ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୩୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶାନ୍ତା ତଥାପି ନିଦରେ ଶୋଇଥିଲା । ଅବିନାଶ ଠିକ କଲା ସେ ବରଂ ଏକା ଯାଇ ବାହାରେ କିଛି ସମୟ ବୁଲି ଆସିବ । ସେ ଜୋତା ପିନ୍ଧି ବାହାରକୁ ଆସିଲା ଓ ବଙ୍ଗଳାର ଗେଟ ଟପି ରାସ୍ତାରେ ପାଦ ଦେଲା । ବର୍ଷାରେ ଧୋଇ ଯାଇଥିବା ଗଛ ପତ୍ର ଆଲୁଅରେ ସତେଜ ଓ ଉଜ୍ଜଳ ଦେଖା ଯାଉଥିଲେ । ପବନରେ ମାଟିର ଗନ୍ଧ ଥିଲା । ବର୍ଷା ବୋଧହୁଏ ବେଶ କିଛି ସମୟ ଆଗରୁ ବନ୍ଦ ହୋଇ ଯାଇଥିଲା, ରାସ୍ତାରେ ପାଣି କାଦୁଆ ନ ଥିଲା । ସେ ଫେରିଯିବା କଥା, ଘର କଥା, ଅଫିସ କଥା ଭାବିଲା । କିନ୍ତୁ ଏଇ ଗଛ ଗହଳରେ ଛିଡା ହୋଇଥିବା ବେଳେ ଯେଉଁ କଥା ତାର ବେଶି ମନକୁ ଆସୁଥିଲା ସେଇଟି ତାର ନିଜର ପିଲାଦିନର କଥା ।

ସୂର୍ଯ୍ୟ ଆଉ ଟିକିଏ ଉପରେ ଥିଲା ଓ ସକାଳର ଖରା ଆହୁରି ଟିକିଏ ଟାଣ ହେଉଥିଲା । ଅବିନାଶ ଫେରିବା ବାଟ ଦେଖିଲା । ହାତରେ ଘଣ୍ଟା ପିନ୍ଧିବାକୁ ଭୁଲି ଯାଇଥିଲା ସେ । ଗେଟ ଭିତରକୁ ପଶି ଦେଖିଲା ଯେ ନରହରି ରୋଷାଇ ଘର ଖୋଲି ସାରିଛି । ଘର ଭିତରେ ଶାନ୍ତାର ଜିନିଷ ସବୁ ସଜଡା ହୋଇ ରହିଥିଲା ଓ ସେ ବାଥରୁମରେ ଥିଲା । ଅବିନାଶ ନିଜର ଜିନିଷକୁ ଏକାଠି କଲା । ଶାନ୍ତା ବୋଧହୁଏ ଏଇମାତ୍ର ଭିତରକୁ ଯାଇଛି । ତେଣୁ ବାହାରକୁ ଯାଇ ଅବିନାଶ ନରହରିକୁ ଖାଇବା ଘରକୁ ଡାକିଲା ତାର ହିସାବ ପତ୍ର ଠିକ କରିବା ପାଇଁ । ଏ କାମଟି ବି ସରିଗଲା ଅଳ୍ପ ସମୟରେ ! ନରହରି କହିଲା, ବର୍ଷା ଯୋଗୁ ଆପଣଙ୍କର ଅସୁବିଧା ହେଲା । ଆଉ ରୋଷେଇଆ ନ ଥିବାରୁ ଖାଇବା ପିଇବା ବି ଠିକରେ ହେଲା ନାହିଁ । ବର୍ଷା ଛାଡ଼ି ଗଲାଣି; ଆଜି ପୂଜାରୀ ଫେରିବ ନିଶ୍ଚେ । ଅବିନାଶ କହିଲା, ନା, ସବୁ ଠିକ ଥିଲା । ଆମର କିଛି ଅସୁବିଧା ହୋଇ ନାହିଁ ।

ଶାନ୍ତା ଗାଧୁଆ ଘରୁ ବାହାରିବଣି । ଖାଇବା ଘରୁ ବାହାରି ନିଜ କୋଠରୀକୁ ଯିବା ପୂର୍ବରୁ ପାଗ କିପରି ଦେଖିବାକୁ ଅବିନାଶ ଆକାଶକୁ ଅନାଇଲା । ଏବଂ ଯାହା ଦେଖିଲା ତାର ମନ ଏକ ଅପୂର୍ବ ଆନନ୍ଦରେ ଭରିଗଲା । ସେ କବାଟ ପାଖରେ ପାଟି କରି କହିଲା, ଶାନ୍ତା, ଶୀଘ୍ର ବାହାରକୁ ଆସ ଦେଖିବ । ଶାନ୍ତା କିନ୍ତୁ ପୂଜା କରୁଥିଲା, ତାର କୌଣସି ଜବାବ ଦେଲା ନାହିଁ । ଅବିନାଶ ଗାଧୁଆ ଘରେ ପଶିଲା ଏବଂ ଯେତେବେଳେ ପୋଷାକ ପିନ୍ଧି ବାହାରିଲା, ଶାନ୍ତା ବାରଣ୍ଡାରେ ବସିଥିଲା। ଅବିନାଶ ଚୁପଚାପ ସୁଟକେସରେ ନିଜର ଜିନିଷ ସଜାଇ ରଖିବାରେ ଲାଗିଲା ।

ଶାନ୍ତା ଭିତରକୁ ଆସିବାରୁ ଅବିନାଶ କହିଲା, ଆମର ଯିବାର ବେଳ ହୋଇଗଲା ।
ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ . ୩୬