କନିଷ୍କକୁ ତତ୍କ୍ଷଣାତ୍ ସଜ କରାଯାଏ । ଫେଣ ମଖାଯାଏ, ପାଣି ମଖାଯାଏ, ତୁଳା ଔଷଧ ବେଂଡେଜ୍ ମଖାଯାଏ, ମାଟି ଓ ଆଲୁଅର ଲେପ ଦିଆଯାଏ, ଓଲଟା କଇଁଛ ପରି ଶୂନ୍ୟରେ ପହଁରିବାକୁ ସୁଯୋଗ ଦିଆଯାଏ, ନରମଖରାର ବିଛଣା, ଉଷୁମଶୀତର ଶେଯ ଦିଆଯାଏ, କନିଷ୍କ ହୃଷ୍ଟପୁଷ୍ଟ ହୁଏ ଓ ବଢ଼େ । ବହୁ ସମୟ ପରେ ସେ କାନ୍ଦେ, ଯେମିତି ମୌସୁମୀ ଆସେ, ତା କାନ୍ଦ ଶୁଣି ତରଳିଯାଏ ପରାଗରୁ ପିଣ୍ଡ, ଅପସରିଯାଏ ଛାତିରୁ ଛନକା, ଥପ୍ ଥପ୍ ଖସିପଡ଼େ ପରୀକ୍ଷାଗାରର ଜଂଜାଳ, ଝଡ଼ିପଡ଼େ ଆତ୍ମିୟଙ୍କ ଆଶଙ୍କାରୁ ଅଳନ୍ଧୁ, ଓଠରୁ ହସ ଉପାଡ଼ି ଉପାଡ଼ି ବେଦମ୍ ହେଲା ପରେ ମାତାଲ କନିଷ୍କ ଘଟରୁ କଟାଯାଏ ଦଉଡ଼ି । ଅନେକ ଋତୁର କିଆରୀରେ ସମୟ ଅଣ୍ଟା ଭାଂଗେ । ଆକାଶକୁ ହାତଠାରି ତମାମ ଡାକୁଥାଏ କନିଷ୍କ । ଆକାଶର ଦାୟିତ୍ୱର ଲାଳିତ୍ୱରେ ଛଟାରେ ଛଡ଼ିରେ ବଢ଼େ, ବଡ଼ ହେଉଥାଏ ତମାମ୍ । ବେଳଉଂଡି କାଳଉଂଡି ପାଦ ଟିପି ଟିପି ଆସେ ଝଡ଼ । ଜଣାପଡ଼େ, ତାର ଦର୍ଶନେନ୍ଦ୍ରିୟ କାର୍ଯ୍ୟରତ ନୁହେଁ । ଲାଲ ପାଖୁଡ଼ା ଲାଲବେଲୁନ ଲାଲ ରକ୍ତ ଲାଲ ବେଂଡେଜ ଲାଲ ଓଠ କାହାକୁ ଦେଖିପାରୁନି । ବାପା ମା ଡାକ୍ତର ନର୍ସ କାନ୍ଥ କବାଟ କାହାକୁ ଚିହ୍ନି ପାରୁନି । ପରୀକ୍ଷାଗାରର ଘଡ଼ିସନ୍ଧି ସ୍ଥାନରେ ଥୁଆହୁଏ ତାକୁ, ଗୁଡ଼ାଏ ସରଂଜାମ ଓ ଲେନ୍ସ୍ର ମଲାଟ୍ ଲଗାଯାଏ । ଭିତରେ ଅନାବନା ତନ୍ତୁ ସବୁକୁ ତନଖି କରାଯାଏ, ବାହାରେ ଅନେକ ଯୋଡ଼ା ଆଖିରେ ଆସେ ଘାଇ, କନିଷ୍କ ବିଳପି ଉଠେ, କିନ୍ତୁ ପ୍ରତିବାଦ କରିପାରେନା । ଯା’ହେଉ ପୁଣି ରଙ୍ଗ ଚିହ୍ନେ ଶାଢ଼ି ଦେଖେ, ଆକାଶ ଦେଖେ, ବେଲୁନ୍ ପକ୍ଷୀ-ଓଠ-ବେଂଡେଜ ଦେଖେ ଓ ସାଗୁଆ କଦଳୀ ପତ୍ର ପବନରେ ଦୋହଲୁ ଥିବାର ଦେଖେ । ପୁଣି ଜଣାପଡ଼େ ତା ଶ୍ରବଣେନ୍ଦ୍ରିୟ ବି କାର୍ଯ୍ୟରତ ନୁହେଁ । ରଣଝଣ ଚୁଡ଼ି, ଖସ୍ ଖସ୍ ଶାଢ଼ି, ବାରୁଦଭର୍ତି ଛାତିର କମ୍ପନ, ଆଁ ଭିତରର ଚିତ୍କାର, ଡେଣାଭଙ୍ଗା ପକ୍ଷୀର ଆର୍ତନାଦ, ବ୍ରତ ଓପାସର ସ୍ୱର, ଦୀର୍ଘ ଦୀର୍ଘ ଶ୍ୱାସ ପ୍ରଶ୍ୱାସ କିଛି ବି ଶୁଣି ପାରେନା, ପ୍ରତିବାଦ ବି କରିପାରେନା । ପୁଣି ଜଣାପଡ଼େ ତାର ସ୍ପର୍ଶେଂଦ୍ରିୟ ବି କାର୍ଯ୍ୟରତ ନ ଥାଏ । ପିମ୍ପୁଡ଼ି କାମୁଡ଼େ, କୀଟ ଦଂଶେ ଜାଣିପାରେନା କିଛି । ଗବ୍ ଗବ୍ ଭୋକ, ଚଲ୍ ଚଲ୍ ଘା, ନିଆଁ ପରି ଉତ୍ତାପ, ହିମପରି