ପୃଷ୍ଠା:Malunira Fula O Anyanya Galpa.pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୋକ, ମାଛି ପରି ମୃତ୍ୟୁର କବଳରେ ପଡ଼ିଲେ । ନାରଦ ସେଠାରୁ ଅନ୍ୟତ୍ର ଚାଲିଯିବାପାଇଁ ସ୍ଥିର କଲେ । ତାଙ୍କର ସ୍ତ୍ରୀ ମଧ୍ୟ ଏଥିରେ ଏକମତ ହେଲେ । ତା'ପରେ ସେମାନେ ପିଲାମାନଙ୍କୁ ସଙ୍ଗରେ ଧରି ଅନ୍ୟ ସ୍ଥାନକୁ ଚାଲିଲେ ।

ଭାଗ୍ୟର ବିଡ଼ମ୍ବନା । ସେମାନେ କିଛି ଦୂର ଯିବାପରେ ଗୋଟିଏ ନଦୀ ପାର ହେବାକୁ ପଡ଼ିଲା । ପୋଲ ଉପରେ ସେମାନେ ଯାଉଥିବା ସମୟରେ ହଠାତ ନଦୀରେ ଭୀଷଣ ବନ୍ୟା ମାଡ଼ିଆସିଲା । ଫଳରେ ନାରଦଙ୍କର ପିଲାମାନେ ଜଣକ ପରେ ଜଣେ ନଦୀର ଖରସ୍ରୋତରେ ଭାସିଗଲେ । ପରିଶେଷରେ ତାଙ୍କ ସ୍ତ୍ରୀ ମଧ୍ୟ ପାଣିରେ ଭାସି ଯାଇ ଭଉଁରିରେ ବୁଡ଼ି ମଲା ।

ନିଜର ଦୁର୍ଭାଗ୍ୟଯୋଗୁଁ ଦୁଃଖରେ ଅଭିଭୂତ ହୋଇପଡ଼ିଲେ ଦେବର୍ଷି । ନଦୀ କୂଳରେ ବସି ସେ ଶିଶୁ ଭଳି ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ । ଠିକ୍ ସେତିକିବେଳେ ଭଗବାନ ତାଙ୍କ ସମ୍ମୁଖରେ ଆବିର୍ଭୂତ ହୋଇ ଧୀର ସ୍ୱରରେ କହିଲେ-- "ନାରଦ, ପାଣି କାହିଁ ? ଆଉ ତୁମେ ଏଠାରେ ବସି କାନ୍ଦୁଚ ଯେ ?"

ପ୍ରଭୁଙ୍କର ଆବିର୍ଭାବରେ ଦେବର୍ଷି ଇତସ୍ତତଃ ହୋଇଗଲେ । ତା'ପରେ ସେ ସମସ୍ତ ଘଟଣା ହୃଦୟଙ୍ଗମ କରିପାରିଲେ । ରୁଦ୍ଧ କଣ୍ଠରେ ସେ କହିଲେ--"ହେ ପ୍ରଭୁ, ତୁମକୁ ମୋର ନମସ୍କାର ଏବଂ ତୁମର ମାୟାକୁ ଶହେ ନମସ୍କାର ।"

ହୀରା ଖଣ୍ଡର ମୂଲ୍ୟ

ଥରେ ଜଣେ ଧନୀଲୋକ ତାଙ୍କର ଚାକରକୁ ଡାକି ତାକୁ ଗୋଟିଏ ହୀରାଖଣ୍ଡ ଦେଲେ ଓ କହିଲେ, "ଏହାକୁ ବଜାରକୁ ନେଇଯାଅ, ଏବଂ କିଏ ଏହାର କେତେ ମୂଲ କରିବ, ତାହା ମୋତେ ଆସି କହିବ । ପ୍ରଥମେ ମୂଲ କରିବାପାଇଁ ବାଇଗଣବେପାରୀ ପାଖକୁ ନେଇଯାଅ ।"

ଚାକର ହୀରାଖଣ୍ଡ ଧରି ବାଇଗଣ ବେପାରୀ ପାଖରେ ପହଞ୍ଚିଲା ଓ କେତେ ମୂଲ୍ୟ ଦେଇ ସେ ଏଇ ହୀରାକୁ ନେଇପାରିବ ବୋଲି ପଚାରିଲା । ବାଇଗଣ ବେପାରୀ ହୀରାକୁ ନିଜ ହାତରେ ଧରି ବହୁତ ଏପାଖ ସେପାଖ କରିବା ପରେ କହିଲା, "ଭାଇ, ନଅ କିଲୋ ବାଇଗଣ ଦେଇ ମୁଁ ଏହାକୁ କିଣି ନେଇ ପାରିବି ।"

ଚାକର କହିଲା "ଆଚ୍ଛା, ଆଉ ଟିକିଏ ବଢ଼ାଇ ଦିଅ; ଦଶ କିଲୋ ଦିଅ ।"

ବାଇଗଣ ବେପାରୀ ମୁଣ୍ଡ ହଲାଇ ଉତ୍ତର ଦେଲା "ନା, ବଜାର ଦର ଯାହା, ତା'ଠାରୁ ମୁଁ ବେଶି କହିଚି । ଯଦି ତୁମକୁ ସେ ଦର ପୋଷଉ ନାହିଁ, ତା'ହେଲେ ଫେରାଇ ନିଅ ।"

ଚାକରଟି ହସିଦେଇ ଫେରି ଆସିଲା । ମୁନିବକୁ କହିଲା, "ଆଜ୍ଞା, ବାଇଗଣ ବେପାରୀ ନଅ କିଲୋରୁ ଗୋଟିଏ କିଲୋ ମଧ୍ୟ ଅଧିକା ଦେବାପାଇଁ ରାଜି ହେଲା ନାହିଁ । ସେ କହିଲା, ଏହାର ବଜାର ମୂଲ ନଅ କିଲୋ ବାଇଗଣରୁ କମ୍ ।"