ପୃଷ୍ଠା:Hada bagicha.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହାଇ ଆର୍ ଥ୍ରୀ ବାଇ ୱାନ୍ ନଂବର ଘର ଅଗଣାରେ ପିଜୁଳି ଗଛ । ପକ୍ଷୀ ସବୁ ଅଇଁଠା ପିଜୁଳି ଛାଡ଼ି ଯାଉଥାଂତି ଅନେକ ଶୀତର ଅଗଣାରେ, ଜୀବନ ଦାସ ଜାଣି ପାରେନା ତା ଭିତରେ ସ୍ୱପ୍ନଟିଏ ଅଛି ଶୀତଟିଏ ଅଛି, ଆକାଶିଆ ଗୀତଟିଏ ଅଛି, ଏବଂ ଜୀବନ ଦାସ ବିଛଣା ଛାଡ଼େ, ହାଇମାରେ, ଚଟାପଟ୍ ଟ୍ରାଂଜିସ୍ଟର୍ ଅନ୍ କରି ପାଇଖାନା ଯାଏ, ବ୍ରସ୍ କରେ, ଖିଅର ହୁଏନା, ଗାଧୁଏ, ଅଲଗୁଣିରେ ଓଦାଲୁଂଗି ଟାଣେ ସାତଟା ପଂଦରର ଖବର ଶୁଣେ, ପ୍ରଧାନମଂତ୍ରୀ- ମହଂଗାଭତ୍ତା- ଇରାକ୍- ଆତତାୟୀ- ପେଟ୍ରୋଲଦର- କ୍ରିକେଟ- ପାଣିପାଗ- ୱର୍ଧିପିଂଧି ଦାଢ଼ିକୁ ସଜାଇ, ପେଡ଼େଇ ଘୁରାଇ ବାହାରିଯାଏ, ଘରେ ତାଲା ପଡ଼େ ପରିବାବାଲା ଆସେ, ଡାକେ, ଚାଲିଯାଉଥାଏ, ଫେରିବାଲା ଆସେ, ଡାକେ, ଚାଲିଯାଉଥାଏ, ଶାଗବାଲୀ ଆସେ, ଡାକେ, ଚାଲିଯାଉଥାଏ, ଭୁଜାବାଲୀ ଆସେ, ଡାକେ, ଚାଲିଯାଉଥାଏ, ଆର୍ ଥ୍ରୀ ବାଇ ୱାନ୍ ନଂବର ଘରେ ତାଲା ଝୁଲୁଥାଏ ଜୀବନ ଦାସ କେଉଁଠି ଚା ଖାଏ, କେଉଁଠି ଭାତ ଖାଏ, କେଉଁଠି ସଲାମ ଠୁକେ, କେଉଁଠି ଅଭଦ୍ର ଭାଷା କହେ, ଓ ରାତି ଦଶଟାରେ ଘରକୁ ଫେରେ, ରାତ୍ରିର ପଂଚମ ପ୍ରହରେ ଏକ ପାଇଁ ଉଠେ, ସବୁ ଉଆଁସର ଅଂଧାରକୁ ଦେଖେ, ସବୁ ପୁନେଇଁର ଆଲୁଅକୁ ଦେଖେ, ତାରା ଦେଖେ, ଜହ୍ନ ଦେଖେ, ବଉଦ ଦେଖେ, ପୁଣି କବାଟ କିଳି ଶୋଇଯାଏ, ସାମ୍ନା କ୍ୱାଟରରେ ରହୁଥିବା କୁମାରୀ ପୀନପୟୋଧର କୋମଳକଳେବର ଦଶମ ଶ୍ରେଣୀକୁ ସ୍ୱପ୍ନରେ ଦେଖେ, ପୁଣି ସକାଳୁ ଉଠେ, ଦିଥର ହାଇମାରେ, ଗୋଟିଏ ଦୁଇଟି ପକ୍ଷୀ ଅଇଁଠା ପିଜୁଳି ତଳୁ ଗୋଟାଇ ପିଂଗି ଦିଏ, ନ୍ୟୁଜ ଶୁଣେ, ତାଲା ପକାଏ, କେବେକେବେ ସାଇକେଲରେ ତାଲାଦିଏ, ଘରେ ତାଲାଦିଏ ଓ ଡାହାଣ କାଂଧରେ ଏୟାରବ୍ୟାଗ୍ ଝୁଲାଇ ବାମହାତରେ ଟୋପି ଧରି ଟୁରରେ ଯାଏ, ଆର ଥ୍ରୀ ବାଇ ୱାନ୍ ଘରେ ତାଲା ଝୁଲୁଥାଏ ଚାରିଦିନ ପାଂଚଦିନ, ଛଅଦିନ, ସାତଦିନ, ଦହନାର ମାକୁ ପାଣି ଦେବାରେ ଚାରିପାଂଚ ଦିନ ଫୁର୍ସତ ମିଳେ । ଏମିତି ଦିନେ ଜୀବନ ଦାସ ତକିଆ ତଳୁ କୁମାରୀ ଦଶମଶ୍ରେଣୀର ଚିଠିପତ୍ର ଆଠ ଦଶ ଖଂଡ଼ ଓ ପ୍ରେମର କବିତାର ଥାକଟିଏ ବାହାର କରି ମାଚିସ୍ ମାରେ ଓ ଉଭାନ୍ ହୁଏ, ଘରେ ତାଲା ଝୁଲୁଥାଏ, ଫିଲିଫାଇନ୍ ରେ ଶାସକଦଳ ବଦଳି ସାରିଥାଂତି, ରୁଷିଆର ମହାସଚିବଂକ ଦେହାଂତ ହୋଇ ସାରିଥାଏ, ଲେବାନନ୍ ରେ ଯୁଦ୍ଧ ବିରତି ଘୋଷଣା ହୋଇଥାଏ, କ୍ରିକେଟ ଦଳ ଫେରିଥାଂତି ଇଂଲଂଡରୁ, ପାୟୋନିୟର୍ ପ୍ଲୁଟୋ ଗ୍ରହ ଅତିକ୍ରମ କରି ସାରିଥାଏ, ଆମେରିକାର ବୈଦେଶିକ ମଂତ୍ରୀଂକ ଗସ୍ତ ଶେଷ ହୋଇଥାଏ ଏବଂ ଜୀବନ ଦାସ ତିରିଶ ଦିନ ପରେ ଫେରେ ଜିପ୍ ରେ , ସାଂଗରେ ଓହ୍ଲାଏ ଢଳଢଳ ଏକ ଶ୍ୱେତପଦ୍ମା, ଗୋଟିଏ ଉନ୍ମାଦ ଚାହାଣି, ଟ୍ରଲିରୁ ସୋଫାସେଟ୍, ପଲଂକ ହଂବର ସାଇକେଲ ଓ ସେ ସବୁ, ଚାଳକ ସତୁରି ଟଂକାନିଏ ଓ ଚୁପଚାପ ଫେରିଯାଏ, ତାପରେ ବାହାରେ ପରଦାର ଚକ୍ ଚକ୍ ଝୁଲେ, ନାରୀଟିଏ ହାତଯୋଡ଼ି ନମସ୍କାର କରୁଥାଏ ।