ପୃଷ୍ଠା:Jati, Jagruti o Pragati.pdf/45

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୪୬ / ଜାତି, ଜାଗୃତି ଓ ପ୍ରଗତି

ଓଡ଼ିଆଏ କାହିଁକି ମୁହଁରେ ତୁଣ୍ଡିମାରି ବସିଛନ୍ତି ? ସରକାର ମଧ୍ୟ ତଦୃପ । ଅନ୍ୟ ରାଜ୍ୟରେ ଓଡ଼ିଆ ଭାଷାକୁ ବଞ୍ଚାଇବାର ବୃଥା ଆସ୍ଫାଳନ କରି କେତୋଟି ଟାଉଟରଙ୍କୁ ନ ପୋଷି ବରଂ ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ନିଜ ଜାତିଭାଇଙ୍କ ନିକଟକୁ ଓଡ଼ିଶା ସରକାର ପଠାନ୍ତୁ । ଅନ୍ତତଃ ସେହିମାନଙ୍କଠାରୁ ସେ ଶିକ୍ଷା କରି ଆସିବେ ଯେ, ଗୋଟିଏ ମାତୃଭାଷାର ଉନ୍ନତି ଓ ବିକାଶ କିଭଳି ଭାବରେ କରାଯାଇପାରିବ । କାରଣ କଥା କହି ଶିଖିଲେ ହିଁ ମନର ଭାବନା ବ୍ୟକ୍ତ କରିହେବ । ତେଣୁ ମନର ଭାଷା ଓ ପାଟିର ଭାଷା ଏକ ହେବା ଜରୁରୀ । ଯାହା ଆଜି ଅନ୍ୟ ରାଜ୍ୟରେ ହେଉଛି, ତାହା ମଧ୍ୟ ଆମ ରାଜ୍ୟରେ ହେଉ ।

କିଛିି ଦିନ ପରେ ପୁଣି ସୁଯୋଗ ମିଳିଲା ସେହି ପବିତ୍ର ଛାତ୍ରାବାସକୁ ଯିବାପାଇଁ । ଇଚ୍ଛା ହେଲା ସେହି ବନ୍ଧୁଙ୍କ ନିଯୁକ୍ତି ସଂପର୍କରେ ଜାଣିବାକୁ । ଦେଖିଲି ପ୍ରାୟ ସମସ୍ତେ ମୁହଁ ଶୁଖାଇ ବସିଛନ୍ତି । ବଙ୍ଗଳା ଲବି, ତଥା ଜାତିପ୍ରୀତି ଓ ଭାଷାପ୍ରୀତି ପାଖରେ ବଙ୍ଗଳା ଭାଷାର ପ୍ରାଞ୍ଜଳତା କାମ କଲା ନାହିଁ । ସମସ୍ତ ଛାତ୍ର ବିଫଳ । ଏପରିକି ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ୨୦ଟି ପଦବୀପାଇଁ ମୋଟ୍ ୮ ଜଣ ଯାଇଥିଲେ ମଧ୍ୟ ସବୁଥିରେ ପାରଙ୍ଗମ ଥିବା ୬ ଜଣ ଓଡ଼ିଆପ୍ରାର୍ଥୀଙ୍କୁ ବାଦ ଦେଇ ୨ ଜଣ ସାଧାରଣ ଯୋଗ୍ୟତା ଥିବା ବଙ୍ଗାଳୀଙ୍କୁ ନିଯୁକ୍ତ କରାଯାଇଛି । ବାକି ସବୁ ଶୂନ୍ୟ ରହିଛି । ତଥାପି ଏମାନେ ଆଶା ହରାଇ ନାହାନ୍ତି । ଆସନ୍ତା ବର୍ଷପାଇଁ ବଙ୍ଗଳା ପଢ଼ା ଜାରି ରଖିଛନ୍ତି । ଅଥଚ ଓଡ଼ିଶା ସରକାରଠାରୁ ଏହି ମେଧାବୀ ଛାତ୍ରଗଣ ଆଶା ହରାଇଛନ୍ତି ।

ଏକଥା ଶୁଣିବା ପରେ କାହିଁକି କେଜାଣି ମୋ ପାଟିରୁ ହଠାତ୍ ବାହାରି ପଡ଼ିଲା ହେ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ତୁମେ ଆଉଥରେ ଜନ୍ମ ନେଇ ଶିକ୍ଷକ ରୂପରେ ଓଡ଼ିଶାକୁ ଆସ । ଆଉଥରେ ପୁଣି ଲେଖ “ଉଡ଼ିୟା ଏକ୍‌ଟା ସ୍ୱତନ୍ତ୍ର ଭାଷା ନଏ” । ଯଦି କେହି ଫକୀରମୋହନ, ଗୌରୀଶଙ୍କର ଭଳି ବାହାଦୁରୀ ନେବାକୁ ଏହାର ପ୍ରତିବାଦ କରନ୍ତି, ତେବେ ଓଡ଼ଶାର ଅସଂଖ୍ୟ ମେଧାବୀ ସେମାନଙ୍କ ତଣ୍ଟି କଣା କରି ଦୂଷିତି ରକ୍ତ ନିଶ୍ଚିତ ବାହାର କରିଦେବେ । କାରଣ ତୁମେ ହିଁ ଏକମାତ୍ର ବ୍ୟକ୍ତି, ଯିଏ ଏହି ଓଡ଼ିଆ ମେଧାବୀଙ୍କ ଦରଦକୁ ବୁଝିପାରି ଓଡ଼ିଆ ମାଟିରେ ବଙ୍ଗ ଭାଷାର ଚାରା ବୁଣି ଏ ଜାତିର ମେଧାବୀମାନଙ୍କୁ, କମ୍ପ୍ୟୁଟର ବିଜ୍ଞାନୀଗଣଙ୍କୁ, ପୁରୀ, ବାଲେଶ୍ୱରର ବେପାରୀଗଣଙ୍କୁ ଅଯଥା ବଙ୍ଗଭାଷା ଶିକ୍ଷା କରିବା କଷ୍ଟରୁ ମୁକ୍ତି ଦେବ । ଓଡ଼ିଆ ବେଙ୍ଗଲୀ ସମାନ ହୋଇଗଲେ ବିଜ୍ଞାନ ଗବେଷଣାଗାର କିମ୍ବା ତୈଳ ବିଶୋଧନାଗାର ଆଉ ବଙ୍ଗଳାକୁ ଉଠିଯିବ ନାହିଁ, କିମ୍ବା ଦକ୍ଷିଣରେ ତେଲେଙ୍ଗାଏ ମଧ୍ୟ ଉପଦ୍ରବ କରିବାକୁ ସାହସ କରିବେ ନାହିଁ ।