ଥଣ୍ଡା, କେହି ବି ତା ଚର୍ମ ଭେଦି, ମାଂସ ହାଡ଼ ତନ୍ତୁ ଭେଦି ମସ୍ତିଷ୍କ ଯାଏ ଯାଇ ପାରନ୍ତି ନାଇଁ । କନିଷ୍କ ତେଣୁ ପ୍ରତିବାଦ କରିପାରେନା । ଚଟକା ମାଟି ମୁଣ୍ଡାଏ ପରି କନିଷ୍କ ମେଦ ଖଣ୍ଡଟିଏ ମାତ୍ର । ନାବାଳକ କଂଡେଇ ପରି ଜୁଳୁଜୁଳୁ କରୁଥାଏ ନାବାଳକ ଅଷ୍ଟାବକ୍ର ପରି ଭିଡ଼ିମୋଡ଼ି ହେଉଥାଏ ନାବାଳକ ଯିଶୁଖ୍ରୀଷ୍ଟ ପରି ଛିଡ଼ା ହେଉଥାଏ ନାବାଳକ କଂକାଳ ପରି ଖତେଇ ହେଉଥାଏ । କୁଢ଼ କୁଢ଼ ବରଫ ଉଖାରି ଉଖାରି କଢ଼ା ଯାଇଥିବା ପଚାଶ ହଜାର ବର୍ଷ ତଳର ନିଏନଡାର୍ଥାଲ ଶିଶୁ ଯେମିତି କନିଷ୍କ ସେମିତି, ପୃଥିବୀ ତା ପାଇଁ କଥା କହୁ ନ ଥିବା ଟିଭି ପରଦା ସଦୃଶ, ସଭିଏଁ ତା ପାଇଁ ବିଧାତା । କନିଷ୍କକୁ ସମ୍ଭାଳିବା ପାଇଁ ପାହାଡ଼ ସେପଟୁ ପରିଚାରିକାଟିଏ ଆସେ । ଫଟା ମଲାଟ ସଦୃଶ ପିଠି ପଟେ ଛିଣ୍ଡା ବାରବର୍ଷ ବୟସର ଫ୍ରକ୍ ପିନ୍ଧା କୁମାରୀ ନାବାଳିକା ପରିଚାରିକା । କୁମାରୀ ପରିଚାରିକା ଆଠବର୍ଷର ପ୍ରାବୃଟଭିଜା ଲଥ୍ ଲଥ୍ କନିଷ୍କକୁ ଗେଲ କରେ, କୋଳକରେ, କୋଳକରି ଶୁଆଏ, ଦାନ୍ତ ଘଷାଏ, ମୁହଁ ଧୋଇ ପାଉଡ଼ର ବୋଳିଦିଏ, ଅଗଣାରେ ପ୍ରଜାପତି ଦେଖାଏ, ଜହ୍ନ ଦେଖାଏ, ଦର୍ପଣ ଦେଖାଏ, ଶିଶିବୋତଲ ଅଳିଆ ଗଦାଠାରୁ ରକ୍ଷାକରେ, କୁକୁରକୁ ମୁଣ୍ଡିଆ ମାରିବା ଠାରୁ ରକ୍ଷା କରେ, କାନ୍ଥରେ ମୁଣ୍ଡ ପିଟି ହେବାଠାରୁ ରକ୍ଷା କରେ, ଏମିତି ସେ ନିୟତି ହୁଏ, ରକ୍ଷାକବଚ ହୁଏ, ତ୍ରାହି କରେ । ବେଳେବେଳେ କନିଷ୍କ ଖୁବ୍ ଜୋରରେ ଚାପିଧରେ ତାକୁ । ତା ଦେହରେ ଏତେ ବଳ! ଡରିଯାଏ କୁମାରୀ ନାବାଳିକା ପରିଚାରିକା, ଭୟଙ୍କର ଭାବେ ଥରି ଉଠେ । ବେଳେବେଳେ କନିଷ୍କ କାମୁଡ଼ି ଦେଲେ ସେ ଲୁହଲୁହାଣ, କାନ୍ଦେ, ଖୁବ ବେଳଯାଏ କାନ୍ଦେ, ତା ବା’କୁ ଡାକିଦେବା ପାଇଁ କହେ, ଏଠି ସେ ରହିବନି, ତା ଗାଁକୁ ଫେରିଯିବ ବୋଲି ରାହା ଧରେ, ପୁଣି ସକାଳ ହେଲେ ସବୁ ଭୁଲିଯାଇ କନିଷ୍କକୁ କୋଳରେ ଶୁଆଇ ବୋକ ଦିଏ, ଗାଧୁଆ ଘରେ ତାକୁ ଲଙ୍ଗଳା କରେ, ପାଣି ଢାଳେ, ହସେ, ହସି ହସି ସାବୁନ ଘସେ, ହସି ହସି ବେଦମ ହୁଏ, ତାର ଉଦ୍ଭଟ ମାଂସର ଖେଳନାକୁ ଛୁଇଁ ଦିଏ, ଦେହକୁ ଘଷି ମାଜି ଦେଲାବେଳକୁ ଜାଣତରେ ଅଜାଣତରେ ଉଦଭଟତାକୁ ହଲାଇ ହସେ, ହସି ହସି ପୁଣି ବେଦମ୍ ହୁଏ, ଆହୁରି ଏବଂ ଆହୁରି ହସୁଥାଏ ।
ପୃଷ୍ଠା:Hada bagicha.pdf/୫୬
ଦେଖଣା