ଆଗ୍ରହୀ ହେଲେ । ଭାସ୍କର ହେଲା ଭାରତର ଦ୍ୱିତୀୟ କୃତ୍ରିମ ଉପଗ୍ରହ । ଭାରତୀୟ ଇଞ୍ଜିନିୟର ବୈଜ୍ଞାନିକଗଣ ପରସ୍ପର ସହଯୋଗରେ ଏହାକୁ ନିର୍ମାଣ କରିଥିଲେ ।
୧୯୭୯ ମସିହା ଜୁନ୍ ୪ ତାରିଖରେ ଉତ୍ତପ୍ତ ମଧ୍ୟାହ୍ନ । ଋଷ୍ର ମହାକାଶ ପ୍ରେରଣ କେନ୍ଦ୍ରରୁ ଉପଗ୍ରହ ଭାସ୍କରକୁ ଅନ୍ତରୀକ୍ଷକୁ ପଠାଇବା ପାଇଁ ପ୍ରସ୍ତୁତ କରାଗଲା । ଭାରତ ଓ ଋଷ୍ର ବିଜ୍ଞାନୀମାନେ ଏହାକୁ ତନ୍ନ ତନ୍ନ କରି ପରୀକ୍ଷାନିରୀକ୍ଷା କଲେ । ଏହି ପରୀକ୍ଷା ରିପୋର୍ଟକୁ ଭିତ୍ତି କରି ଏହାକୁ ମହାକାଶକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଗଲା ।
ଇସ୍ପାତ ନିର୍ମିତ ଲଞ୍ଚଟାୱାର (Launch Tower) ବା ପ୍ରକ୍ଷେପଣ ମିନାର ପାଖକୁ ରକେଟ୍ ସହିତ ଉପଗ୍ରହକୁ ନିଆଗଲା । ଜୁନ୍ ୬ ତାରିଖ ସକାଳେ ଏହି ରକେଟ୍କୁ ପ୍ରକ୍ଷେପଣ ମିନାରକୁ ଭରାଦେଇ ସିଧା ଠିଆ କରାଗଲା । କେତେ ଜଣ ଭାରତୀୟ ଇଞ୍ଜିନିୟର ପୁଣି ଥରେ ସେଠାକୁ ଯାଇ ରକେଟ୍ ଓ ଉପଗ୍ରହକୁ ପରୀକ୍ଷା କଲେ । ସବୁ ଠିକ୍ ଥିବା ଜାଣି ସେମାନେ ନିଶ୍ଚିନ୍ତ ହେଲେ । ସେହି ୬ ତାରିଖରେ ମେଘାଚ୍ଛନ୍ନ ମଧ୍ୟାହ୍ନରେ ରକେଟ୍ରେ ଇନ୍ଧନ ଭର୍ତ୍ତି କରାଗଲା । ଏହାପରେ ଦିଗସୂଚକ ଯନ୍ତ୍ର ଆଦିକୁ ପରୀକ୍ଷା କରାଗଲା ।
ଭାରତୀୟ ବିଜ୍ଞାନୀମାନଙ୍କର ମୁଖ୍ୟ ପ୍ରଫେସର ସତୀଶ ଧାବନ ଓ ଋଷୀୟ ବିଜ୍ଞାନୀଗଣଙ୍କର ନେତା ଶିୟାନ୍ ପ୍ରକ୍ଷେପଣ ମିନାର ପାଖକୁ ଗଲେ। ସବୁ ବିଷୟ ସୁଚାରୁରୂପେ ଦେଖିସାରି ସେମାନେ ଆଲୋଚନା କଲେ। ସବୁ ଯନ୍ତ୍ରପାତି ଠିକ୍ ଅଛି କି ନାହିଁ ଦେଖାଗଲା। ସବୁ ଠିକ୍ ଥିବାରୁ ସମସ୍ତେ ଆଶ୍ୱସ୍ତ ହେଲେ । ୧୯୭୯ ମସିହା ଜୁନ୍ ୭ ତାରିଖ ସନ୍ଧ୍ୟାରେ ଭାସ୍କରକୁ ଅନ୍ତରୀକ୍ଷ ଅଭିମୁଖେ ପ୍ରେରଣ କରିବା ପାଇଁ ସ୍ଥିର କରାଗଲା ।
୧୯୭୯ ମସିହା ଜୁନ୍ ୭ ତାରିଖ । ସକାଳ ସାଢ଼େ ଏଗାରଟା । ଭାରତୀୟ ଓ ଋଷୀୟ ବୈଜ୍ଞାନିକଗଣ ଦୁଇଟି ବସ୍ରେ ମହାକାଶ କେନ୍ଦ୍ରରେ ପହଞ୍ଚିଲେ । ଇସ୍ପାତ ନିର୍ମିତ ଉତ୍କ୍ଷେପଣ ମିନାରଠାରୁ ପ୍ରାୟ ୫ କି.ମି ଦୂରରେ ସେମାନେ ରହିଲେ । ସେଠାରୁ ଉତ୍କ୍ଷେପଣ ଦର୍ଶନ କରିବା ସୁବିଧାଜନକ ଥିଲା । ଆକାଶ ମେଘାଚ୍ଛନ୍ନ । ସାମାନ୍ୟ ବୃଷ୍ଟିପାତ ମଧ୍ୟ ହେଉଥାଏ ।