ପୃଷ୍ଠା:Malunira Fula O Anyanya Galpa.pdf/୩୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅନ୍ତରର ବ୍ୟାକୁଳତା

ଈଶ୍ୱରଙ୍କୁ ଯେ ଆନ୍ତରିକ ଭାବରେ ଲୋଡ଼ିବ, ଈଶ୍ୱର ତା'ର ହେବେ । ଈଶ୍ୱରଙ୍କ ପାଇଁ ଯେ ବ୍ୟାକୁଳ, ଈଶ୍ୱର ତା'ର ହେବେ । ଅରୁଣୋଦୟ ହେଲେ ପୂର୍ବଦିଗ ଲାଲ ହୁଏ; ସେଥିରୁ ଜଣାଯାଏ ଯେ ସୂର୍ଯ୍ୟୋଦୟ ହେବାରେ ଆଉ ଡେରି ନାହିଁ । ସେହିପରି ଯଦି କାହାର ପ୍ରାଣ ଈଶ୍ୱରଙ୍କପାଇଁ ବ୍ୟାକୁଳ ହେବାର ଦେଖାଯାଏ, ତା'ହେଲେ ବୁଝିବାକୁ ହେବ ଯେ ଏହି ବ୍ୟକ୍ତିର ଆଉ ଈଶ୍ୱର ଲାଭରେ ଡେରି ହେବନାହିଁ ।

ଜଣେ ଶିଷ୍ୟ ଗୁରୁଙ୍କୁ ପଚାରିଲା, "ମହାଶୟ, ଈଶ୍ୱରଙ୍କୁ କିପରି ଲାଭ କରିବାକୁ ହେବ ମୋତେ ବତାଇ ଦିଅନ୍ତୁ ।" ଗୁରୁ ଶିଷ୍ୟକୁ ସାଙ୍ଗରେ ଧରି ଗୋଟିଏ ପୋଖରୀକୁ ଗଲେ । ଉଭୟେ ପାଣି ଭିତରକୁ ଗଲେ । ତା'ପରେ ଗୁରୁ ହଠାତ୍ ଶିଷ୍ୟକୁ ବୁଡ଼ାଇ ଦେଇ ତାର ମୁଣ୍ଡକୁ ମାଡ଼ି ଧରିଲେ । ଶିଷ୍ୟ ବିଚାରା ଆବୁରୁ କାବୁରୁ ହୋଇଗଲା । ତା'ପରେ ସେ ଛାଡ଼ିଦେଲେ । ମୁଣ୍ଡ ଟେକିବା ପରେ ପଚାରିଲେ, "କେମିତି ଲାଗିଲା ।" ଶିଷ୍ୟ କହିଲା, "ଜୀବନ ଯିବ ଯିବ, ଏହିପରି ଲାଗିଲା ।" ଗୁରୁ କହିଲେ, "ଈଶ୍ୱରଙ୍କପାଇଁ ପ୍ରାଣ ଯେବେ ଆଉଟୁ ପାଉଟୁ ହେବ, ତା'ହେଲେ ଜାଣିବ ଯେ ତାଙ୍କୁ ପାଇବାରେ ଆଉ ଡେରି ନାହିଁ ।" ମାନିଲେ ଦିଅଁ, ନ ମାନିଲେ ପଥର ।