ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଟଙ୍କା ବଦଳରେ ବାନା ମତେ ନିର୍ଭର ପ୍ରତିଶ୍ରୁତି ଦେଲା ଯେ ଘରଟିରୁ ବର୍ତ୍ତମାନ ଭୂତପ୍ରେତ ସଂପୂର୍ଣ ଭାବେ ଉଚ୍ଛେଦ ହୋଇ ଯାଇଛନ୍ତି । ଏବଂ ମତେ ସେ ଯେଉଁ ଭୟନାଶକ ମନ୍ତୁରା ସିଦ୍ଧି ପୁଡ଼ିଆଟି ଦେଲା ସେଥିରେ ମୁଁ ପରେ ଦେଖିଲି ଯେ କେବଳ ମୁଠାଏ ହଳଦୀ ଗୁଣ୍ଡ ଥିଲା, ଆଉ କିଛି ନୁହେଁ ।

ପୁରୀ ଛାଡ଼ିବା ଆଗରୁ ମୋର କାଗଜପତ୍ର ଫଟୋଗ୍ରାଫ ଇତ୍ୟାଦି ଏକାଠି କରି ଜିନିଷପତ୍ର ବନ୍ଧାବନ୍ଧି କରିବା ବେଳକୁ ମୁଁ ସୁଭଦ୍ରା ମୁଖାକୁ ନେବି କି ନାହିଁ ଭାବିଲି । ଶେଷରେ ଠିକ କଲି ଯେ, ନା ଏଇଟି ଏଇଠାରେ ଥାଉ ଭୂତକୋଠିକୁ ଜଗିବା ପାଇଁ । ତାନ୍ତ୍ରିକ ଦେଇଥିବା ହଳଦୀ ପୁଡ଼ିଆକୁ ମୁଁ ନେଇ ଝରକା ବାହାରେ ବିଞ୍ଚ ଦେଲି । ଆଉ ମୁଁ ଯାହା ଭାବିଥିଲି ଯେ ଯିବା ଆଗରୁ ଅନ୍ତତଃ ଦିନେ ଯାଇ ଉପର ମହଲାକୁ ଦେଖି ଆସିବି, ମୋର କାହିଁକି ସାହସ ହେଲାନାହିଁ, ଏବଂ ମୁଁ ନିଜକୁ କହିଲି ଯେ କଣ ଆଉ ଅଧିକା ମୁଁ ପ୍ରମାଣ କରିଥାନ୍ତି ସେ କୋଠରୀର ଭଙ୍ଗାଦଦରା ଆସବାବକୁ ଦେଖି ଭୂତର ଥିବା ନ ଥିବା ବିଷୟରେ ?

ଗୋଟିଏ ବର୍ଷା ବର୍ଷା ସକାଳ ଟ୍ରେନରେ ବସି ମୁଁ ପୁରୀକୁ ବିଦାୟ ଦେଲି । ଏଥରକ ମୋ ମୁଣ୍ଡରେ ଚିନ୍ତା ଥିଲା ବର୍ତ୍ତମାନ ଲାଗିପଡ଼ି ବହିଟି ଲେଖିବା । ଦିଲ୍ଲୀରେ ପହଞ୍ଚି ମୁଁ ମୋର ଭୂତକୋଠିର ସାଙ୍ଗ ସମେତ ସମସ୍ତଙ୍କୁ ଧନ୍ୟବାଦର ଚିଠି ଲେଖିଲି ଓ ମୋ ମନ ଭିତରୁ ସବୁ କିଛି ବାହାର କରିଦେଲି : ପୁରୀରେ ଏବଂ ସେଇ ଘରେ ରହିଥିବାର ଅପ୍ରୀତିକର ଦିନ ଓ ଭୟାନକ ରାତିମାନ ; ସେଠାରେ ଅସହ୍ୟ ଅଣସର ଗୁଳୁଗୁଳି ଗରମ, ସାହି ଲୋକଙ୍କ ତୁଣ୍ଡରେ ବିଶେଷ ଶ୍ଳୀଳ ଅଶ୍ଳୀଳ ଶବ୍ଦସମ୍ଭାର, ମନ୍ଦିର ଭିତରର ପଥର ଘେରା ଦୀପ ସିନ୍ଦୂର କଛା ପଇତା ଗାମୁଛା ବେତବାଡ଼ି, ରାସ୍ତାଘାଟର ଥନ୍ତଲ ପେଟ ଗୋଦର ଗୋଡ଼ ଏକଶିରା, ଜେଗା ଘର ଉଚ୍ଚ ବାରଣ୍ଡାର ଅଳସ ଗଂଜପା ଓ ତାସ, ଭାଙ୍ଗ ଗଂଜେଇ ବେଶର ମହୁର ଫେଣି ଗକା ମହାପ୍ରସାଦର ଆନନ୍ଦ ବଜାର ସମୁଦ୍ର କୂଳରେ ଏକାକାର ହୋଇ ଯାଇଥିବା ନୀଳ ଜଳରାଶି ସହିତ ମାଛ ଓ ପଚା ଦଳର ଗନ୍ଧ, ଝାଉଁ ଗଛର ବାହୁନା, ଓଠକୁ ଛୁଉଁଥିବା ଲବଣାକ୍ତ ପାଣିର ଛିଟିକା ଓ ଦେହକୁ ଭେଦ କରି ମନ ଭିତରକୁ ଆଉଁଶି ଯାଉଥିବା ସମୁଦ୍ରର ଧୀର ସମୀର ।

ମୋର ଦିଲ୍ଲୀର ପଢ଼ାଘର ଟେବୁଲ ଉପରେ, ଥାକରେ, ଚଟାଣରେ ଜମା ହୋଇଥିବା ବହି, ଜେରକ୍ସ କାଗଜର ଥାକ, ଟିପା ଖାତା, ଗଦା ଗଦା ଫଟୋକୁ ଦେଖି ମୋର ଭୟ ହେଲା ମୁଁ କେମିତି ବହିଟି ଲେଖିବି । କିନ୍ତୁ ଆସ୍ତେ ଆସ୍ତେ ସମୟ କ୍ରମେ କାଗଜ ଓ ମୋର ଚିନ୍ତାଧାରା ସଜାଡ଼ି ସଜାଡ଼ି ଗଲା, ମୋର ଲେଖା ଶେଷ ହେଲା, ତା’ର ପାଦଟୀକା, ସହାୟକ
ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ .୫୦