ରାର୍ଥନା ଭଲ ନ ଲାଗଇ, ଦାଢ଼ି ଭଲ ନ ଲାଗଇ ଏବଂ ଆଉ କଣ କଣ ଭଲ ଲାଗଇ । ଏଣୁ ଏଣିକି ଏମନ୍ତ ରୂପେ ଶିଶୁ ଆଉ ଘରକୁ ଟିକଟ କାଟୁ ନଥାଇ, ସାଙ୍ଗ ମାନଙ୍କ ପାଖକୁ କମ୍ ଯାଉଥାଇ । କଲେଜକୁ ନିତିଦିନ ଯାଉଥାଇ । ବେଳକୁ ବେଳକୁ ସେ ନେରୁଦାଂକୁ ଭୁଲୁଥାଇ, ଗୋଦାଦଙ୍କୁ ପାଶୋରୁଥାଇ, ଆଦିବାସୀଂକୁ ପାଶୋରୁ ଥାଇ । କେବଳ ଭାଷଣ ବେଳକୁ ହେତଉଥାଇ । କଲେଜର ଛାତ୍ରମାନେ ଆଶ୍ଚର୍ଯ୍ୟ ହୋଇ ଦେଖୁଥାଆନ୍ତି । ଛାତ୍ରମାନେ ଭରସି ପାରୁ ନ ଥାଆନ୍ତି । ‘ଶୁଣଲୋ ଭଉଣୀ, ଶୁଣ ଲୋ ସାଙ୍ଗ, ଶୁଣ ଲୋ ବୋଉ । ଆମ ସାର୍ ଆଜି କି କି ପାଠ ପଢ଼ାଇଲେ ଦୁଇଘଣ୍ଟା ଆମେ କିଛି ନ ବୁଝି ପାରିଲୁ, ହି ହି ହି ହି ହି... ଆମ ସାର୍ ଆଜି ଯୋଉ ସାର୍ଟ ଲଗାଇଥିଲେ ନା, ହି ହି ହି ହି ହି... ଆମ ସାର୍ ପରା ବାଂଗାଲୋରରେ ବିଫ୍ ଖାଇଛନ୍ତି ହି ହି ହି ହି ହି...’ ପୁଅଟିଏ ନା ଝିଅଟିଏକୁ କଲେଜ ବାରଣ୍ଡାରେ ଯଦି ଚୁପ୍ ଚୁପ୍ କହୁଥିବ ‘କାଲି ନା ତମ ଭାଇକୁ ଦେଖିଲି, ଯାଉଥିଲେ, ସାଇକେଲରେ’ । ‘ଏ ଚୁପ୍, ପ୍ରିନ୍ସିପାଲ୍ ଆସୁଛନ୍ତି’ ଏବଂ ଏମିତି କଥା ଯଦି ଶ୍ରୀମାନ୍ ଶିଶୁ ଶୁଣିପାରନ୍ତି ତେବେ ତାଙ୍କ ହାତଗୋଡ଼ ତାଳୁରୁ ତଳିପା ଜଳିଯାଉଥାଇ । ସେଦିନ ଅଧିକ କ୍ଲାସ ନେଉଥାଇ । ପିଲାଏ ହାଇ ନେବାର ଦେଖିଲେ କ୍ଲାସ ଛାଡ଼ି ପଳାଇ ଆସଇ । କମନରୁମରେ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାଂକୁ କହଇ ଯେ ସେମାନେ ପିଲାଙ୍କ ସାଧାରଣ ଜ୍ଞାନ