କପଟପାଶା
ମନ୍ତ୍ରୀବର ବୋଲେ ସଖା ଶୁଣ । ଏ ଯେ ଦେବତା କୂଟ ଭିଆଣ ।
ତୁମ୍ଭଙ୍କୁ କଷଣ ନୋହିଲେ ସୁମୁଖୀ ନ ମରିବେଟି ସେ ଦୁଷ୍ଟଗଣ ଗୋ ସୁନ୍ଦରୀ ।୧୭।
ଏ ଯେ ଦୁର୍ଯ୍ୟୋଧନ ଶତେ ଭାଇ । ମହା ମହା ବୀର ଛନ୍ତିରହି ।
ତୁମ୍ଭଙ୍କୁ କଷଣ ଦେଲେ ଦେବଗଣ ଏହିମାନଙ୍କ ନାଶ ପାଇଁ ଗୋ ସୁନ୍ଦରୀ ।୧୮।
ସଖୀ ମନରେ ବିରସ ନୁହ । ଦଣ୍ତେ ମାତ୍ର ଦୁଃଖ ସହି ରହ ।
ତୁମ୍ଭେ ତ ଜଗତ ଜନଙ୍କର ମାତା କିମ୍ପା ମନରେ କରୁଛ କୋହ ଗୋ ।୧୯।
ଶେଷେ ସହଦେବ ମନ୍ତ୍ରୀ ବାଣୀ । ବାମା ଏ ରୂପେ ନିଷ୍ଠୁର ଶୁଣି ।
ଅନାଥ ତରୁଣୀ ପ୍ରାୟେ ହୋଇ ପୁଣି ବେନି ନୟନକୁ ବୁହାଇ ପାଣି ସେ ସୁନ୍ଦରୀ ।୨୦।
ସତୀ ଚିନ୍ତା ସାଗରେ ବୁଡ଼ିଲା । ଶରୀରରୁ ଜ୍ଞାନ ହାରିଗଲା ।
ଚନ୍ଦ୍ରମାବଦନ ହୋଇଲା ମଳିନ ଭୀମା ଦୀନ ଏ ରସେ ଭଣିଲା ହେ ସୁଜନେ ।୨୧।
ସପ୍ତମ ଛାନ୍ଦ
ମୁନି କହନ୍ତି ଶୁଣ ନୃପତି କହିବା ଦିବ୍ୟରସ ।
ହେଠ ବଦନ ପବନ ନାନ ବସିଛି ଭାତୃପାଶ ।୧।
ମନେ ବିରସ ଖରନିଶ୍ୱାସ ନଖେ ଚିରଇ ଗାର ।
ବେନି ନୟନଉ ଲୋତକ ଖସି ପଡ଼ୁଛି ଝର ଝର ।୨।
କପୋଳ କର ଦେଇଣ ବୀର ହୃଦରେ ଗୁରୁଚିନ୍ତା ।
ସନ୍ତାପ ଜଳେ ବୁଡ଼ିଲା ତାଳେ ଦେଖି ଦ୍ରୌପଦୀ ବ୍ୟଥା ।୩।
ଦ୍ରୌପଦୀ ବୋଲେ ଭୀମକୁ ଚାହିଁ ପବନ ସୁତ ଦେଖ ।
ତୋପରା ବୀର ଥାଉଁ ମୋହର ହରୁଛି ଏଡ଼େ ଦୁଃଖ ।୪।
ଏ ଦୁଃଶାସନ ପାମର ହୀନ ଧରିଲା ମୋର କେଶ ।
ତୁ ନେତ୍ର ବେନି ଦେଖୁ ପାଦନି ନ ପାଉ ମନେ ରୋଷ ।୫।
ବାଉନ ଭାର ଗଦା ତୋହର ନାହୁଁ କି କରେ ଘେନି ।
ସିଂହ ଘରଣୀ ଶୃଗାଳ ଆଣି କରୁଛ ହୀନିମାନୀ ।୬।
ଭୀମ ବୋଲଇ ଶୁଣରେ ସହି ମୋହର କେଉଁ ଦୋଷ ।
ମୋ ବୀରପଣ ପ୍ରତିଜ୍ଞା ଟାଣ ଯୁଧିଷ୍ଠି କଲେ ନାଶ ।
ବାରେ ଅନାଇ ଯେବେ ସେ ଠାରି ଦିଅନ୍ତେ ମୋତେ ଚକ୍ଷୁ ।
ହସ୍ତିନାପୁର କରନ୍ତି କ୍ଷୂର ତୋର ଦେଖୁ ଦେଖୁ ।୮।
କଦଳୀ ବନ ଯେହ୍ନେ ପବନ ଘାତେ ପଡ଼ଇ ଲୋଟି ।
ରଥି ସାରଥି ଗଜ ପଦାତି କ୍ଷଣକେ ଦ୍ୟନ୍ତି ପିଟି ।୯।
ଏ ଶତଭାର ଗଦା ମୋହର ବୁଲାଇ ବେନିକର ।
ଏ ଦୁର୍ଯ୍ୟୋଧନ ସହିତେ ସୈନ୍ୟ ପେଶନ୍ତି ଯମପୁର ।୧୦।
ଦ୍ରୌପଦୀ ବୋଲେ ଆହେ ପାବନି ଧିକ ତୁମ୍ଭର ପ୍ରାଣ ।