ପୃଷ୍ଠା:Kapata Pasha.pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସର୍ବ ନୃପତି କରନ୍ତି ପୂଜା ।
ମହାସଭାତଳେ, ବିବସ୍ତ୍ର କରୁଛି, ତୁମ୍ଭଙ୍କୁ କି ନୋହିବ ଏ ଲଜ୍ଜା ହେ । ୧ ।

ପୁଣି ଅର୍ଜୁନ-ମୁଖକୁ ଚାହିଁ । ଶୋକେ ଗଦଗଦ ହୋଇ କ‌ହି ।
ବାସବନନ୍ଦନ ମୋଠାରେ ବିମନ ଏବେ ପ୍ରସନ୍ନ ନୁହଁ କିମ୍ପାଇ ହେ । ବିବତ୍ସ । ୩ ।

ତୁମ୍ଭେ ଦ୍ୱିତୀୟ କୃଷ୍ଣ ବୋଲାଅ । ମୋର କଷଣ କି ରୂପେ ସ‌ହ ।
ଧିକ ତୁମ୍ଭ ପଣ, ଜୀବେ ଅଛ କି ମରିଛ କ‌ହ ହେ । ୪ ।

ଦେବୀ ଦ୍ରୌପଦୀଠାରୁ ଏ ବାଣୀ । ବୀର ଅର୍ଜ୍ଜୁନ ଶ୍ରବଣେ ଶୁଣି ।
ନ ଜାଣି ଧିକ୍କାର, କରୁ ଯୋଷାମଣି, ମୋର ପ୍ରତିଜ୍ଞା ନାହୁଁ କି ଶୁଣି ଗୋ ସୁନ୍ଦରୀ । ୫ ।

ପୂର୍ବେ ଗୋସିଂହ ଦୈତ୍ୟ ଅଇଲା । ରାତ୍ରେ ସତ୍ୟଭାମା ହରି ନେଲା ।
ରଖ ହେ ଅର୍ଜ୍ଜୁନ ବୋଲି ସତ୍ୟଭାମା ଅତି ଉଚସ୍ୱରେ ଡାକ ଦେଲା ଗୋ । ୬ ।

ମୋର କର୍ଣ୍ଣେ ସେ ଡାକ ସମ୍ଭାଇ । ପୁଣି ଶତଧନୁ ଦେଲା କ‌ହି ।
ଶରେ ଶର ଭେଦି ରଖିଲି ଆଛାଦି ନ ପାରିଲା ଆଉ ଦୈତ୍ୟ ଯାଇ ଗୋ । ୭ ।

ଯୁଦ୍ଧେ ଗୋସିଂହ ଦୈତ୍ୟକୁ ମାରି । କଷ୍ଟୁ ସତ୍ୟଭାମାଙ୍କୁ ଉଦ୍ଧରି ।
ରୈବତ ଗିରିରେ କୃଷ୍ଣଙ୍କୁ ଭେଟିଲି ଦେଲି ସତ୍ୟଭାମା ନେଇକରି ଗୋ । ୮ ।

ସଖି ମୋତେ ନ କର ଧିକ୍କାର । କୁରୁ ସୈନ୍ୟହିଁ କେତେ ମାତର ।
ଶରେ ଶରେ ସବୁ ମୋହିତ କରନ୍ତି ଆଜ୍ଞା ନାହିଁ ଯୁଧିଷ୍ଠିଙ୍କର ଗୋ । ୯ ।

ବୀର ଅର୍ଜ୍ଜୁନ ମୁଖୁ ଏ ବାଣୀ । ଦେବୀ ଦ୍ରୌପଦୀ କୁମାରୀ ଶୁଣି ।
ନ‌କୁଳ ମୁଖକୁ ଅନାଇ ବୋଲନ୍ତି ପଣ୍ତୁନନ୍ଦନଙ୍କ ପାଟରାଣୀ ହେ ନ‌କୁଳ । ୧୦ ।

ଆହେ ବାବୁ ଅଶ୍ୱିନୀ କୁମାର । ତୁମ୍ଭେ ବୀରମଧ୍ୟେ ବଳୀୟାର ।
ମୋତେ ସଭାତଳେ ଉଲଗ୍ନ କରୁଛି ତୁମ୍ଭେ ପାରିଲେହେଁ ରକ୍ଷାକର । ୧୧ ।

ତୁମ୍ଭେ ଅଶ୍ୱିନୀସୁତ ବୋଲାଅ । କରେ ନବନିଶି କୁନ୍ତ ବ‌ହ ।
ଧିକ ବୀରପଣ ଧିକ ତୁମ୍ଭ ପ୍ରାଣ ଏହା ଦେଖି ଯା ଧରିଛ ଦେହ ହେ । ୧୨ ।

ଶୁଣି ନ‌କୁଳ ବୋଲେ ବଚନ, ସଖି କର୍ମରେ ଯାହା ଲିଖନ ।
ବିଧାତା ପୁରୁଷ କରିଥାଇ ତାହା କେହି କରି ନ ପାରିବ ଆନ । ୧୩ ।

ସଖି ମୋତେ ନ କର ଝିଙ୍ଗାସ । ଯେବେ ଆଜ୍ଞା ଦ୍ୟନ୍ତେ ଧର୍ମଶିଷ୍ୟ ।
କୁରୁ ସଇନ୍ୟଙ୍କୁ କୁନ୍ତମୂନେ ଗୁନ୍ଥି ପେଶି ଦିଅନ୍ତି ଶମନ ପାଶ ଗୋ । ୧୪ ।

ପୁଣି ସ‌ହଦେବ ମୁଖ ଚାହିଁ ।
ତୁମ୍ଭେ ମନ୍ତ୍ରୀବର ଯୁଧିଷ୍ଠି ଛାମୁର ଭୂତ ଭବିଷ୍ୟ ଦିଅ ବତାଇ ହେ ସୁମନ୍ତ୍ରୀ । ୧୫ ।

ଅଛି ଏଡ଼େ ଆଶ୍ଚର୍ଯ୍ୟ ଶକତି । ନ ଜାଣ କି ପଡ଼ିବ ବିପତ୍ତି ।
ଆଗ‌ହୁଁ ମୋଠାରେ ନ କଲ ଗୋଚର ଏବେ ହରିବ କିଏ ଦୁର୍ଗତି ହେ। ୧୬ ।