ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୪୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶୁଭିଲା ଏବଂ ମୁଁ ଦି ଧାପ ଯାଇ ପୁଣି ତଳକୁ ଓହ୍ଲାଇ ଭୂତ ପାଖରେ ହାର ମାନିନେଲି ।

କାନ୍ଥରେ ସୁଭଦ୍ରା ମୁଖା ଲଗାଇବାର ଅଳ୍ପଦିନ ଭିତରେ ହିଁ ମନ୍ଦିର ସେବକ ଦତ୍ତମହାପାତ୍ର ମତେ ପ୍ରତିରକ୍ଷାର ଆଉ ଗୋଟିଏ ଆୟୁଧ ଆଣି ଦେଲେ : ଜଗନ୍ନାଥ ମୂର୍ତ୍ତିରୁ ଓହ୍ଲାଇ ଦିଆ ଯାଇଥିବା ମୋଟା ହଳଦିଆ ସୂତାର ମାଳା । ମୂର୍ତ୍ତିମାନଙ୍କର ବନକଲାଗି ବା ରଂଗ ଲଗାଇବା କାମ କରୁଥିବା ଏହି ସେବକ ମଧ୍ୟ ଏ ଭିତରେ ମୋର ଜଣାଶୁଣା ହୋଇ ଯାଇଥିଲେ ଏବଂ ମତେ ଏଇ ମାଳାଟି ଦେବା ତାଙ୍କର ମୋ ପ୍ରତି ଅତି ଆତ୍ମୀୟତାର ପ୍ରମାଣ ଥିଲା । ଦତ୍ତ ମହାପାତ୍ର କହିଲେ, ଏ ମାଳା ସହଜରେ ସେବକ ବାହାରେ ଆଉ କାହା ପାଖକୁ ଯାଏ ନାହିଁ । ଏଇଟି ପାଖରେ ଥିଲେ ବିପଦ ଆପଦ ପାଖ ମାଡ଼ିବେ ନାହିଁ । ହଉ, ଏଥରକ ଏଇ ମନ୍ତୁରା ମାଳ ପାଇଁ କିଛି ଦାନ ଦେବା ହୁଅନ୍ତୁ ! ମୁଁ ତାଙ୍କୁ କିଛି ପଇସା ଦେଲି ଓ ମାଳାଟିକୁ ନେଇ ଟାଙ୍ଗି ଦେଲି ସୁଭଦ୍ରା ମୁଖା ଉପରେ ।

ମୋର ପୁରୀରେ ରହିବା ଅନେକ ଦିନ ହୋଇ ଯାଇଥିଲା, କିନ୍ତୁ ଗବେଷଣା ଆଉ ସରୁ ନ ଥିଲା । ମୁଁ ଠିକ କଲି ଏଥର ଅଣସର ବେଳେ ଶେଷଥର ପାଇଁ ଆସି ରଥଯାତ୍ରା ଯାଏ ରହିଯିବି, ଆଉ ସେତିକିରେ ମୋର କାମ ଶେଷ କରିବି । ଦିଲ୍ଲୀରୁ ଆସି ଅସମ୍ଭବ ଖରାଦିନରେ ପୁଣି ମୁଁ ଭୂତକୋଠିରେ ପଶିଲି ଓ ପୁଣି ଆରମ୍ଭ ହେଲା ମୋର ଭୟଭୀତ ଜୀବନଯାପନର ଦୈନନ୍ଦିନ ପର୍ବ । ଏଥର ରହଣି ଭିତରେ କିନ୍ତୁ ମୁଁ କାମରେ ଡୁବି ରହୁଥୁଲି ଏବଂ ଯାହା କିଛି ବାକି ତଥ୍ୟ ସଂଗ୍ରହ କରିବାର ଥିଲା କରୁଥିଲି । ରଥଯାତ୍ରା ସରିବା ମାତ୍ରେ ହିଁ ମୁଁ ଠିକ କଲି ଫେରିଯିବି । କାରଣ ଏ ଭଳି ଲାଗି ରହିଥିଲେ କୌଣସି ଗବେଷଣାର କେବେ ହେଲେ ଶେଷ ହୁଏ ନାହିଁ । କୌଣସି ଗୋଟିଏ ସମୟରେ ନିଷ୍ପତ୍ତି ନେବାକୁ ହୁଏ, ଯେତିକି ହେଲା ସେତିକି, ବାସ୍ ।

ଏଇ ସମୟରେ ଦିନେ ହଠାତ ବାନା ଆସି ମୋ ପାଖରେ ପହଞ୍ଚିଲା । ତା ସାଙ୍ଗରେ ଅତି ଲାଲ ରଂଗର ପୋଷାକ ପିନ୍ଧି ତାନ୍ତ୍ରିକ ଭଳି ଦିଶୁଥିବା ଗୋଟିଏ ଦାଢ଼ିଆ ଲୋକ ଥିଲା । ବାନା ତାକୁ ମୋ ସହିତ ପରିଚୟ କରାଇ ଦେଲା; ସେ ଉତ୍ତର ଭାରତରୁ ଆସିଥିବା ତାନ୍ତ୍ରିକ ହିଁ ଥିଲା । ମୁଁ ଯେତେ ମନା କଲି ଯେ ମୋର ତନ୍ତ୍ର ମନ୍ତ୍ର କରାଇବା ଦରକାର ନାହିଁ, ଏବଂ ମୁଁ ଏ ଘରକୁ ଶୀଘ୍ର ଛାଡୁଛି, ବାନା ଓ ତାନ୍ତ୍ରିକ ବସିବା ଘରେ ଆସନ ପକାଇ ବସି ପୂଜା ଆରମ୍ଭ କରିଦେଲେ । ମତେ ଯେ ଏଥିପାଇଁ କିଛି ପଇସା ଦେବାକୁ ପଡ଼ିବ ନାହିଁ, ବାନା ବାରମ୍ବାର ମତେ ଏ ଆଶ୍ୱାସନା ଦେଲା ଏବଂ ତାନ୍ତ୍ରିକ ତାର ମୁଣିରୁ ଅନେକ ପ୍ରକାରର ଜଡ଼ି ବୁଟି ରଂଗ ବେରଂଗ ଜିନିଷ ଆଗରେ ସଜାଇ ରଖି କଣ ସବୁ ଅର୍ଥହୀନ ସଟାବଟା ପଢ଼ିଲା । ଘଣ୍ଟାଏ ପରେ ସେମାନେ ଯେତେବେଳେ ଘର ଛାଡ଼ିଲେ, ତାନ୍ତ୍ରିକକୁ ମୁଁ ଦେଇଥିବା

୪୯. ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