ପୃଷ୍ଠା:Hada bagicha.pdf/୫୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଘୋରି ଲଗାଅ । ମାଙ୍କ ମୁଣ୍ଡରୁ ଉକୁଣୀ ଗୋଟାଅ । ତାଙ୍କ ମୁଣ୍ଡ ଛଡ଼ାଇବା ପାଇଁ ମେଥି ବାଟ । କପାଳରେ ଅମୃତାଂଜନ ଘଷ । ହରିଡ଼ା, ବାହାଡ଼ା, ଆଂବୁଲ, ଆଂବସଡ଼ା ଉପରେ ଖରା ଜାଳ । ମାଠିଆବାଲା ସାଥିରେ ଦର କଷାକଷି ହୁଅ । ତାକୁ ପୁଣି ଫେରାଇ ପରବର୍ତୀ ରବିବାରକୁ ଅପେକ୍ଷା କର । ସାଙ୍ଗମାନେ ଆସିଲେ ଟିକେ ହସିଦିଅ । ‘ସୁଚରିତା’ ଫେରାଅ, ‘ନାୟିକାର ନାମ ଶ୍ରାବଣୀ’ ଫେରାଅ, ରମାକାନ୍ତ ରଥଂକୁ ଡି.ଏଚ୍ ଲରେନ୍ସଂକୁ ଫେରାଅ । ଆଂବସଡ଼ା ଆଂବଆଚାର ଖାଇବାକୁ ଦିଅ । ଆଲ୍ବମ୍କୁ ପଚିଶଥର ଦେଖାଅ । ଏବେ କୁମାରୀ କସ୍ତୁରୀ ଦାସ ସୂତାଶାଢ଼ି ପିନ୍ଧି ବି.ଇଡି. ଟ୍ରେନିଂ କଲେଜରେ ପହଁରି ଯାଆନ୍ତି । ତାଙ୍କ ହସ ଓ ବ୍ୟକତିତ୍ୱ ଦେଖାଇ ପିଲାମାନଙ୍କୁ ଓ ପଣ୍ଡାସାର, ବିଶ୍ୱାଳ ସାର ଓ ମୁଖାର୍ଜୀ ମାଡାମଙ୍କୁ ଚମକାଇ ଦିଅନ୍ତି । ଆଠକାଳ ବାରମାସରେ ଚବିଶପ୍ରହର ଛତିଶରକମର କାମ ଥିଲେ ବି କଲେଜ ଯାଆନ୍ତି, ଆସନ୍ତି, ହସନ୍ତି । ତାଙ୍କୁ ଆଠଦଶମାସ ଯାଏ ଦେଖି ଦେଖି ଜଣେ ସହପାଠି ବାହା ହେବାପାଇଁ ଯାଚୁଥିଲା । ଜମିଦାର ବଂଶ, ଚାରିଇଞ୍ଚ ଛୋଟ ପେଣ୍ଟ ପିନ୍ଧେ, ଅଣ୍ଟାଯାଏ ସ୍ୱେଟର୍ ଲଗାଏ, ମୁଣ୍ଡରେ ତେଲ ଲଗାଏ, ମଶାରି ଟାଣି ହୁଏ, କ୍ଲାସରେ ହାତଟେକେ, ପିଲାଙ୍କୁ ହସାଏ, ସରସ୍ୱତୀ ପୂଜାଦିନ ନୂଆ ଧୋତି ପଂଜାବୀ ଲଗାଇ, କପାଳରେ ସିନ୍ଦୂର, କାନରେ ଫୁଲପାଖୁଡ଼ା ଲଗାଇ ପ୍ରଚୁର ଖୁସ୍ ଥାଏ, ସତରଧାତୁରେ ଗଢ଼ା ତା ଡାହାଣ ହାତର ଡେଉଁରିଆର ଅଲୌକିକ କରାମତି ସବୁ ଆଗ୍ରହରେ ବଖାଣେ । କୁମାରୀ ଦାସ ମନେ ମନେ ତାକୁ ପାଗଳ କହି ଚୁପ ରୁହନ୍ତି । ଘରେ କଂକିକୁ ଏକ୍ସ୍ ଲଗାଇ ଗଣିତ ସମାଧାନ ଶିଖାନ୍ତି । ଭୋକାବୁଲାରି ପଚାରନ୍ତି- ରୁଟ୍ସ୍ମାନେ କ’ଣ? ମୂଳ ନା ମୂଳା ନା ମୂଳଦୁଆ, କ’ଣ? ଚେର କି ଚାରା, କି ଚରା, କ’ଣ? ଉଇଂଗ୍ସ୍ ମାନେ ଡେଣା- ପକ୍ଷୀର ନା ପକ୍ଷୀରାଜ ଘୋଡ଼ାର, ନା ପରଝାଡ଼ି ଆକାଶକୁ ପଖାଳି ଯିବାର ନିଶା, କ’ଣ? ୟୋ ୟୋ ମାନେ? ଦଉଡ଼ି ଉପରେ ସର୍କସ୍ କରୁଥିବା ଖେଳନା ନା ଶିକା ଉପରେ ଝୁଲିଥିବା ତୁମ ଅବୟବ, ନା ଅଲଗୁଣି ଉପରେ ଏକ୍ରୋବେଟିକ୍ସ ଖେଳ ଦେଖାଉଥିବା ତୁମ ଇହକାଳ? କ’ଣ? କଂକି ତୋ ଶବଦଗ୍ୟାନ ନିହାତି କମ୍ ଚାଲ ଖାଇବା ଚାଲ୍ । ଏଡେଲଫିନ୍ ଖାଉ ଖାଉ ବାପାଙ୍କ ମୃତ୍ୟୁ । କୁମାରୀ ଦାସ କଲେଜକୁ ବୃତ୍ତି ଆଣିବା ପାଇଁ ଯାଇଥାଆନ୍ତି । କଂକି ଦଶମ ଶ୍ରେଣୀରେ ଆଗଧାଡ଼ିର ଛାତ୍ର । କାକା, ମାମୁଁ, କାକୀ, ମାଇଁ କହିଲେ, ପାଖ ପଡ଼ୋଶୀ କହିଲେ, କଂକି ପିଲା ଲୋକ ମୁଖାଗ୍ନି କେମିତି ଦେବ? କୁମାରୀ କସ୍ତୁରୀ ଦାସ ସଭିଂକୁ ‘ସଟ୍ଅପ୍’ କହ ଶ୍ମଶାନକୁ ଗଲେ । କଂକି ସାଥିରେ ଦୁହେଁ ମିଶି ମୁଖାଗ୍ନି ଦେଲେ । ପୁରୋହିତ ମନ୍ତ୍ର ନ ପଢ଼ିଲେ ନ ପଢୁ । କାକା ଗଙ୍ଗାକୁ ନ ଗଲେ ନ ଯାଆନ୍ତୁ । ପରଂପରା ଉପରେ ଆଘାତ ଲାଗିଲେ ଲାଗୁ । ଅସ୍ଥି ଆଣି ଅଜା ଆଇଙ୍କ ଅସ୍ଥି ପାଖରେ ପୋତି ଦିଆଗଲା । ତା ପାଖରେ ଚାଉଳ ମୁଠାଏ ବିଂଛାଗଲା । ଶୁଆ ପାଦ ପରି ଚିହ୍ନ ପଡ଼ିଲା । କୁହାଗଲା, ‘ବାପା ଶୁଆ ହୋଇ ଉଡ଼ିଗଲେ ।’ କଂକିକୁ ନଣ୍ଡା କରାଗଲା । ସଭିଏଁ ଖୁସୀ ହେଲେ ଯେ ବୃତ୍ତି ପଇସା ଗୋଟେ ଭଲ କାମରେ ଲାଗିଲା । ମାଙ୍କୁ ମଝିରେ ମଝିରେ ଇଲେକଟରାଲ୍ ପାଣି ଦିଆଗଲା । ଉହ୍ମେଇରେ ଥିବା ନଥିବା ତାତି ନେଇ ଯେତେଦିନ ବଞ୍ଚିଲ ତୁମେ ସେତକ ହିଁ ଯଥେଷ୍ଟ କୁମାରୀ କସ୍ତୁରୀ ଦାସ । ଯେତେବାଟ ତୁମକୁ ଶୁଣାଗଲା ନୁପୁରର ଧ୍ୱନି ସେତକ ହିଁ ଯଥେଷ୍ଟ । ଯେତେଦିନ ବଞ୍ଚିଲ ତୁମେ ବୁଢ଼ୀମା କାହାଣୀର ଫରୁଆ ଭିତରେ, ମୁକୁଳା ଫୁଲର ତାରୁଣ୍ୟରେ ସେତକ ହିଁ ଯଥେଷ୍ଟ । ନାଭିରଜ୍ଜୁ ପୋତା ହୋଇଥିବା ଏରୁଣ୍ଡ଼ିବନ୍ଧ ଉପରେ ଯେତେଦିନ ତୁମେ ଖେଳିଲ, ପାରନାସସ୍ ପାହାଡ଼ ଉପରୁ ଦଶମ ଇଶ୍ୱରଙ୍କ ଆଲୋକ ଯେତେଦୂର ତୁମକୁ ଦେଖାଗଲା ସେତକ ହିଁ ଯଥେଷ୍ଟ, ସେତକ ହିଁ ଯଥେଷ୍ଟ । ପେନ୍ସନ୍ ପାଇଁ ମାଙ୍କୁ ଧରି ଅଫିସ୍ରୁ ଅଫିସ୍କୁ ଚାରିମାସ ଦୌଡ଼ିବା ପରେ ତିରିଶ ହଜାର ଟଙ୍କା ମିଳେ । ମା ଝିଅ ଦୁହେଁ ଏତେ ଟଙ୍କାର ହିସାବ ବି ପାଇବା ମୁସ୍କିଲ୍ ହୁଏ । କୁମାରୀ ଦାସଂକ ବାହାଘରଟା ଉଠିଗଲେ ଭଲ । କିନ୍ତୁ ବାହାଘର ହେବ ହେବ ହୋଇ ହୁଏନା । ‘ଏ ବର୍ଷଟା ଯାଉ’ କହି ଚୁପ ରହିବାକୁ ହୁଏ । ଏଣେ ଘର ଭିତରେ ଅଳନ୍ଧୁ ସଫାକରି, ଉକୁଣୀ ସଫାକରି, ମାସକୁ ଥରେ ମୁଣ୍ଡ ଛଡ଼ାଇ, ତେଲ, ଲୁଣ ଡବା ସଜାଡ଼ି, ସୂତା ଶାଢ଼ି