ପହଞ୍ଚିଥିଲା,ସେଗୁଡ଼ିକୁ ସେ ସିଧା ସଳଖ ଭାବରେ ନେଇଥିଲେ ଓ ସିଧା ସଳଖ ହୋଇ ଲଢ଼େଇ କରିଥିଲେ ବୋଲି ମନେହୁଏ ।
ଗାଁ ଗାଁ ଧୋଇ ଯାଇଛି,ଲୋକେ ପୁରୁଣି ଶାଗ,ବାଉଁଶ କରଡ଼ି ଖାଉଛନ୍ତି,ସେ କଥାକୁ ଆଗ ଚାହିଁ ପରେ ତୁମେ ହୀରାକୁଦ ବନ୍ଧରେ ଶୁଭ ଦିଅ । ଆଗ କିରାସିନି ତେଲ ଅଭାବ ଘୁଞ୍ଚାଇ ପରେ ଡ଼ୁଡ଼ୁମାରୁ ବିଜୁଳିବତୀ ଆଣି ଓଡ଼ିଶାତମାମ ପଛେ ଆଲୁଅ କରୁଥାଅ । ଘର ପିଛା ସବୁରି ଆଗ ଲଜ୍ଜା ନିବାରଣର ଉପାୟ କରି ଲୁଗା ସିଣ୍ଡିକେଟ୍ ଗଢ଼ ଓ ତେଲିଆ ମୁଣ୍ଡରେ ତେଲ ଢ଼ାଳ । ଯେଉଁ ଓଡ଼ିଆ ଅଞ୍ଚଳଗୁଡ଼ିକ ଏବେ ସୁଦ୍ଧା ଅନ୍ୟ ପ୍ରଦେଶ ଭିତରେ ରହି ନିଜର ଭାଷା ସଂସ୍କୃତି ହରାଇ ବସୁଛି, ସେଗୁଡ଼ିକୁ ଆଗେ ଉଦ୍ଧାର କରିବାର ବାଟ ବତାଇ ପରେ ପଛେ ସରକାର ମହଲରୁ ସାବାସି ପାଅ ।
ରେଭେନ୍ସା କଲେଜର ପ୍ରକାଣ୍ଡ କୋଠା ତୋଳା ହେଲାବେଳେ ଗୋପବନ୍ଧୁ ସମାଲୋଚନା କରିଥିଲେ, ଓଡ଼ିଆ ପିଲାଙ୍କର ପାଠ ପଢ଼ିବା ପାଇଁ ଏହା ଏକ ହାସ୍ୟକର ବ୍ୟାପାର ବୋଲି ଦର୍ଶାଇ । ଅନ୍ୟ ପ୍ରଦେଶର କଲେଜ ଘର ସଙ୍ଗେ ତୁଳନା କରି ଓ ଏବର ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦେଖି ତାଙ୍କର ଏ ଭଳି ସମାଲୋଚନା ଅମୂଳକ ଓ ଅଦୂରଦର୍ଶୀତାର ପରିଚୟ ବୋଲି ପହିଲେ ମନେ ହୋଇଥାଏ । କିନ୍ତୁ ଓଡ଼ିଆ ପିଲାଙ୍କ ଘର ଦୁଆର ଅବସ୍ଥା ବିଚାରିଲେ, ଦେଶଗୋଟାକର ସମ୍ପୂର୍ଣ୍ଣ ଚିତ୍ର ଆଖି ଆଗରେ ଧରିଲେ, ପୁଣି ତଥାକଥିତ ଉତ୍କଳ ବିଶ୍ୱବିଦ୍ୟାଳୟର କୀର୍ତ୍ତିକଳାପ, ଚୋର ମା ଲାଜେ ନ କାନ୍ଦିଲା ପରି ଦୁଆର କିଳି ବାହୁନିରେ ତାଙ୍କ ସମାଲୋଚନା ଆଜି ମଧ୍ୟ ପୁରୁଣା ନୁହେଁ ବୋଲି ମନେ ହୁଏ । ଆଜି ମଧ୍ୟ ମନେ ହୁଏ, ଜିଲ୍ଲାବୋର୍ଡ଼ ଡ଼ାକ୍ତରଖାନାରେ ଔଷଧ ନାମ ଦେଇ ରଙ୍ଗିନ୍ ପାଣି ବାଣ୍ଟିଲା ଭଳି ଉଚ୍ଚ ଶିକ୍ଷା ନାଆଁରେ ନୂଆ ନୂଆ